ଡା. ମହତାବଙ୍କ ଉପରେ ଆୟୋଜିତ ଜାତୀୟ ୱେବିନାରରେ ଧର୍ମେନ୍ଦଙ୍କ ବକ୍ତବ୍ୟ, ମହତାବଙ୍କ ବିଚାରଧାରା ଆଜି ବି ପ୍ରାସଙ୍ଗିକ


ନୂଆଦିଲ୍ଲୀ/ଭୁବନେଶ୍ୱର – ଗଡ଼ଜାତ ମିଶ୍ରଣରେ ଡା. ମହତାବଙ୍କ କୁଶଳ ନୀତି ଯୋଗୁଁ ବାଲଶ୍ୱର ଜିଲ୍ଲାର ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା । ଡା. ମହତାବଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ ଏକ ଜାତୀୟ ଆବଶ୍ୟକତାର ପ୍ରଥମ କାମ ଓଡ଼ିଶାରେ କରାଯାଇଥିଲା । ତାଙ୍କର ବିଚାରଧାରା ଓ ପରମ୍ପରା ଆଜି ମଧ୍ୟ ବହୁତ ପ୍ରାସଙ୍ଗିକ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ପକ୍ଷରୁ ଡା. ହରେକୃଷ୍ଣ ମହତାବଙ୍କ ୧୨୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଜାତୀୟ ୱେବିନାରରେ ଭିସି ମାଧ୍ୟମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସାଂପ୍ରତିକ ସମୟରେ ‘ସ୍ୱାଧୀନତ୍ତୋର ଓଡ଼ିଶା ରାଜନୀତି ଓ ଡା. ମହତାବ’ ଶୀର୍ଷକ ୱେବିନାର୍ ଆୟୋଜନ କରିଥିବାରୁ ଆୟୋଜକ ମଣ୍ଡଳିଙ୍କୁ ଧନ୍ୟବାଦ ଦେଇଥିଲେ ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାଜ ଯଦି ଅତୀତ କଥା ମନେ ପକାଇବ ନାହିଁ ତେବେ ଭବିଷ୍ୟତର ରାସ୍ତା ତିଆରି କରିପାରିବ ନାହିଁ । ଡା. ମହତାବଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ବୁଝିନଥିଲେ ଓଡ଼ିଶାରେ ସାମାଜିକ ଓ ରାଜନୈତିକ କାର୍ଯ୍ୟକର୍ତ୍ତା ପୂରଣ ହେବ ନାହିଁ । ସମାଜରେ ସବୁ ଲୋକମାନେ ମହାପୁରୁଷ ହୁଅନ୍ତି ନାହିଁ ବରଂ ଭବିଷ୍ୟତକୁ ଦେଖିପାରୁଥିବା ବ୍ୟକ୍ତି ହିଁ ମହାପୁରୁଷ ହେବାର କ୍ଷମତା ରଖେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଯେଉଁ ସମାଜ, ଜାତି, ବିଶେଷ ଭାବରେ ଯୁବପିଢି ପୂର୍ବଜ ମାନଙ୍କର ଆସ୍ଥା କେନ୍ଦ୍ରକୁ ନେଇ ଭବିଷ୍ୟତର ଯୋଜନା କରିବ ନାହିଁ ତେବେ ସେ ସାମାଜ ଆଗକୁ ବଢ଼ିପାରିବ ନାହିଁ । ଓଡ଼ିଆ ଜାତିକୁ ଆଗକୁ ଯିବା ପାଇଁ ହେଲେ ପୂର୍ବଜ ମାନଙ୍କର ଶ୍ରଦ୍ଧା କେନ୍ଦ୍ର ଗୁଡିକୁ ସମ୍ମାନ କରିବା ପାଇଁ ପଡ଼ିବ । ଏହି ମୂଲ୍ୟବୋଧକୁ ସମସ୍ତେ ଆପଣାଇବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତିି ।
ଡା. ହରେକୃଷ୍ଣ ମହତାବ କେନ୍ଦ୍ର ସରକାରରେ ଦାୟିତ୍ୱରେ ଥିବା ସମୟରେ ଆତ୍ମନିର୍ଭର ଭାରତର ପରିକଳ୍ପନା କରିଥିଲେ । ଡା. ହରେକୃଷ୍ଣ ମହତାବ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ପିମ୍ପରି ପେନସିଲିନ୍‌, ହିନ୍ଦୁସ୍ତାନ ଏରୋନେଟିକ୍ସ ପରି ଅନେକ ଶିଳ୍ପର କଳ୍ପନା କରିଥିଲେ । ଯାହାର ପ୍ରାସଙ୍ଗିକତା ଆଜି ସମୟରେ ଜଣାପଡ଼ୁଛି ଏବଂ ଏହାକୁ ହିଁ ଯୁଗଦ୍ରଷ୍ଟା କୁହାଯାଏ ବୋଲି ସେ କହିଛନ୍ତି ।


Share It

Comments are closed.