ଜଣେ ଦିନ ମଜୁରିଆଙ୍କ ପୁଅରୁ ଭାରତୀୟ ଦଳରେ ସାମିଲ ପର୍ଯ୍ୟନ୍ତ କିପରି ଥିଲା ୟର୍କର ସ୍ପେଶାଲିଷ୍ଟ ନଟରାଜନଙ୍କ ଯାତ୍ରା, ଜାଣନ୍ତୁ


‘ସ୍ୱପ୍ନକୁ ପିଛା କର, ଏହା ସତରେ ପରିଣତ ହୁଏ’ ଏକଥା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ବିଦାୟୀ ଟେଷ୍ଟରେ କହିଥିଲେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର । ୨୦୧୩ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ସେ ଶେଷ ଟେଷ୍ଟ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ପୂର୍ଣ୍ଣଛେଦ ପକାଇଥିଲେ । ସଚିନଙ୍କ ଏହି ବାକ୍ୟ ଅନେକ ଭାରତୀୟ କ୍ରିକେଟରଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ସତ ପ୍ରମାଣିତ ହୋଇଛି । ଯେଉଁମାନେ ରାତାରାତି ଷ୍ଟାର୍‌ ପାଲଟି ଯାଇଥିଲେ । ତାମିଲନାଡ଼ୁର ପ୍ରତିଭାବାନ ପେସ୍‌ ବୋଲର ଟି. ନଟରାଜନଙ୍କ ପାଇଁ ମଧ୍ୟ ଏହି ବାକ୍ୟ ସତରେ ପରିଣତ ହୋଇଛି । ନେଟ୍‌ ବୋଲରରୁ ରାତାରାତି ହିରୋ ପାଲଟି ଯାଇଛନ୍ତି ନଟରାଜନ । ତାଙ୍କ କ୍ରିକେଟ୍‌ ଯାତ୍ରା ଏକ କାହାଣୀଠୁ କମ୍‌ ନୁହେଁ ।

ତାମିଲନାଡୁର ସଲିମ ସହରର ଏକ ଗରିବ ପରିବାରରେ ନଟରାଜନଙ୍କ ଜନ୍ମ । ତାଙ୍କ ବାପା ଜଣେ ଦିନ ମଜୁରିଆ । କିନ୍ତୁ ଆଇପିଏଲ୍‌ ତାଙ୍କ ଭାଗ୍ୟ ବଦଳାଇ ଦେଇଛି । ଆଇପିଏଲ୍‌-୧୩ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳି ପ୍ରଭାବୀ ପ୍ରଦର୍ଶନ କରିଥିଲେ ନଟରାଜନ । ଏହାପରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ ଭାରତୀୟ ଦଳର ୪ଜଣିଆ ନେଟ୍‌ ବୋଲରଙ୍କ ମଧ୍ୟରେ ତାଙ୍କୁ ସ୍ଥାନ ମିଳିଥିଲା । ଟି-ଟ୍ୱେଣ୍ଟି ଦଳରେ ଯାଦୁକରୀ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ପ୍ରଥମ ଥର ସୁଯୋଗ ମିଳିଥିଲା । କିନ୍ତୁ ଆହତ ସମସ୍ୟା ଯୋଗୁ ସେ ଓହରିଯାଇଥିଲେ । ଏହା ନଟରାଜନଙ୍କ ପାଇଁ ଆଶୀର୍ବାଦ ପାଲଟି ଯାଇଥିଲା । ତାଙ୍କୁ ଦଳରେ ସୁଯୋଗ ମିଳିଲା । ସେହିପରି ପେସ୍‌ ବୋଲର ନବଦୀପ ସାଇନିଙ୍କ ଆହତ ସମସ୍ୟା ଯୋଗୁ ନଟରାଜନଙ୍କୁ ଦିନିକିଆ ଦଳରେ ବ୍ୟାକ୍‌ ଅପ୍‌ ବୋଲର ଭାବେ ସ୍ଥାନ ମିଳିଥିଲା ।

ପ୍ରଥମ ୨ଟି ଦିନିକିଆରେ ପରାଜିତ ହୋଇ ଭାରତ ସିରିଜ୍‌ ହାତଛଡ଼ା କରିସାରିଥିଲା । ତୃତୀୟ ଦିନିକିଆରେ ନଟରାଜନଙ୍କୁ ଅନ୍ତର୍ଜାତୀୟ ପଦାର୍ପଣ ସୁଯୋଗ ମିଳିଥିଲା । ଏହି ମ୍ୟାଚ୍‌ରେ ସେ (୭୦ ରନ୍‌) ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୨ଟି ମୂଲ୍ୟବାନ ୱିକେଟ୍‌ ନେଇଥିଲେ । ଭାରତ ଏହି ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ସହ କ୍ଲିନ୍‌ସୁଇପ୍‌ ଏଡ଼ାଇବାରେ ସଫଳ ହୋଇଥିଲା । ଏଇଠୁ ଆରମ୍ଭ ହୋଇଥିଲା ନଟରାଜନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ ଯାତ୍ରା ।

ଏହାପରେ ଟି-ଟ୍ୱେଣ୍ଟି ସିରିଜ୍‌ରେ ସେ ପାଲଟି ଯାଇଥିଲେ ଷ୍ଟାର୍‌ ବୋଲର । ବଲ୍‌ରେ ବେଗ, ଘାତକ ୟର୍କର ଓ ବୋଲିଂରେ ବିଭିନ୍ନତା ତାଙ୍କୁ ନୂଆ ପରିଚୟ ଦେଇଥିଲା । ସେ ଭାରତକୁ ଟି-ଟ୍ୱେଣ୍ଟି ସିରିଜ୍‌ ବିଜୟ ଦେବାରେ ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ । ଭାରତ ୨-୧ରେ ସିରିଜ୍‌ ବିଜୟୀ ହୋଇଥିବାବେଳେ ନଟରାଜନ ସର୍ବାଧିକ ୬ଟି ୱିକେଟ୍‌ ଅକ୍ତିଆର କରିଥିଲେ ।

ଭାରତୀୟ ଦଳରେ ଦୀର୍ଘଦିନ ଧରି ଜଣେ ବାମହାତୀ ପେସ୍‌ ବୋଲରଙ୍କ ଅଭାବ ରହିଥିଲା । ନଟରାଜନ ଏହି ସ୍ଥାନ ପୂରଣ କରିଛନ୍ତି । ସେ ଷ୍ଟାର୍‌ ପେସ୍‌ ବୋଲର ଜଶପ୍ରୀତ୍‌ ବୁମ୍‌ରାଙ୍କ ଭଳି ଘାତକ ୟର୍କର ପକାଇବାରେ ସିଦ୍ଧହସ୍ତ । ତାଙ୍କ ବୋଲିଂରେ ଅନେକ ପୂର୍ବତନ ବୋଲର ପ୍ରଭାବିତ ହୋଇପଡ଼ିଛନ୍ତି । ତାଙ୍କୁ ପୂର୍ବତନ ପେସ୍‌ ବୋଲର ଜାହିର ଖାନ୍‌ଙ୍କ ସହ ଅନେକ ତୁଳନା କରିବାକୁ ପଛାଇ ନାହାନ୍ତି । ସୂଚନାଯୋଗ୍ୟ, ଆଇପିଏଲ୍‌-୧୩ରେ ନଟରାଜନ ୧୬ଟି ୱିକେଟ୍‌ ଅକ୍ତିଆର କରିଥିଲେ ।


Share It

Comments are closed.