TSAF’s Asmita Dorjee Triumphs, Summits Mt. Everest


 

ସହାୟକ ଅକ୍ସିଜେନ ବିନା ମାଉଂଟ୍ ଏଭରେଷ୍ଟ୍ ଆରୋହଣ ପାଇଁ ଏହା ଅସ୍ମିତାଙ୍କ ଦ୍ୱିତୀୟ ଉଦ୍ୟମ ଥିଲା
ସେ ହେଉଛନ୍ତି ମାଉଂଟ୍ ଏଭରେଷ୍ଟ୍ ଆରୋହଣ କରିଥିବା ପ୍ରଥମ ଭାରତୀୟ ବଚ୍ଛେନ୍ଦ୍ରୀ ପାଲ୍‌ଙ୍କ ପୋଷ୍ୟ

ଭୁବନେଶ୍ୱର : ବିଶିଷ୍ଟ ପର୍ବତାରୋହୀ ତଥା ଟାଟା ଷ୍ଟିଲ୍ ଆଡ୍‌ଭେଂଚର ଫାଉଣ୍ଡେସନ୍ (ଟିଏସ୍‌ଏଏଫ୍‌)ର ବରିଷ୍ଠ ଇନଷ୍ଟ୍ରକ୍ଟର ଅସ୍ମିତା ଦୋର୍ଜି (୩୯) ୨୦୨୩ ମେ’ ୨୩ର ସକାଳ ପ୍ରହରରେ ସଫଳତାର ସହ ମାଉଂଟ୍ ଏଭରେଷ୍ଟ ଆରୋହଣ କରିଛନ୍ତି । ଯଦିଓ ପ୍ରାରମ୍ଭରୁ ସହାୟକ ଅକ୍ସିଜେନ୍ ବ୍ୟବହାର କରିବାକୁ ସେ ଚାହୁଁନଥିଲେ, ମାତ୍ର ସ୍ୱାସ୍ଥ୍ୟ ସମସ୍ୟା ପାଇଁ କ୍ୟାମ୍ପ ୪ (୮୦୦୦ ମିଟର ଉଚ୍ଚତା)ରୁ ତାଙ୍କୁ ତାହା ବ୍ୟବହାର କରିବାକୁ ପଡ଼ିଥିଲା । ପତଳା ପବନ, ବାୟୁର ଅଧିକ ବେଗ ଓ ଅତ୍ୟଧିକ ଥଣ୍ଡା ଭଳି ଆହ୍ୱାନପୂର୍ଣ୍ଣ ସ୍ଥିତି ପାଇଁ ବହୁ କମ୍ ଲୋକ ଏହି ସଫଳତା ପାଇଛନ୍ତି ।

ଚଳିତ ବର୍ଷ ଏପ୍ରିଲ୍‌ରେ ସେ ନିଜର ଯାତ୍ରା ଆରମ୍ଭ କରି ଖୁମ୍ବୁ ଅଂଚଳରେ ଆଠ ଦିନ ପର୍ବତ ଆରୋହଣ କରିବା ପରେ ଏପ୍ରିଲ୍ ୧୪ରେ ଅସ୍ମିତା ଏଭରେଷ୍ଟ୍ ବେସ୍ କ୍ୟାମ୍ପ୍‌ରେ ପହଂଚିଥିଲେ । ମେ’ ୧୮ରୁ ଅସ୍ମିତା ନିଜର ଚୂଡ଼ାନ୍ତ ଆରୋହଣ ଆରମ୍ଭ କରି ବିପଦଜ୍ଜନକ ଖୁମ୍ବୁ ବରଫପାତକୁ ଅତିକ୍ରମ କରିଥିଲେ ଏବଂ ମେ’ ୧୯ରେ କ୍ୟାମ୍ପ୍ ୨ରେ ପହଂଚିଥିଲେ । ମେ’ ୨୨ରେ ରାତି ୧୦ଟାରେ ସେ ନିଜର ଚୂଡ଼ାନ୍ତ ଯାତ୍ରା ଆରମ୍ଭ କରିଥିଲେ ଏବଂ ମେ’ ୨୩ର ସକାଳ ୮ଟା ୨୦ ମିନିଟ୍‌ରେ ସମିଟ୍‌ରେ ସଫଳତାର ସହ ପହଂଚିଥିଲେ । ଏବେ ସେ ବେସ୍ କ୍ୟାମ୍ପ୍ ଆଡ଼କୁ ଖସୁଛନ୍ତି । ଅସ୍ମିତାଙ୍କ ସହ ରହିଥିଲେ ନେପାଳର ବେଶ ଅଭିଜ୍ଞ ସେର୍‌ପା ମାର୍ଗଦର୍ଶକ (ଗାଇଡ୍‌) ଲଖ୍‌ଫା ନୁରୁ ।

