ରୋଗୀଙ୍କୁ ୧ କି.ମି ଷ୍ଟ୍ରେଚରରେ ବୋହି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ଅନେକ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ୱେ ମଧ୍ୟ ଅସହାୟ ରୋଗୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ପୁଣିଥରେ ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଘଟଣାନୁଯାୟୀ ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ମାସିନି ସବର ନାମକ ଜଣେ ୫୦ ବର୍ଷିୟ ମହିଳା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକ ରାଜ୍ୟ ସରକାରଙ୍କର ଦ୍ୱାରା ପରିଚାଳିତ ମାଗଣା ଜରୁରୀକାଳୀନ ୧୦୮ ଆମ୍ବୁଲାନ୍ସ ସେବା ସହ ଯୋଗାଯୋଗ କରିଥିଲେ । ଖବର ପାଇ ୧୦୮ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳକୁ ବାହାରିଯାଇଥିଲେ ମଧ୍ୟ ଅତ୍ୟନ୍ତ ଶୋଚନୀୟ ରାସ୍ତା ପାଇଁ ଆମ୍ବୁଲାନ୍ସଟି ଗାଁଠାରୁ ୧କି.ମି ଦୂରରେ ଅଟକିରହିଥିଲା । ଏହାପରେ ଆମ୍ବୁଲାନ୍ସ କର୍ମଚାରୀ ଯେପରିକି କୃଷ୍ଣଚନ୍ଦ୍ର ନାୟକ, ଉଦୟନାଥ ପାଇକ ଏବଂ ସହାୟକ ଦୀପକ ମାଳବିଶୋଇ ନିଜର ମାନବିକତା ଦେଖାଇ ଷ୍ଟ୍ରେଚରନେଇ ରୋଗୀ ନିକଟରେ ପହଂଚିଥିଲେ । ଘରଠାରୁ ୧ କି.ମି ପର୍ଯ୍ୟନ୍ତ ଖରାପ ରାସ୍ତାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ମହିଳାଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିଆଣିଥିଲେ । ଏହାପରେ ମହିଳାଜଣଙ୍କୁ ଆମ୍ବୁଲାନ୍ସରେ ଚନ୍ଦ୍ରଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏହିଭଳି ମାନବିକତା ଦେଖି ସ୍ଥାନୀୟଲୋକମାନେ ସେମାନଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । କେବଳ ଏତିକି ନୁହେଁ, ଆଗରୁ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ଯେପରିକି ଫନିପରି ସାମୁଦ୍ରିକ ଝଡ଼ ସମୟରେ ମଧ୍ୟ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜ ଜୀବନକୁ ପାଥେୟକରି ଅନେକ ଜୀବନ ବଂଚାଇବାର ନଜିର ରହିଛି । ଠିକ୍ ସେହିପରି ରୋଗୀକୁ ରକ୍ତ ଦାନକରି ହେଉ କିମ୍ବା ରୋଗୀଙ୍କୁ ସେମାନଙ୍କର ବହୁମୁଲ୍ୟ ଜିନିଷ ଫେରାଇ ହେଉ କିମ୍ବା ରୋଗୀଙ୍କୁ ଷ୍ଟ୍ରେଚରରେ କାନ୍ଧରେ ବୋହି ନିଜର ମାନବିକତା ଦେଖାଇଛନ୍ତି ଏହି ୧୦୮ ଆମ୍ବୁଲାନ୍ସର କର୍ମଚାରୀମାନେ ।


Share It

Comments are closed.