ବିଲେଇ ପାଇଁ ୧୦୦ କୋଟିର କ୍ଷତି


ପୁନେକୁ ଲାଗି ଥିବା ପିମ୍ପରି ଚିଞ୍ଚୱଡ଼ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ବିଲେଇ ଯୋଗୁ ୮ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ଠପ୍‌ ହୋଇଗଲା । ଏଥିପାଇଁ ପ୍ରାୟ ୧୦୦ କୋଟି ଟଙ୍କାର କ୍ଷତି ହୋଇଛି । ବିଲେଇଟି ପିମ୍ପରି ଚିଞ୍ଚୱଡ଼ର ମହାପରେଶନ୍‌ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର୍‌ ଭିତରେ ଫସି ରହିଥିଲା । ସେଥିପାଇଁ ଉକ୍ତ ଅଞ୍ଚଳ ବାସିନ୍ଦା ଭୀଷଣ ଗରମରେ ୮ ଘଣ୍ଟା ଧରି ବିନା ବିଜୁଳିରେ ରହିବାକୁ ବାଧ୍ୟ ହେଲେ ।

ପିମ୍ପରି ଦେଶର ସବୁଠୁ ବଡ଼ ଅଟୋମୋବାଇଲ୍‌ ପେଣ୍ଠସ୍ଥଳୀ ଭାବେ ପରିଚିତ । ଏ ଅଞ୍ଚଳର ଏମ୍‌ଆଇଡିସିରେ ଅନେକ ବଡ଼ କମ୍ପାନି ରହିଛି । ପ୍ରାୟ ୭୫୦୦ ପ୍ରଡକ୍ସନ୍‌ ୟୁନିଟ୍‌ ପିମ୍ପରି ଚିଞ୍ଚୱଡ଼ ମହାନଗର ନିଗମ କ୍ଷେତ୍ରରେ ଅବସ୍ଥିତ । ଏହି ସ୍ଥିତିରେ ପାୱାର୍‌ କଟ୍‌ ଯୋଗୁ ଅଧିକାଂଶ ୟୁନିଟ୍‌ରେ ୮ ଘଣ୍ଟା ଧରି ଉତ୍ପାଦନ ପୂରାପୂରି ଠପ୍‌ ହୋଇଗଲା । ଏହା ଦ୍ୱାରା ଉଦ୍ୟୋଗ ଜଗତକୁ ହାରାହାରି ୧୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ଅନୁମାନ କରାଯାଉଛି । ବିଲେଇକୁ ବାହାର କରି ପୁଣି ବିଜୁଳି ଚାଲୁ କରିବାରେ ମହାପରେଶନ୍‌ ଅଧିକାରୀଙ୍କୁ ଖୁବ୍‌ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ପିମ୍ପରିର ଭୋସରିରେ ମହାପରେଶନ୍‌ କମ୍ପାନିର ହାଇ ଭୋଲ୍ଟେଜ୍‌ ୨୨୦ କେଭି ସବ୍‌ଷ୍ଟେସନ୍‌ରେ ୧୦୦ ଏମ୍‌ଭିଏ କ୍ଷମତାର ବିଜୁଳି ଟ୍ରାନ୍ସଫର୍ମର ଗତ ବୁଧବାର ସକାଳ ୬ଟାରେ ଖରାପ ହୋଇଯାଇଥିଲା । ଫଳରେ ଏହି ଟ୍ରାନ୍ସଫର୍ମର୍‌ର ୧୦ ବିଦ୍ୟୁତ୍‌ ଲାଇନ୍‌ କାଟି ଦିଆଯାଇଥିଲା । ଭୋସରି ଏମ୍‌ଆଇଡିସି ପରିସର ସମେତ ପ୍ରାୟ ୪୫୦୦ ଔଦ୍ୟୋଗିକ ସଂସ୍ଥାରୁ ବିଜୁଳି ବିଚ୍ଛିନ୍ନ ହୋଇଥିଲା । ଏଥିସହ ହଜାର ହଜାର ଗ୍ରାହକଙ୍କ ମଧ୍ୟ ପାୱାର୍‌ କଟ୍‌ର ସମ୍ମୁଖୀନ ହୋଇଥିଲେ ।


Share It

Comments are closed.