ଟାଟା ଷ୍ଟିଲ୍ ଆଡଭେଂଚର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଓ ଟାଟା ଷ୍ଟିଲ୍‌ର ଉପସଭାପତି (କର୍ପୋରେଟ୍ ସେବା) ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ଅସ୍ମିତା ଓ ସମଗ୍ର ଟିଏସ୍‌ଏଫ୍ ଟିମ୍ ପାଇଁ ଏହା ହେଉଛି ଏକ ଐତିହାସିକ ମୁହୂର୍ତ । ସାତ ଦଶନ୍ଧି ପୂର୍ବେ ପ୍ରଥମେ ଏଡ୍‌ମଣ୍ଡ୍ ହିଲାରି ଓ ତେଜିଙ୍ଗ ନୋରଗେ ମାଉଂଟ୍ ଏଭରେଷ୍ଟ୍ ଆରୋହଣ କରିଥିବା ପରେ ଏହା ସମଗ୍ର ବିଶ୍ୱର ସୌକିନ ଓ ପେସାଦାର ପର୍ବତାରୋହଣକାରୀମାନଙ୍କ ଲାଗି ସବୁଠୁ ଆହ୍ୱାନପୂର୍ଣ୍ଣ କ୍ରୀଡ଼ା ଓ ଉଭୟ ଶାରିରୀକ ଓ ମାନସିକ ସହନଶୀଳତାର ସବୁଠୁ କଷ୍ଟକର ପରୀକ୍ଷା ହୋଇରହିଥିଲା । ଗତବର୍ଷ ବିନା ସହାୟକ ଅକ୍ସିଜେନ୍‌ରେ ସମିଟ୍‌ରେ ପହଂଚିବାର ୧୦୦ ମିଟର ପୂର୍ବରୁ ପଡ଼ିଯିବା ସତ୍ୱେ ହାରିନଥିବା ଅସ୍ମିତାଙ୍କୁ ନେଇ ଆମେ ଗର୍ବିତ । ଅସ୍ମିତାଙ୍କ ସଫଳତା ଭାରତର ଇତିହାସ ଓ ମାଉଂଟ୍ ଏଭରେଷ୍ଟ ସହିତ ଟିଏସ୍‌ଏଏଫ୍‌ର ଉଦ୍ୟମରେ ଆଜି ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛି । କେବଳ ରୋମାଂଚଭରା କ୍ରୀଡ଼ାର ପ୍ରସାର ନୁହେଁ ବରଂ ଏକ ସୁସ୍ଥକର ରାଷ୍ଟ୍ର ସୃଷ୍ଟି କରିବା ଲକ୍ଷ୍ୟ ନେଇ ମୋର ବିଶ୍ୱାସ ରହିଛି ଯେ ଆମେ ଅସ୍ମିତାଙ୍କ ଭଳି ଆହୁରି ବହୁ ଚାମ୍ପିଆନ୍‌ଙ୍କୁ ପ୍ରସ୍ତୁତ କରିପାରିବୁ ।’’

