ଭୋଟିଂ ସେଣ୍ଟର ବାହାରେ ଆତ୍ମଘାତୀ ବିସ୍ଫୋରଣ : ମହିଳା ସାଂସଦଙ୍କ ସମେତ ୪୮ ମୃତ, ୧୦୮ ଆହତ


ସୋମାଲିଆର ଭୋଟିଂ ସେଣ୍ଟରରେ ଦୁଇ ଦୁଇଟି ଆତ୍ମଘାତୀ ବିସ୍ଫୋରଣ। ଜଣେ ମହିଳା ସାଂସଦଙ୍କ ସମେତ ୪୮ ମୃତ। ସୋମାଲିଆର ରାଜଧାନୀ ମୋଗାଦିଶୁର ହିରେନ ଅଞ୍ଚଳର ବେଲେଡବେୟନ କସବେରେ ଏହି ଆକ୍ରମଣ ହୋଇଛି। ମୃତକ ମହିଳା ସାଂସଦ ଜଣଙ୍କ ହେଉଛନ୍ତି ଅମୀନ ମହମ୍ମଦ ଅବ୍ଦୀ। ତେବେ ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ପଛରେ ସୋମାଲିଆର ବିଦ୍ରୋହୀ ସମୂହ ଅଲ-ଶବାବର ହାତ ରହିଥିବା ହୀରଶାବେଲେର ଗଭର୍ଣ୍ଣର ଅଲ୍ଲୀ ଗୁଦଲାୱେ କହିଛନ୍ତି।

ଏହି ଆତ୍ମଘାତୀ ଆକ୍ରମଣରେ ୪୮ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକ ସାଧାରଣ ନାଗରିକ ଅଛନ୍ତି। ସେହିପରି ୧୦୮ ଜଣ ଆହତ ହୋଇଛନ୍ତି। ବିରୋଧୀ ସାଂସଦଙ୍କୁ ଟାର୍ଗେଟ୍ କରି ଏହି ବୋମା ବିସ୍ଫୋରଣ ହୋଇଛି। ପ୍ରଥମ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ସମୟରେ ଆଉ ଏକ ବିସ୍ଫୋରଣ ହୋଇଥିଲା।

ସୋମାଲିଆରେ ଏବେ ସଂସଦୀୟ ନିର୍ବାଚନ ଚାଲିଛି। ନିମ୍ନ ସଦନ ପାଇଁ ୨୭୫ଟି ଆସନରେ ନିର୍ବାଚନ ହେବ। ଏହାପରେ ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚିତ ହେବେ। ତେବେ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ଏହି ଆତ୍ମଘାତୀ ଆକ୍ରମଣ କରାଯାଇଥିବା ପ୍ରଧାନମନ୍ତ୍ରୀ ମହମ୍ମଦ ହୁସୈନ କହିଛନ୍ତି।


Share It

Comments are closed.