ରୋହିତଙ୍କୁ ଅଧିନାୟକ କରିବାର କୌଣସି ଆବଶ୍ୟକତା ନାହିଁ, କିଛି ଏପରି କହିଲେ ଲକ୍ଷ୍ମଣ


ସୀମିତ ଓଭର କ୍ରିକେଟ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିବା ପରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯିବା ନେଇ ମତ ପ୍ରକାଶ ପାଇଥିଲା । ମାତ୍ର ଏହାକୁ ସମର୍ଥନ କରୁ ନାହାନ୍ତି ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ।

ଲକ୍ଷ୍ମଣ କହିଛନ୍ତି, କୋହଲିଙ୍କ ପରିବର୍ତ୍ତେ ସୀମିତ ଓଭର କ୍ରିକେଟ୍‌ରେ ରୋହିତଙ୍କୁ ଅଧିନାୟକ କରାଯିବାର କୌଣସି ଆବଶ୍ୟକତା ନାହିଁ । ରୋହିତ ଯେଉଁଭଳି ବ୍ୟାଟ୍ସମ୍ୟାନ ସେ ଟେଷ୍ଟ ଦଳରେ ନିୟମିତ ସଦସ୍ୟ ହୋଇ ରହିବା ଉଚିତ । ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ରୋହିତ ଜଣେ ଭଲ ଅଧିନାୟକ । କୋହଲିଙ୍କ ଅନୁପସ୍ଥିତିରେ ଯେତେବେଳେ ବି ସେ ନେତୃତ୍ୱ ନେଇଛନ୍ତି ସଫଳ ହୋଇଛନ୍ତି ।’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟେ ଫ୍ରାଞ୍ଚାଇଜକୁ ୫ଟି ଟାଇଟଲ ଜିତାଇବା ସହଜ କଥା ନୁହଁ । ଯେଉଁଭଳି ଭାବେ ସେ ମୁମ୍ବାଇ ଦଳ ଗଢ଼ିଛନ୍ତି ଏବଂ ଜଟିଳ ସ୍ଥିତିରେ ଦଳକୁ ପରିଚାଳନା କରିଛନ୍ତି ତାହା ପ୍ରଶଂସନୀୟ । ଟିମ୍‌ ଇଣ୍ଡିଆର ଅଧିନାୟକ ହେବା ପାଇଁ ତାଙ୍କର ଯଥେଷ୍ଟ ଯୋଗ୍ୟତା ରହିଛି । ମାତ୍ର ଏବେ ଦଳରେ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ନାହିଁ । କୋହଲି ଦଳକୁ ବହୁ ସଫଳତା ଦେଇଛନ୍ତି ଏବଂ ଏବେବି ଭଲ କରୁଛନ୍ତି । ଦଳରେ ଏବେ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ମୋତେ କାହିଁ ଲାଗୁ ନାହିଁ ।’

ରୋହିତଙ୍କ ଉପରେ ଲିଖିତ ଜୀବନୀ ପୁସ୍ତକ ‘ ଦ ହିଟମ୍ୟାନ: ଦ ରୋହିତ ଶର୍ମା ଷ୍ଟୋରୀ’ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ଲକ୍ଷ୍ମଣ ଏହି କଥା କହିଛନ୍ତି । ପୁସ୍ତକଟିକୁ ଲେଖିଛନ୍ତି ବିଜୟ ଲୋକପାଳ ଓ ଜି. କ୍ରିଷ୍ଣନ । କାର୍ଯ୍ୟକ୍ରମ ଭର୍ଚୁଆଲରେ ଆୟୋଜିତ ହୋଇଥିଲା । ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ । ସେ କହିଥିଲେ, ଯେତେବେଳେ ବି ସମୟ ଆସିବ ରୋହିତ ନେତୃତ୍ୱ ଦାୟିତ୍ୱ ନେବାକୁ ପ୍ରସ୍ତୁତ ହୋଇ ରହିବା ଦରକାର ।’


Share It

Comments are closed.