ଭାରତ ବ୍ୟତୀତ ଏହି ସବୁ ଦେଶରେ ମଧ୍ୟ ପାଳିତ ହୁଏ ‘ହୋଲି’, ଜାଣନ୍ତୁ ସେଠାକାର ପରମ୍ପରା


ଭାରତରେ ୨୯ ମାର୍ଚ୍ଚ ସୋମବାର ରଙ୍ଗର ପର୍ବ ହୋଲି ପାଳିତ ହେବ। ଏହି ଉତ୍ସବର ଇତିହାସ ଓ ପରମ୍ପରା ଆଜିକାଲିର ନୁହେଁ । ହଜାର ହଜାର ବର୍ଷରୁ ଭାରତରେ ଏହି ଉତ୍ସବ ପାଳିତ ହୋଇ ଆସୁଛି। ଭାରତରେ ଏହି ଉତ୍ସବ ଲାଗି ୧୫ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୁଏ। ଯାହା ଏବେ କେତେକ ସ୍ଥାନରେ ଆରମ୍ଭ ମଧ୍ୟ ହୋଇଗଲାଣି। ତେବେ କେବଳ ଭାରତ ନୁହେଁ ପଡୋଶୀ ପାକିସ୍ତାନ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ମରିସସ ଆଦିରେ ମଧ୍ୟ ଭାରତୀୟ ପରମ୍ପରା ଅନୁରୂପ ହୋଲି ଉତ୍ସବ ପାଳିତ ହୁଏ। ତେବେ ଆସନ୍ତୁ ଜାଣିବା ଏହି ସବୁ ଦେଶମାନଙ୍କରେ କିପରି ପାଳିତ ହୁଏ ହୋଲି।

ନେପାଳରେ ରଙ୍ଗର ଉତ୍ସବ ହୋଲି ଲାଗି ରାଜଧାନୀ କାଠମାଣ୍ଡୁରେ ପ୍ରାଚୀନ ଦରବାର ଓ ନାରାୟଣୀ ହିଟି ଦରବାରରେ ବାଉଁଶ ସ୍ତମ୍ବ ଲଗାଇ ହୋଲି ଆଗମନର ସୂଚନା ଦିଆଯାଏ। ସେହିପରି ପାକିସ୍ତାନ ଓ ବାଂଲାଦେଶରେ ଭାରତ ଅନୁକରଣରେ ହୋଲି ଅନୁଷ୍ଠିତ ହୁଏ। ଏକଦା ଏହି ଦୁଇ ଦେଶ ଭାରତ ଅନ୍ତର୍ଗତ ଥିଲେ। ଏଣୁ ଏକପ୍ରକାର ଲୋକପରମ୍ପରା ଓ ଚଳଣୀରେ ହୋଲି ପାଳିତ ହୁଏ ।

ବିଦେଶରେ ବେଲଜିୟମ ଭାରତୀୟଙ୍କ ଦେଖାଦେଖି ହୋଲି ପାଳନ କରନ୍ତି। ଏଠାରେ ଭାରତୀୟଙ୍କ ଭଳି ଫଗୁରେ ହୋଲି ଖେଳାଯିବା ସହ ଦିନଟିକୁ ‘ଫୁଲସ ଡେ’ ଭାବେ ପାଳନ କରାଯାଏ। ଲୋକେ ପରସ୍ପରକୁ ବୋକା ବନେଇ ବେଶ୍ ହସଖୁସି କରନ୍ତି ଓ ପୁରୁଣା ଜୋତା ଜଳାଇ ଉତ୍ସବ ପାଳନ କରନ୍ତି। ଥାଇଲ୍ୟାଣ୍ଡ ମଧ୍ୟ ଭାରତ ଭଳି ହୋଲି ପାଳିତ ହୁଏ ହେଲେ ଏଠାରେ ରଙ୍ଗରେ ହୋଲି ଅନୁଷ୍ଠିତ ହୁଏନି। ଏଠାରେ ବୌଦ୍ଧ ସନ୍ୟାସୀଙ୍କ ହାତରେ ଅତର ମିସା ଜଳ ଦେଇ ଲୋକେ ଆଶିର୍ବିଦା ଭିକ୍ଷା କରନ୍ତି। ମରିସସରେ ମଧ୍ୟ ଭାରତୀୟ ପରମ୍ପରା ପ୍ରଚଳିତ। ଏଠାରେ ଲୋକେ ପରସ୍ପରକୁ ଫଗୁ ଓ ଅବିର ବୋଲି ପରସ୍ପରକୁ ଅଭିନନ୍ଦନ ଜଣାନ୍ତି। ଏହା ଛଡା ଭାରତୀୟମାନେ ବିଭିନ୍ନ ଦେଶରେ ଅବସ୍ଥାନ କରୁଥିବାରୁ ସେଠାରେ ମଧ୍ୟ ପାରମ୍ପରିକ ହର୍ଷୋଲ୍ଲାସରେ ହୋଲି ପାଳିତ ହୁଏ।


Share It

Comments are closed.