ନାଗରିକଙ୍କ ସମସ୍ୟାକୁ ପ୍ରଭାବଶାଳୀ ଢ଼ଙ୍ଗରେ ସରକାରଙ୍କ ଆଗରେ ଉପସ୍ଥାପନ କରିବା ଆମର ଦାୟିତ୍ୱ -ଧର୍ମେନ୍ଦ୍ର ପ୍ରଧାନ


ଢ଼େଙ୍କାନାଳ, – ସେବା, ସଂଗଠନ, ସମ୍ପର୍କ ଓ ସଂଘର୍ଷ ଆଧାରରେ କାର୍ଯ୍ୟକର୍ତାମାନେ ପରିଶ୍ରମ କରି ଲୋକମାନଙ୍କ ସହ ଯୋଡ଼ିହୋଇ ସମ୍ପର୍କ ସ୍ଥାପନ କରିବା ଉଚିତ୍ । କେବଳ ବିଧାୟକ ଏବଂ ସାଂସଦ ହେବା ପାଇଁ ନୁହେଁ ବରଂ ପ୍ରତିଟି ନାଗରିକଙ୍କ ମୌଳିକ ଓ ଅନ୍ୟାନ୍ୟ ସମସ୍ୟାକୁ ପ୍ରଭାବଶାଳୀ ଢ଼ଙ୍ଗରେ ସରକାରଙ୍କ ପାଖରେ ଉପସ୍ଥାପନ କରିବା ହିଁ ଆମର ଲକ୍ଷ୍ୟ ହେବା ଦରକାର ବୋଲି ବୁଧବାର ଢ଼େଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତା ମାନଙ୍କୁ ବୁଥ ସ୍ତରର ସମିତିକୁ ‘ନରେନ୍ଦ୍ର ମୋଦି ମିତ୍ର ମଣ୍ଡଳି\’ ନାଁରେ ନାମିତ କରି ଏହାକୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହ ଏହି ମଣ୍ଡଳି ମାଧ୍ୟମରେ କାର୍ଯ୍ୟକର୍ତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ଜନଜାଗରଣରେ ପରିଣତ କରିବା ପାଇଁ ସେ ଆହ୍ୱାନ କରିଛନ୍ତି । ବର୍ତମାନ ଟେକ୍ନୋଲୋଜି ଲୋକଙ୍କ ସହ ଯୋଡ଼ିହେବାର ନୂଆ ମାଧ୍ୟମ ହୋଇଛି । ସାମାଜିକ ଗଣମାଧ୍ୟମ ଜରିଆରେ ଯୋଡ଼ିହୋଇ ଲୋକଙ୍କ ସେବା କରିବା ତଥା ମୋଦି ସରକାରଙ୍କ ସବକା ସାଥ୍‌, ସବକା ବିକାଶ, ଏବଂ ସବକା ବିଶ୍ୱାସ ମନ୍ତ୍ରରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ କାମ କରିବାକୁ ସମସ୍ତ କାର୍ଯ୍ୟକର୍ତାଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
ଭାରତ ସରକାର ଢ଼େଙ୍କାନାଳ ଜିଲ୍ଲାକୁ ପ୍ରଧାନ୍ୟ ଦେଇ ବିଭିନ୍ନ ପ୍ରକାର ସହୟତା ପ୍ରଦାନ କରିଛନ୍ତି । ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଜିଲ୍ଲାରେ ୬୯୦.୬୨ କୋଟି ଟଙ୍କା ବ୍ୟୟରେ ୫୯,୫୧୨ ଟି ଗୃହ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ଅଧୀନରେ ୬୧.୧୫ କୋଟି ଟଙ୍କା ଖର୍ଚ୍ଚରେ ୧୮୮୮ ଘର ନିର୍ମାଣ କରାଯାଇଛି । ସୌଭାଗ୍ୟ ଯୋଜନା ଅନ୍ତର୍ଗତ ୩ ଲକ୍ଷ ୬ ହଜାର ୩୦ଟି ଘରକୁ ବିଜୁଳି ସଂଯୋଗ କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୧.୮୯ ଲକ୍ଷ ଏଲପିଜି ସଂଯୋଗୀକରଣ କରାଯାଇଛି । ଜିଲ୍ଲାରେ ଚାଷୀଙ୍କୁ ୧ ଲକ୍ଷ ୫ ହଜାର ୧୧୫ ସଏଲ ହେଲଥ୍ କାର୍ଡ ପ୍ରଦାନ କରାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନକୁ ଶତପ୍ରତିଶତ କାର୍ଯ୍ୟକାରୀ କରାଯାଇ ୨ ଲକ୍ଷ ୭୨ ହଜାର ୫୬୪ଟି ଶୌଚାଳୟ ନିର୍ମାଣ କରାଯାଇଛି । ଏହି ସବୁ କଥାକୁ ଘରେ ଘରେ ପହଁଚାଇବା ପାଇଁ ପଡ଼ିବ ।
ଏହି ଭର୍ଚୁଆଲ ବୈଠକରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ସଭାପତି ନରେଶ ମହାପାତ୍ର, ଜିଲ୍ଲା ପ୍ରଭାରୀ ପ୍ରଭାତି ପରିଡା, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ଉପସଭାପତି ରାମକୃଷ୍ଣ ପାତ୍ର, ସାଧାରଣ ସମ୍ପାଦକ ସୁନିଲ ଶର୍ମା, ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ ଗୋଚ୍ଛାୟତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପାତ୍ର, ଶତ୍ରୁଘ୍ନ ଜେନା, ଅଶୋକ ନାୟକ, ନିରୋଜ ମୋହିନୀ ମାଲିକ, ବ୍ୟାସବିହାରୀ ବେହେରା, ରତିକାନ୍ତ ସାହୁ, ବିଭୁତି ପ୍ରଧାନ ତଥା ବିଭିନ୍ନ ମଣ୍ଡଳିର କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


Share It

Comments are closed.