ପନ୍ତଙ୍କ ଦୁର୍ଘଟଣା ପରେ ଧାୱନଙ୍କ ସହ ଏକ ପୁରୁଣା ଭିଡିଓ ହେଉଛି ଭାଇରାଲ, ଦେଖନ୍ତୁ


ଏକ କାର ଦୁର୍ଘଟଣାରେ ଆଜି (ଶୁକ୍ରବାର) ସକାଳେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର ଆହତ (Rishabh Pant Injured) ହୋଇଛନ୍ତି । ଦିଲ୍ଲୀ-ଦେହରାଡୁନ୍ ରାଜପଥରେ ଋଷଭ ପନ୍ତ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଋଷଭ ପନ୍ତ ଦିଲ୍ଲୀରୁ ଋଡ଼କୀସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଡିଭାଇଡରକୁ ଯାଇ ଧକ୍କା ଲାଗିବା ପରେ ତାଙ୍କ କାର ଓଲଟି ପଡିଥିଲା ଓ କାରରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର୍ ପାଉଁଶ ହୋଇଯାଇଥିଲା । ଋଷଭ ପନ୍ତ (Rishabh Pant) କହିଛନ୍ତି ଯେ, ତାଙ୍କର ଆଖି ଲାଗିଯାଇଥିବା କାରଣରୁ ସେ କାର ଉପରେ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି ଓଲଟି ପଡିଥିଲା ।

କିନ୍ତୁ ଯଦି ୨୫ ବର୍ଷିୟ ଋଷଭ ପନ୍ତ (Rishabh Pant) ତାଙ୍କର ଜଣେ ସିନିୟର ଖେଳାଳି ବ୍ୟକ୍ତିଙ୍କ କଥା ଶୁଣିଥାନ୍ତେ, ତେବେ ତାଙ୍କୁ ଆଜି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ି ନଥାନ୍ତା । ଋଷଭ ପନ୍ତଙ୍କୁ ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (Shikhar Dhawan) ଧୀରେ ଗାଡ଼ି ଚଳାଇବାକୁ ପରାମର୍ଶ ଦେଇଥିଲେ । ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ଶିଖର ଧାୱନ ଓ ଋଷଭ ପନ୍ତଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନ ଲୋକମାନେ କହୁଛନ୍ତି ଯେ ସିନିୟରଙ୍କ ପରାମର୍ଶକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ଏହି ଭିଡିଓଟି ୧୧ ସେକେଣ୍ଡର ରହିଛି । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଋଷଭ ପନ୍ତ ଓ ଶିଖର ଧାୱନ ଏକାଠି ଖେଳିସାରିଛନ୍ତି । ଭିଡିଓରେ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଜର୍ସିରେ ନଜରକୁ ଆସିଛନ୍ତି ଓ ଏକ ଗେମ୍ ଖେଳୁଥିବାର ଦେଖିବାକୁ ମିଳୁଛି । କ୍ୟାମେରା ଆଗରେ ଋଷଭ ପନ୍ତ ଶିଖର ଧାୱନଙ୍କୁ କୁହନ୍ତି ଯେ ଗୋଟିଏ ଉପଦେଶ, ଯାହା ଆପଣ ମୋତେ ଦେବାକୁ ଚାହୁଁଛନ୍ତି । ଶିଖର ଧାୱନ ଜବାବରେ କହିଛନ୍ତି ଯେ, ‘ଗାଡ଼ି ଆରାମରେ ଚଲାନ୍ତୁ…’ ଏହା ପରେ ଦୁହେଁ ହସିବାକୁ ଲାଗିଲେ । ତା’ପରେ ପନ୍ତ କୁହନ୍ତି, ‘ଠିକ ଅଛି, ମୁଁ ଆପଣଙ୍କର ପରାମର୍ଶ ଗ୍ରହଣ କଲି ଓ ବର୍ତ୍ତମାନ ମୁଁ ଆରାମରେ କାର ଚଳାଇବି ।’ ଏଠାରେ କହି ରଖୁଛୁ ଯେ, ହରିଦ୍ୱାର ଏସଏସପି ଅଜୟ କୁମାରଙ୍କ ଅନୁଯାୟୀ କାରରେ ଦୁର୍ଘଟଣା ଘଟିଥିବା ବେଳେ ହରିୟାଣା ରୋଡୱେ ବସ୍ ଋଷଭ ପନ୍ତଙ୍କ ପଛରେ ଥିଲା । ଡ୍ରାଇଭର ସୁଶୀଲ କୁମାର କାର ଦୁର୍ଘଟଣା ଦେଖିବା ପରେ ବସକୁ ଅଟକାଇ ୧୧୨ ନମ୍ବରକୁ କଲ କରି ସୂଚନା ଦେଇଥିଲେ । ଏହା ପରେ ଋଷଭ ପନ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା ।


Share It

Comments are closed.