ବର୍ଷକ ପୂର୍ବରୁ ୨୦୨୨ ମେ’ ୧୩ରେ ବିନା ସହାୟକ ଅକ୍ସିଜେନ୍‌ରେ ଅସ୍ମିତା ବିଶ୍ୱର ସର୍ବୋଚ୍ଚ ପର୍ବତକୁ ଆରୋହଣ କରିବା ଲାଗି ଉଦ୍ୟମ କରିଥିଲେ ଯାହା ବର୍ଷୀୟାନ ଆରୋହଣକାରୀଙ୍କ ପାଇଁ ମଧ୍ୟ ଏକ ବିରଳ ସଫଳତା ଭାବେ ଗଣା ହେଉଛି । ସେ ମାଉଂଟ୍ ମାନାସ୍‌ଲୁ (୮୧୬୩ ମିଟର)କୁ ମଧ୍ୟ ୨୦୨୨ ସେପ୍ଟେମ୍ବର ୩୦ରେ ବିନା ସହାୟକ ଅକ୍ସିଜେନ୍‌ରେ ଆରୋହଣ କରିଥିଲେ ଏବଂ ଏଭଳି ସଫଳତା ପାଇବାରେ ସେଥିଲେ ଦ୍ୱିତୀୟ ଭାରତୀୟ ମହିଳା ।

ଏଭରେଷ୍ଟ ଅଂଚଳରେ ନମାଚି ବଜାର ଉପରେ ଥିବା ଏକ ଛୋଟ ଗ୍ରାମ ଥେସୁରେ ଏକ ସେର୍‌ପା ପରିବାରରେ ଜନ୍ମ ଗ୍ରହଣ କରିଥିବା ଅସ୍ମିତା ଦୋର୍ଜି ୧୯୮୪ରେ ମାଉଂଟ୍ ଏଭରେଷ୍ଟରେ ନିଜ ବାପା ଅଙ୍ଗ ଦୋର୍ଜିଙ୍କୁ ହରାଇବା ପରେ ସେହି ପର୍ବତକୁ ଆରୋହଣ କରିବାକୁ ନିଜ ଜୀବନର ଲକ୍ଷ୍ୟରେ ପରିଣତ କରିଥିଲେ । ୧୯୮୪ରେ ବଚ୍ଛେନ୍ଦ୍ରୀ ପାଲ୍ ମାଉଂଟ୍ ଏଭରେଷ୍ଟ ଆରୋହଣ କରିବା ବେଳେ ତାଙ୍କ ବାପା ବଚ୍ଛେନ୍ଦ୍ରୀଙ୍କ ସେର୍‌ପା ଥିଲେ । ମାଉଂଟ୍ ଏଭରେଷ୍ଟ୍ ସମିଟ୍‌ରେ ପହଂଚିବାରେ ପ୍ରଥମ ଭାରତୀୟ ମହିଳାଙ୍କୁ ବୁଝିବା ଲାଗି ଅସ୍ମିତା ୨୦୦୧ରେ ମୌଳିକ ପର୍ବତାରୋହଣ ପାଠ୍ୟକ୍ରମ ହାସଲ କରିଥିଲେ ଏବଂ ତା’ ପରେ ୨୦୦୩ରେ ଆଡ୍‌ଭାନ୍ସଡ୍ ମାଉଟେଂନିୟରିଂ (ଉନ୍ନତ ପର୍ବତାରୋହଣ) ପାଠ୍ୟକ୍ରମ ପଢ଼ିଥିଲେ । ତା’ ପରଠାରୁ ସେ ଟିଏସ୍‌ଏଏଫ୍‌ରେ ଇନଷ୍ଟ୍ରକ୍ଟର ଭାବେ କାର୍ଯ୍ୟ କରି ବାହ୍ୟ ଲିଡରସିପ୍ ପାଠ୍ୟକ୍ରମ ଓ ପର୍ବତାରୋହଣ ଆୟୋଜନ କରୁଥିଲେ ।

