ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲା ବୟଫ୍ରେଣ୍ଡ, ରାଜି ନହେବାରୁ ପ୍ରେମିକାକୁ ୪ ମହଲାରୁ ଠେଲି କଲା ହତ୍ୟା


ମନରୁ ଲିଭିନି ଶ୍ରଦ୍ଧା ଓ୍ବାଲକରଙ୍କ ଭୟାନକ ହତ୍ୟାକାଣ୍ଡ । ପ୍ରେମିକାକୁ ହତ୍ୟାକରି ମୃତଦେହକୁ ୩୫ ଖଣ୍ଡ କରିଥିଲା ଅଭିଯୁକ୍ତ ପ୍ରେମିକ ଆଫତାବ ଅମିନ୍‌ । ଯାହାକି ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଘଟଣାକୁ ମାତ୍ର କେଇ ଦିନ ହୋଇଛି କି ନାହିଁ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ପୁଣି ଆସିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ । ୧୯ ବର୍ଷୀୟା ଯୁବତୀଙ୍କୁ ୪ ମହଲା ଛାତରୁ ଠେଲି ହତ୍ୟାକରିଛି ଜଣେ ଯୁବକ । ପ୍ରଥମେ ବଚସା ପରେ ଏଭଳି ନାରକୀୟ କାଣ୍ଡ ଘଟାଇଛି ଅଭିଯୁକ୍ତ । ମୃତକ ଯୁବତୀ ନିଧି ଗୁପ୍ତା ବୋଲି ଜଣାପଡିଛି ।

ଗୁରୁତର ଅବସ୍ଥାରେ ନିଧିଙ୍କୁ କିଙ୍ଗ ଜର୍ଜ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ନିଧିଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ତାଙ୍କ ପୁରୁଷ ବନ୍ଧୁ ମହମ୍ମଦ ସୁଫିୟାନ୍‌ ନାଁ’ ରେ ମାମଲା ରୁଜୁ ହୋଇଛି । ଘଟଣା ପରେ ଅଭିଯୁକ୍ତ ମହମ୍ମଦ ଫେରାର ଥିବା ଜଣାପଡିଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ସିଏନ୍‌ ସିହ୍ନା । ନିଧିଙ୍କ ପରିବାର ଲୋକଙ୍କ ଅଭିଯୋଗ ଯେ, ଝିଅ ନିଧିର ପୁରୁଷ ବନ୍ଧୁ ମହମ୍ମଦ ସୁଫିୟାନ୍ ତାକୁ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ଚାପ ପକାଉଥିଲା । କିନ୍ତୁ ଏଥିରେ ରାଜି ନଥିଲେ ନିଧି । ଯେଉଁଥି ପାଇଁକି ତାଙ୍କୁ ଛାତ ଉପରୁ ଠେଲି ହତ୍ୟା କରିଛି । ତେବେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି ।

ଘଟଣାକୁ ନେଇ ଲକ୍ଷ୍ନୌ ଅତିରିକ୍ତ ଡିସିପି ସିଏନ୍‌ ସିହ୍ନା କହିଛନ୍ତି, ଲଭ୍‌ ଜିହାଦକୁ ନେଇ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ପ୍ରମାଣ ମିଳିନାହିଁ। ତଦନ୍ତ ଜାରି ରହିଛି । ନିଧିଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିଲା କି ନାହିଁ ତାହାର ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ଗିରଫ କରାଯିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।


Share It

Comments are closed.