ଗର୍ଭବତୀ ମହିଳାଙ୍କୁ ୨ କି.ମି ଷ୍ଟ୍ରେଚରରେ ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ରାୟଗଡା : ଖରାପ ରାସ୍ତା ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସ ନଯାଇପାରିବା ବର୍ତମାନ ଏକ ସାଧାରଣ ଘଟଣା ହୋଇଗଲାଣି । ଯାହାଫଳରେ ରୋଗୀଙ୍କୁ ନାହିଁ ନଥିଲା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ବର୍ତମାନ ସମାନ ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ । ରାୟଗଡା ଜିଲ୍ଲାସ୍ଥିତ କାଶୀପୁରବ୍ଲକ ଅନ୍ତର୍ଗତ ଜଣେ ଗର୍ଭବତୀ ମହିଳାଙ୍କୁ ୨ କି.ମି ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୋହି ଆଣିଛନ୍ତି ୧୦୮ ଆମ୍ବୁଲାନ୍ସର କର୍ମଚାରୀ ।
ମିଳିଥିବା ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲାସ୍ଥିତ କାଶୀପୁରବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମର ଲମ୍ବୁଧର ଗୌଡଙ୍କ ପତ୍ନୀ କୁନ୍ତଳା ଗୌଡ(୧୯) ଗର୍ଭବତୀ ଥିଲେ । ଶନିବାର ଦିନ ହଠାତ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା, ଯାହା ଫଳରେ ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇବା କଲ ସାରି ଫେରୁଥିବା ଏକ ୧୦୮ ଆମ୍ବୁଲାନ୍ସ ତୁରନ୍ତ ସିନ୍ଧିଗୁଡା ଗ୍ରାମ ଅଭିମୁଖେ ବାହାରିଯାଇଥିଲା । ଗ୍ରାମ ଭିତରକୁ ଯିବାକୁ ପକ୍କା ରାସ୍ତାର ଅଭାବ କାରଣରୁ ଆମ୍ବୁଲାନ୍ସଟି ରୋଗୀଙ୍କ ଘରଠାରୁ ପ୍ରାୟ ୨ କି.ମି ଦୂରରେ ଅଟକି ରହିଯାଇଥିଲା । ଏହା ପରେ ୧୦୮ ଆମ୍ବୁଲାନ୍ସର କ୍ରିୟୁ ମେମ୍ବର ପରିଖିତ ନାୟକ ୨ କି.ମି ଦୂରରେ ନିଜ ଆମ୍ବୁଲାନ୍ସ ଗାଡିକୁ ରଖି ଉକ୍ତ ମହିଳାଙ୍କୁ ଆଣିବା ପାଇଁ ଷ୍ଟ୍ରେଚର ଧରି ବାହାରି ପଡିଥିଲେ ।
ତାଙ୍କୁ ଘରୁ ଆମ୍ବୁଲାନ୍ସ ନିକଟକୁ ଆଣୁଥିବାବେଳେ ପାଖାପାଖି ୪୦୦ ମିଟର ପୂର୍ବରୁ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତାଙ୍କ ସହ ଆସୁଥିବା ସ୍ଥାନୀୟ ଆଶା ଦିଦି ଏଥିରେ ସହାୟତା କରିଥିଲେ । ଏହାପରେ ଉକ୍ତ ମହିଳା ଏବଂ ଶିଶୁ କନ୍ୟାକୁ ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ତୁରନ୍ତ ନିକଟସ୍ଥ ପିଏଚସି ନିୟୁ ଡଙ୍ଗାସିଲିରେ ଭର୍ତ୍ତି କରାଇଥିଲେ । ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଏଭଳି କର୍ତବ୍ୟପରାୟଣତାକୁ ଅଂଚଳବାସୀ ବେଶ ପ୍ରଶଂସା କରିଛନ୍ତି ।


Share It

Comments are closed.