ଆଜି ମୁମ୍ବାଇ – ଚେନ୍ନାଇ ମୁକାବିଲା, ଏବେ ବି ଧୋନି ବାହିନୀ ନିକଟରେ ସୁଯୋଗ


ଚଳିତ ଆଇପିଏଲ୍‌ର ୫୯ତମ ଲିଗ୍‌ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପରକୁ ଭେଟିବେ। ମ୍ୟାଚ୍‌ଟି ସେଭଳି ଗୁରୁତ୍ୱପୂର୍ଣ୍ଣ ନୁହେଁ । ପ୍ଲେ ଅଫ୍‌ ଦୌଡରୁ ବାଦ ପଡ଼ି ସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ କେବଳ ସମ୍ମାନର ସହ ବିଦାୟ ନେବା ପାଇଁ ଲକ୍ଷ୍ୟ ରଖିଛି । ସୁପରକିଙ୍ଗ୍‌ସ ନିକଟରେ ଏବେବି ସୁଯୋଗ ରହିଛି । ହେଲେ ପ୍ଲେ-ଅଫ୍‌ରେ ପହଞ୍ଚିବା ଏତେ ସହଜ ନୁହେଁ ।

ଉଭୟ ସୁପରକିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ସିଜନ ନୈରାଶ୍ୟପୂର୍ଣ୍ଣ ରହିଛି । ଉଭୟ ମୋଟ୍‌ ୯ଟି ଟାଇଟଲ ଜିତି ସାରିଥିଲେ ହେଁ ଏଥର ପଏଣ୍ଟ ତାଲିକାର ନିମ୍ନରେ ରହିଛନ୍ତି । ସୁପରକିଙ୍ଗ୍‌ସ ୧୧ମ୍ୟାଚ୍‌ରୁ ୪ ବିଜୟ ସହ ୮ ପଏଣ୍ଟ ହାସଲ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ମାତ୍ର ୨ଟି ମ୍ୟାଚ୍‌ ଜିତିଛି ।

ଉଭୟ ଦଳ ମଧ୍ୟରେ ଗତ ୨୧ ତାରିଖରେ ପ୍ରଥମ ମୁକାବିଲା ହୋଇଥିଲା । ସୁପରକିଙ୍ଗ୍‌ସ ଉକ୍ତ ମ୍ୟାଚ୍‌କୁ ୩ ୱିକେଟ୍‌ରେ ଜିତିଥିଲା । ଏଥର ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ହେଲେ ଏଥିପାଇଁ ବ୍ୟାଟିଂ ବିଭାଗ ଦାୟିତ୍ୱ ମୁଣ୍ଡାଇବା ଜରୁରି । ସୂର୍ଯ୍ୟକୁମାର ଯାଦବ ଆହତ ହୋଇ ବାଦ ପଡ଼ିଛନ୍ତି । ମଧ୍ୟଭାଗରେ କେବଳ ତିଳକ ବର୍ମାଙ୍କ ପ୍ରଦର୍ଶନ ଉନ୍ନତ ରହିଛି । କିରେନ ପୋଲାର୍ଡଙ୍କ ଫର୍ମ ଦଳକୁ ଚିନ୍ତାରେ ପକାଇଛି ।

ସୁପରକିଙ୍ଗ୍‌ସର ଦୁଇ ଓପନର ଡେଭନ କନୱେ ଓ ଋତୁରାଜ ଗାଏକୱାଡ୍‌ ଫର୍ମ ଫେରି ପାଇଛନ୍ତି । ମଧ୍ୟ ଭାଗରେ ଅମ୍ବାତି ରାୟୁଡୁ, ମୋଇନ ଅଲି ଓ ରବିନ ଉଥପ୍ପାଙ୍କ ପ୍ରଦର୍ଶନ ଭଲ ରହିଛି । କେବଳ ବୋଲିଂ ବିଭାଗକୁ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ହେବ । ରବିନ୍ଦ୍ର ଜାଡେଜା ଆହତ ହୋଇ ବାଦ୍‌ ପଡ଼ିଛନ୍ତି ।

ସୁପରକିଙ୍ଗ୍‌ସ: ଋତୁରାଜ ଗାଏକୱାଡ୍‌, ଡେଭନ କନୱେ, ରବିନ ଉଥପ୍ପା, ଅମ୍ବାତି ରାୟୁଡୁ, ମୋଇନ ଅଲି, ଶିବମ ଦୁବେ, ମହେନ୍ଦ୍ର ସିଂ ଧୋନି(ଅଧିନାୟକ), ଡ୍ୱେନ ପ୍ରିଟୋରିୟସ, ସିମରଜିତ ସିଂହ, ମହିଶ ତୀକ୍ଷଣା, ମୁକେଶ ଚୌଧୁରୀ ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ, ଡିୱାଲ୍ଡ ବ୍ରେଭିସ, ତିଳକ ବର୍ମା, କିରେନ ପୋଲାର୍ଡ, ଟିମ ଡେଭିଡ୍‌, ଡାନିଏଲ ସାମକ୍ସ, ମୁରୁଗାନ ଅଶ୍ୱିନ, କୁମାର କାର୍ତ୍ତିକେୟ, ଜଶପ୍ରୀତ ବୁମରା, ଜୟଦେବ ଉନାକାତ ।


Share It

Comments are closed.