ସହିଦଙ୍କୁ ସମ୍ମାନ ଦେବାକୁ ଯାଇ କ୍ରିକେଟ ଆସୋସିଏସନ ଏବଂ କ୍ଲବ ନେଲେ ଏହି ବଡ ପଦକ୍ଷେପ


ଗତ ୧୪ ଫେବୃଆରୀରେ ଜାମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଦେଶର ୪୦ରୁ ଉଦ୍ଧ୍ୱର୍ ଯବାନ ସହିଦ ହୋଇଥିବାବେଳେ ଅନେକ ଯବାନ ମଧ୍ୟ ଗୁରୁତର ଭାବେ ଆହାତ ହୋଇଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ଯୋଗୁଁ ସାରା ଦେଶ ବର୍ତ୍ତମାନ ଶୋକରେ ବୁଡି ରହିଛି ।
ସେପଟେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ଅନେକ ପ୍ରତିକ୍ରିୟା ମିଳୁଥିବାବେଳେ ଏଥିରୁ ବାଦ ପଡି ନାହିଁ ଭାରତୀୟ କ୍ରିକେଟ ଜଗତ ।

ଏହି ଘଟଣାକୁ ନେଇ ରାଜସ୍ଥାନ କ୍ରିକେଟ ଆସୋସିଏସନ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ସହିଦଙ୍କୁ ସମ୍ମାନ ଦେବାକୁ ଯାଇ ମାନସିଂହ ଷ୍ଟାଡିୟମରେ ରଖାଯାଇଥିବା ପାକିସ୍ତାନୀ ଖେଳାଳୀଙ୍କ ସମସ୍ତ ଫଟୋକୁ ଖୋଲି ଦିଆଯାଇଛି । ପୂର୍ବରୁ ମୋହାଲି କ୍ରିକେଟ ଆସୋସିଏସନ ଏହା କରିଥିବାବେଳେ ବର୍ତ୍ତମାନ ରାଜସ୍ଥାନ କ୍ରିକେଟ ଆସୋସିଏସନ ଏହି ପଦକ୍ଷେପ ଗ୍ରହଣ କରିଛି ।

ଆସୋସିଏସନ ପକ୍ଷରୁ ସହିଦଙ୍କୁ ସମ୍ମାନ ଏବଂ ପାକିସ୍ତାନ ବିରୋଧରେ ନିଜର ଆକ୍ରୋଶ ଜାହିର କରିବାକୁ ଯାଇ ଫଟୋ ଗ୍ୟାଲେରୀରେ ଉପସ୍ଥିତ ଥିବା ସମସ୍ତ ପାକିସ୍ତାନୀ ଖେଳାଳୀଙ୍କ ଫଟୋକୁ କାଢି ଦିଆଯାଇଛି ।
ଅନ୍ୟପଟେ କ୍ରିକେଟ କ୍ଲବ ଅଫ ଇଣ୍ଡିଆ ଏହି ଆତଙ୍କବାଦୀ ଆକ୍ରମଣକୁ ଦୃଢ ବିରୋଧ କରିବାକୁ ଯାଇ କ୍ଲବରେ ଲାଗିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚିତ୍ର ଉପରେ ଧଳା କନା ଗୁଡାଇ ଦେଇଛନ୍ତି । କ୍ରିକେଟ କ୍ଲବ ଅଫ ଇଣ୍ଡିଆରେ ସାରା ବିଶ୍ୱର ମହାନ ଖେଳାଳୀଙ୍କ ଚିତ୍ର ରହିଛି । ଏଠାରେ ୧୯୯୨ରେ ବିଶ୍ୱକପ ବିଜେତା ପାକିସ୍ତାନର ପୂର୍ବତ୍ତନ ଅଧିନାୟକ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚିତ୍ର ମଧ୍ୟ ରହିଛି, ଯାହାକୁ ବର୍ତ୍ତମାନ ଧଳା କନାରେ ଘୋଡାଇ ଦିଆଯାଇଛି ।


Share It

Comments are closed.