୬୦୦୦ରୁ ଅଧିକ ମିଟରର ୮ରୁ ଅଧିକ ଗିରିଶୃଙ୍ଗକୁ ଅସ୍ମିତା ଆରୋହଣ କରିଛନ୍ତି । ସେ ସଫଳତାର ସହ ମାଉଂଟ୍‌ସତୋପନ୍ଥ (୭,୦୭୫ ମିଟର), ମାଉଂଟ୍ ଧରମସୁର (୬,୪୨୦ ମିଟର), ମାଉଂଟ୍ ଗଙ୍ଗୋତ୍ରୀ ୧ (୬,୧୨୦ ମିଟର), ମାଉଂଟ୍ ଷ୍ଟକ୍ କାଙ୍ଗ୍ରି (୬୦୭୦ ମିଟର), ମାଉଂଟ୍ କାଙ୍ଗ ୟାଟ୍‌ସି ୨ (୬,୨୭୦ ମିଟର), ମାଉଂଟ୍ ଡୋଜୋ ଜୋଙ୍ଗୋ (୬,୨୪୦ ମିଟର)କୁ ଆରୋହଣ କରିଛନ୍ତି । ସେ ଶୀତଦିନେ ମାଉଂଟ୍ ୟୁଟି କାଙ୍ଗରି (୬୦୩୦ ମିଟର)କୁ ଆରୋହଣ କରିଥିଲେ ।

ଏହି ଆରୋହଣଗୁଡ଼ିକ ତାଙ୍କ ପର୍ବତାରୋହଣ ଯାତ୍ରାର ମୂଳଦୁଆ ସାବ୍ୟସ୍ତ ହୋଇଥିଲା । ଶୀର୍ଷ ଶୃଙ୍ଗ (ସମିଟ୍‌)ରେ ପହଂଚିବା ଲାଗି ବହୁ ପ୍ରସ୍ତୁତି ଦରକାର ହୁଏ ଯାହାକୁ ସେ ୨୦୧୯ ଏପ୍ରିଲ୍‌ରୁ ଆରମ୍ଭ କରିଥିଲେ । ଗତ ତିନି ବର୍ଷ ହେଲାଣି ତାଙ୍କୁ ତାଲିମ ଦିଆଯାଉଥିଲା ଯେଉଁଥିରେ ତାଙ୍କ ଦୃଢ଼ତା, ସହନଶୀଳତା ଓ ଶକ୍ତିରେ ଉନ୍ନତି ଆଣିବାରେ ଗୁରୁତ୍ୱ ଦିଆଯାଉଥିଲା । ତାଙ୍କ ତାଲିମର ଅଂଶ ସ୍ୱରୂପ ସେ ବିଭିନ୍ନ ୬୦୦୦ ମିଟର ଓ ୭୦୦୦ ମିଟର ଗିରିଶୃଙ୍ଗ ଆରୋହଣ କରିଥିଲେ ଏବଂ ତା’ ବାଦ ଲମ୍ବା ଦୂରତା ପର୍ଯ୍ୟନ୍ତ ସାଇକେଲ୍ ଚଲାଉଥିଲେ ଏବଂ ଦୌଡ଼ୁଥିଲେ । ଜାମସେଦପୁରର ଉତରକାଶି ଓ ଡାଲମା ପାହାଡ଼ରେ ଥିବା ଟିଏସ୍‌ଏଏଫ୍‌ର ବେସ୍ କ୍ୟାମ୍ପ୍‌ରେ ସେ ବହୁ ପର୍ବତାରୋହଣ କରିଥିଲେ । ତାଙ୍କ ପ୍ରସ୍ତୁତିରେ ଟିଏସ୍‌ଏଫ୍‌ର ଅନ୍ୟ ଏଭରେଷ୍ଟ ଆରୋହଣକାରୀଙ୍କ ଅଭିଜ୍ଞତା ଓ ଶିକ୍ଷା ବେଶ ସହାୟକ ହୋଇଥିଲା ।


Share It

Comments are closed.