OSSC ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ, କୋଟିପତି ପିଏସ ବିରଞ୍ଚି ସାହୁଙ୍କ ବିରୋଧରେ ହେବ ବିଭାଗୀୟ ତଦନ୍ତ


ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡି ଗିରଫ ହୋଇଥିବା ଓଏସଏସସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ବିରୋଧରେ ହେବ ବିଭାଗୀୟ ତଦନ୍ତ । ଏନେଇ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ସୂଚନା ଦେଇଛନ୍ତି । ବିଭାଗୀୟ ତଦନ୍ତ କରିବା ଲାଗି ଓଏସଏସସି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଛନ୍ତି । କିଭଳି ଜଣେ ପିଏସ୍ ହୋଇ କୋଟିପତି ହେଲେ ଏହାକୁ ନେଇ ତଦନ୍ତ ହେବ । ତାଙ୍କ ଘରୁ ମିଳିଥିବା ଆଡମିଟ୍ କାର୍ଡ ବାବଦରେ ସମସ୍ତ ତଦନ୍ତ ହେବ । ଆଡମିଟ୍ କାର୍ଡ ସେ ଛାତ୍ରଛାତ୍ରୀଙ୍କଠାରୁ ନେଇଥିବା ସନ୍ଦେହ କରାଯାଇଛି । ସିଧାସଳଖ ସେ ଲାଞ୍ଚ କାରବାର ନେଇ ଏଭଳି ବେଆଇନ ସମ୍ପତ୍ତି ଆୟ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ୩ କୋଟି ୭୯ ଲକ୍ଷର ସଂପତ୍ତି ଜବତ, ନଗଦ ୨୫ ଲକ୍ଷ ସହ ଦେଢ଼ କେଜି ସୁନା ଗହଣା ଜବତ ହୋଇଥିଲା । ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ଘର, ଭୁବନେଶ୍ବର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ଟି ଏକ ମହଲା ଘର । ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୧୪ଟି ପ୍ଲଟ୍‌ । ଗୋଟିଏ କାର୍‌, ୨ଟି ବାଇକ୍‌, ୫୬ଲକ୍ଷ ଟଙ୍କାର ଜୀବନବୀମା, ଦେଢ଼ କେଜି ସୁନା । ଏହା ବ୍ୟତୀତ ତାଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ବ୍ୟାଙ୍କ୍‌ ଓ ଲକରରେ ଥିବା ସମ୍ପତ୍ତି ଆକଳନ କରିପାରିନି ଭିଜିଲାନ୍ସ । ଆସନ୍ତାକାଲି ତାଙ୍କ ସମ୍ପତ୍ତି ଯାଞ୍ଚ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଥିଲେ । ସବୁଠାରୁ ବଡ଼ କଥା ହେଲା ସେ ତାଙ୍କ ସମ୍ପର୍କୀୟଙ୍କ ନାଁରେ କୋଟି କୋଟି ଟଙ୍କା ସମ୍ପତ୍ତି ରଖିଥିବା ଜଣାପଡିଛି । ସେ କରୋନା ମହାମାରୀ ସମୟରେ ୨ଥର ବିଦେଶ ଗସ୍ତ କରିଥିବାର ପ୍ରମାଣ ମିଳିଛି । ଏଥିସହ ତାଙ୍କ ଘରୁ ବିଡା ବିଡା ବିଦେଶୀ ନୋଟ୍‌ ମଧ୍ୟ ଠାବ କରାଯାଇଛି ।

ଗତ କିଛି ମାସ ତଳେ ଏସ୍‌ଏସ୍‌ସି ମାଧ୍ୟମରେ ଚାକିରି ବିଜ୍ଞାପନ ବାହାରିଥିଲା । ବିରଞ୍ଚି ନାରାୟଣ ସାହୁ ଓ ତାଙ୍କର କିଛି ଖାସ୍‌ ସହଯୋଗୀ ଲକ୍ଷ ଲକ୍ଷ ଟଙ୍କାରେ ଡିଲ୍‌ କରୁଥିଲେ। ହେଲେ ଭିଜିଲାନ୍ସ ଏମାନଙ୍କୁ ଧରିବା ପୂର୍ବରୁ ଖସି ଯାଇଥିଲେ । ସେବେଠାରୁ ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା । ଶୁକ୍ରବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଥିଲା । ହେଲେ ଏତେ ଟଙ୍କା ଓ ସମ୍ପତ୍ତି କେଉଁଠୁ ଆସିଲା ସେ ନେଇ ତଦନ୍ତ ଜାରି ରହିଛି ।


Share It

Comments are closed.