ଛୋଟବେଳୁ ଶିକ୍ଷକଙ୍କ କାହିଁକି ଏତେ ପ୍ରିୟ ଥିଲେ ବିବେକାନନ୍ଦ, ଜାଣନ୍ତୁ


ସ୍ୱାମୀ ବିବେକାନନ୍ଦଙ୍କ ବାଲ୍ୟକାଳରେ ଏକ ଘଟଣା ଘଟିଥିଲା । ସେତେବେଳେ ତାଙ୍କୁ ସମସ୍ତେ ନରେନ୍ଦ୍ର ଡାକୁଥିଲେ । ବାଲ୍ୟ କାଳରୁ ହିଁ ତାଙ୍କ ଠାରେ ଅସାଧାରଣ ପ୍ରତିଭା ଦେଖିବାକୁ ମିଳିଥିଲା । ସ୍ୱାମୀ ବିବେକାନନ୍ଦଙ୍କ କଥା କହିବା ଶୈଳୀରେ ଏତେ ଆକର୍ଷଣ ଥିଲା ଯେ, ସମସ୍ତ ସ୍ରୋତାମାନେ ସହଜରେ ବଶୀଭୂତ ହୋଇପାରୁଥିଲେ । ଦିନେ ସ୍କୁଲରେ ନରେନ୍ଦ୍ର କ୍ଲାସ ବ୍ରେକ ସମୟରେ ତାଙ୍କ ସାଙ୍ଗମାନଙ୍କ ସହ କଥା ହେଉଥିବାବେଳେ ଏହି ମଧ୍ୟରେ ଶିକ୍ଷକ ଶ୍ରେଣୀ କକ୍ଷ ଭିତରକୁ ପଶି ଆସିଥିଲେ ଏବଂ ନିଜ ବିଷୟ ପଢେଇବା ଆରମ୍ଭ କରିଦେଇଥିଲେ । କିନ୍ତୁ ସେତେ ସମୟ ପର୍ଯ୍ୟନ୍ତ ନରେନ୍ଦ୍ରଙ୍କର କଥା ଶୁଣୁଥିବା ଛାତ୍ରମାନେ ଶିକ୍ଷକ ଆସିବାର ଆଭାସ ମଧ୍ୟ ପାଇନଥିଲେ ଏବଂ ନରେନ୍ଦ୍ରଙ୍କ କଥା ଶୁଣି ଚାଲିଥିଲେ ।


କିଛି ସମୟ ପରେ ଶ୍ରେଣୀକକ୍ଷରେ ଶିକ୍ଷକ ଯେତେବେଳେ ଅନୁଭବ କଲେ ଯେ, କିଛି ବିଦ୍ୟାର୍ଥୀ ପରସ୍ପର ମଧ୍ୟରେ କଥାବର୍ତ୍ତା ହେଉଛନ୍ତି ସେତେବେଳେ ସେ ତତକ୍ଷଣାତ ରାଗି ପ୍ରଶ୍ନ କରିଥିଲେ “କ’ଣ ଚାଲୁଛି ? ।” ଜବାବ ନମିଳିବା ପରେ ଶିକ୍ଷକ ଜଣକ ପ୍ରତ୍ୟେକ ଛାତ୍ରମାନଙ୍କୁ ପୁନଃ ପ୍ରଶ୍ନ କରିଥିଲେ “କୁହ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କ’ଣ ପଢେଇଛି ।” କିନ୍ତୁ କେହିବି ଉତ୍ତର ଦେଇପାରନଥିଲେ । ଏହା ପରେ ଯେତେବେଳେ ନରେନ୍ଦ୍ରଙ୍କ ପାଳି ଆସିଥିଲା ସେତେବେଳେ ନରେନ୍ଦ୍ର, ଶିକ୍ଷକ ପଢାଇଥିବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବହିର ସମସ୍ତ ବିଷୟବସ୍ତୁ କହିଦେଇଥିଲେ । ଏହାକୁ ଦେଖି ସମସ୍ତ ଛାତ୍ରମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ କାରଣ ସାଙ୍ଗମାନଙ୍କ ସହ କଥାବାର୍ତ୍ତାରେ ମଗ୍ନ ଥିବା ନରେନ୍ଦ୍ର କିପରି ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଖୁବ ସହଜରେ ଦେଇପାରିଥିଲେ ତାହା ସମସ୍ତଙ୍କୁ ବିସ୍ମିତ କରିଥିଲା । ନରେନ୍ଦ୍ର ସାଙ୍ଗମାନଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ ଶ୍ରେଣୀରେ ଶିକ୍ଷକ ପଢାଉଥିବା ବହିର ସମସ୍ତ ବିଷୟବସ୍ତୁକୁ ମଧ୍ୟ ସେ ଖୁବ ଧ୍ୟାନର ସହକାରେ ଶୁଣୁଥିଲେ ।
ଶିକ୍ଷକ, ନରେନ୍ଦ୍ର ଉତ୍ତରରେ ପ୍ରଭାବିତ ହୋଇଥିବାବେଳେ ଏବଂ ପ୍ରଶ୍ନର ଉତ୍ତର ଦେଇପାରିନଥିବା ସମସ୍ତ ଛାତ୍ରଙ୍କୁ ପଚାରି ଥିଲେ ଯେ, ସେ ପାଠ ପଢାଇବା ସମୟରେ କିଏ କିଏ କଥା ହେଉଥିଲ । ସମସ୍ତେ ନରେନ୍ଦ୍ରଙ୍କ ଆଡକୁ ଇସାରା କରିଥିଲେ । କିନ୍ତୁ ଶିକ୍ଷକଙ୍କୁ ବିଶ୍ୱାସ ହୋଇନଥିଲା । ଶିକ୍ଷକ ନରେନ୍ଦ୍ରଙ୍କୁ ଛାଡି ତାଙ୍କର ସମସ୍ତ ସାଙ୍ଗକୁ ଦଣ୍ଡ ସ୍ୱରୁପ ବେଞ୍ଚରେ କାନ ଧରି ଠିଆ ହେବା ପାଇଁ କହିଥିଲେ । ଏହା ପରେ ନରେନ୍ଦ୍ର ତାଙ୍କ ସାଙ୍ଗମାନଙ୍କ ସହ ମିଶି ନିଜେ ମଧ୍ୟ କାନ ଧରି ବେଞ୍ଚ ଉପରେ ଠିଆ ହୋଇଯାଇଥିଲେ । ଶିକ୍ଷକ ଏହାକୁ ଦେଖି ନରେନ୍ଦ୍ରଙ୍କୁ କହିଥିଲେ ‘ନରେନ୍ଦ୍ର ତୁମେ ଠିକ ଉତ୍ତର ଦେଇଛ, ସେଥିପାଇଁ ତୁମେ ଠିଆ ନହୋଇ ବସି ପଡ । ’ ଏହା ପରେ ନରେନ୍ଦ୍ର କହିଥିଲେ, ‘ଏହା ସତ ମୁଁ ସାଙ୍ଗମାନଙ୍କ ସହ କଥା ହେଉଥିଲି । ’ ନରେନ୍ଦ୍ରଙ୍କର ଏହି ସଚୋଟତା ଏବଂ ମେଧା ପ୍ରତିଭାକୁ ଦେଖି ଶିକ୍ଷକ ଜଣକ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ।


Share It

Comments are closed.