ପ୍ରଥମ ତ୍ରୈମାସିକରେ ମଜବୁତ ସ୍ଥିତିରେ ଆନ୍ତର୍ଜାତୀୟ ସୁନା ଚାହିଦା


ଭୁବନେଶ୍ୱର : ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ସଦ୍ୟ ପ୍ରକାଶିତ କ୍ୟୁ୧ ୨୦୨୪ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟ ଅନୁଯାୟୀ ବିଶ୍ୱର ମୋଟ ସୁନା ଚାହିଦା ବାର୍ଷିକ ୩% ହାରରେ ବୃଦ୍ଧି ହୋଇ ୧୨୩୮ ଟନ୍‌ରେ ପହଂଚିଛି ଯାହା ୨୦୧୬ ପରଠାରୁ ସବୁଠାରୁ ଭଲ ସ୍ଥିତିରେ ରହିଛି । ଓଟିସିକୁ ବାଦ୍ ଦେଲେ ଚାହିଦା ୨୦୨୩ର ସମାନ ଅବଧି ତୁଳନାରେ ୨୦୨୪ର ପ୍ରଥମ ତ୍ରୈମାସିକରେ ୫% ହ୍ରାସ ହୋଇ ୧୧୦୨ ଟନ୍ ରହିଛି । ଓଟିସି ବଜାରରୁ ଉତମ ନିବେଶ, କେନ୍ଦ୍ରୀୟ ବ୍ୟାଙ୍କର ନିରନ୍ତର କ୍ରୟ ଓ ଏସିଆର ଗ୍ରାହକଙ୍କଠାରୁ ଉଚ୍ଚ ଚାହିଦା ସୁନା ମୂଲ୍ୟକୁ ତ୍ରୈମାସିକ ଆଧାରରେ ହାରାହାରି ୨୦୭୦ / ଓଜେଡ୍‌ରେ ପହଂଚାଇବାରେ ସାହାଯ୍ୟ କରିଛି ଯାହା ବାର୍ଷିକ ଆଧାରରେ ୧୦% ଅଧିକ ଓ ତ୍ରୈମାସିକ ଆଧାରରେ ୫% ଅଧିକ ଅଟେ । କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସୁନା କିଣିବା ଜାରି ରଖିଛନ୍ତି, ଯାହା ଏହି ତ୍ରୈମାସିକରେ ଅଫିସିଆଲ ଗ୍ଲୋବାଲ ହୋଲ୍ଡିଂରେ ୨୯୦ ଟନ୍ ବୃଦ୍ଧି କରିଛି । ବଜାର ଅସ୍ଥିରତା ଓ ବଢୁଥିବା ବିପଦ ମଧ୍ୟରେ ସରକାରୀ କ୍ଷେତ୍ରଗୁଡିକ ଦ୍ୱାରା କ୍ରମାଗତ ଓ ଅଧିକ କ୍ରୟ ଇଂଟରନ୍ୟାଶନାଲ ରିଜର୍ଭ ପୋର୍ଟଫୋଲିଓରେ ସୁନାର ମହତ୍ୱକୁ ଆଲୋକପାତ କରୁଛି ।
ନିବେଶ ଚାହିଦା ଦୃଷ୍ଟିରୁ ବାର୍ ଓ କଏନ ନିବେଶ ବାର୍ଷିକ ଆଧାରରେ ୩% ବୃଦ୍ଧି ପାଇଛି, ଯାହାକି ୨୦୨୩ର ୪ର୍ଥ ତ୍ରୈମାସିକରୁ ୩୧୨ ଟନ୍‌ରେ ସ୍ଥିର ରହିଛି । ରେକର୍ଡ ଉଚ୍ଚ ଦର ସତ୍ୱେ ସୁନା ଅଳଙ୍କାର ଚାହିଦା ସ୍ଥିର ରହିଛି, ଏହା ବାର୍ଷିକ ଆଧାରରେ କେବଳ ୨% ହ୍ରାସ ହୋଇଛି । ଏସିଆ ତୁଳନାରେ ଉଭୟ ୟୁରୋପ ଓ ଉତର ଆମେରିକାରେ ସୁନା ଚାହିଦା ହ୍ରାସ ପାଇଛି । ୨୦୨୪ର ୧ମ ତ୍ରୈମାସିକରେ ଭାରତରେ ଗୋଲ୍ଡ ବାର ଓ କଏନ୍‌ର ଚାହିଦାରେ ମଧ୍ୟ ସୁସ୍ଥ ବୃଦ୍ଧି ପରିଲକ୍ଷିତ ହୋଇଥିଲା, ଯାହା ୪୧ ଟନ୍‌ରେ ବାର୍ଷିକ ଆଧାରରେ ୧୯% ବୃଦ୍ଧି ହୋଇଛି । ସୁନା ଇଟିଏଫ୍‌ରେ ମଧ୍ୟ ୨ ଟନରୁ ଅଧିକ ନିବେଶ ଦେଖିବାକୁ ମିଳିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ୧ମ ତ୍ରୈମାସିକ ସମୟରେ ଏହାର ସୁନା ଭଣ୍ଡାରରେ ୧୯ ଟନ୍ ବୃଦ୍ଧି କରିଥିଲା, ଯାହା ଗତ ବର୍ଷର ବାର୍ଷିକ ୧୬ ଟନ୍‌ର ଶୁଦ୍ଧ କ୍ରୟକୁ ଅତିକ୍ରମ କରିଛି । ଯୋଗାଣ କ୍ଷେତ୍ରରେ ଖଣି ଉତ୍ପାଦନ ପ୍ରଥମ ତ୍ରୈମାସିକରେ ବାର୍ଷିକ ଆଧାରରେ ୪% ବୃଦ୍ଧି ହୋଇ ୮୯୩ ଟନ୍ ରହିଛି । ରିସାଇକ୍ଲିଙ୍ଗ ମଧ୍ୟ ୨୦୨୦ର ୩ୟ ତ୍ରୈମାସିକ ପରଠାରୁ ସର୍ବୋଚ୍ଚ ସ୍ତରରେ ପହଂଚିଛି, ଯାହା ବାର୍ଷିକ ଆଧାରରେ ୧୨% ବୃଦ୍ଧି ସହ ୩୫୧ ଟନ୍ ରହିଛି ।
ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ବରିଷ୍ଠ ବଜାର ବିଶ୍ଳେଷଣ ଲୁଇସି ଷ୍ଟ୍ରିଟ୍ କହିଛନ୍ତି, “ଏକ ଶକ୍ତିଶାଳୀ ୟୁଏସ୍ ଡଲାର ଓ ସୁଧହାରର ପାରମ୍ପରିକ ପ୍ରତିକୂଳ ପରିସ୍ଥିତି ସତ୍ୱେ ମାର୍ଚ୍ଚ ପରଠାରୁ ସୁନା ମୂଲ୍ୟ ସର୍ବୋଚ୍ଚ ସ୍ତ୍ରରକୁ ବୃଦ୍ଧି ପାଇଛି ଯାହା ‘ ଦୀର୍ଘ ସମୟ ପାଇଁ ଉଚ୍ଚ ସ୍ତରରେ’ ରହିବ ବୋଲି ପ୍ରମାଣିତ ହୋଇଛି । ସଦ୍ୟତମ ବୃଦ୍ଧି ପଛରେ ଅନେକ କାରକ ରହିଛି ଯେଉଁଥିରେ ଭୂରାଜନୈତିକ ବିପଦର ପ୍ରତିକୂଳ ସ୍ଥିତି ଓ ଜାରି ରହିଥିବା ମାଇକ୍ରୋଇକୋନୋମିକ ଅନିଶ୍ଚିତତା ଆଦି ସାମିଲ ରହିଛି ଯାହା ସୁନା ପାଇଁ ସୁରକ୍ଷିତ ଚାହିଦାକୁ ପରିଚାଳନା କରୁଛି । କେନ୍ଦ୍ରୀୟ ବ୍ୟାଙ୍କଗୁଡିକରୁ ନିରନ୍ତର ଓ ମଜବୁତ ଚାହିଦା, ଦୃଢ ଓଟିସି ନିବେଶ ଓ ମୂଳ ବଜାରଗୁଡିକରେ ଶୁଦ୍ଧ କ୍ରୟରେ ବୃଦ୍ଧି ଆଦି ସୁନାର ଉଚ୍ଚ ଦରରେ ଯୋଗଦାନ ଦେଇଛନ୍ତି ।
ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ, ଇଣ୍ଡିଆ, ରିଜିଓନାଲ ସିଇଓ ସଚିନ ଜୈନ କହିଛନ୍ତି, “୨୦୨୪ର ୧ମ ତ୍ରୈମାସିକରେ ଭାରତର ମୋଟ ସୁନା ଚାହିଦା ୨୦୨୩ର ୧ମ ତ୍ରୈମାସିକର ୧୨୬.୩ ଟନ୍ ତୁଳନାରେ ୮% ବୃଦ୍ଧି ହୋଇ ୧୩୬.୭ ଟନ୍ ରହିଥିଲା । ସୁନା ଅଳଙ୍କାର ଚାହିଦା ୯୫ ଟନ ଥିଲା ଯାହା ୨୦୨୩ର ୧ମ ତ୍ରୈମାସିକ ତୁଳନାରେ ୪% ଅଧିକ ଥିଲା । ତ୍ରୈମାସିକ ଶେଷ ହେବାରୁ ବିକ୍ରିରେ ମାନ୍ଦାବସ୍ଥା କାରଣରୁ ଗତ ମାର୍ଚ୍ଚରେ ସୁନା ଦର ରେକର୍ଡ ଉଚ୍ଚ ସ୍ତରରେ ପହଂଚିଥିଲେ ମଧ୍ୟ ଭାରତର ନିରନ୍ତର ମଜବୁତ ମାକ୍ରୋଇକୋନୋମିକ ପରିବେଶ ସୁନା ଅଳଙ୍କାର ଉପଯୋଗ ପାଇଁ ସହାୟକ ହୋଇଛି ।”

 


Share It

Comments are closed.