ପୂର୍ବତନ କ୍ରିକେଟର ଇରଫାନ୍ ପଠାନଙ୍କୁ ବିମାନବନ୍ଦରରେ ଖରାପ ବ୍ୟବହାର


ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ ଓ ତାଙ୍କ ପରିବାର ଲୋକଙ୍କୁ ବିମାନବନ୍ଦରରେ ହେବାକୁ ପଡିଛି ହଟହଟା । ଏସିଆ କପ୍ ପାଇଁ ଇରଫାନ୍‌ ପରିବାର ସହ ବିଦେଶ ଯାତ୍ରା କରୁଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ତାଙ୍କ ସହ ହୋଇଛି ଖରାପ ବ୍ୟବହାର। ଇରଫାନ୍‌ ଓ ତାଙ୍କ ପରିବରକୁ ଭିସ୍ତାରାର ଚେକ-ଇନ୍ କାଉଣ୍ଟରରେ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଠିଆ ହେବାକୁ ପଡିଥିଲା। ଏ ସମ୍ପର୍କରେ ନିଜେ ଇରଫାନ୍‌ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ଇରଫାନଙ୍କ ପୋଷ୍ଟ ଅନୁସାରେ, ସେ ବୁଧବାର ଅର୍ଥାତ ୨୪ଅଗଷ୍ଟରେ ନିଜ ପରିବାର ସହ ଦୁବାଇ ଅଭିମୁଖେ ଯାତ୍ରା କରିବାକୁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କ ସାଙ୍ଗରେ ଥିଲେ ପତ୍ନୀ ଏବଂ ଦୁଇ ପୁଅ। ଇରଫାନ୍ ଟ୍ବିଟ୍‌ କରି ଲେଖିଛନ୍ତି, ମୁମ୍ବାଇରୁ ଦୁବାଇ ଭିସ୍ତାରାର ଫ୍ଲାଇଟ୍ ୟୁକେ-୨୦୧ ରେ ଯାଉଥିଲି। ଏହି ସମୟରେ ଚେକ୍ ଇନ୍ କାଉଣ୍ଟରରେ ମୋ ସହିତ ଖରାପ ବ୍ୟବହାର କରାଗଲା। ମୋର କନଫର୍ମ ଟିକେଟରେ ଭିସ୍ତାରାରେ ହେରଫେର କରିଥିଲା। ଏହି ସମସ୍ୟାର ସମାଧାନ ପାଇଁ ମୋତେ କାଉଣ୍ଟରରେ ଦେଢ ଘଣ୍ଟା ଠିଆ ହେବାକୁ ପଡିଲା। ମୋ ସହିତ ପତ୍ନୀ ଓ ୮ ମାସର ସନ୍ତାନ ସହ ଆଉ ଜଣେ ୫ ବର୍ଷର ସନ୍ତାନକୁ ମଧ୍ୟ ଠିଆ ହେବାକୁ ପଡିଲା।

ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଉପସ୍ଥିତ ଥିବା କର୍ମଚାରୀ ବିଭିନ୍ନ ପ୍ରକାର ବାହାନା କରିଥିଲେ। କେବଳ ମୁଁ ନୁହେଁ, ଏଭଳି ଅନେକ ଯାତ୍ରୀ ଥିଲେ ଯେଉଁମାନଙ୍କର ସମାନ ସମସ୍ୟା ଥିଲା। ମୁଁ ବୁଝିପାରୁନଥିଲି ଆବଶ୍ୟକ ସିଟ୍ ଠାରୁ କିଭଳି ଅଧିକ ଟିକେଟ ବିକ୍ରି ହୋଇଥିଲା ଏବଂ ମ୍ୟାନେଜମେଣ୍ଟ ଏହାକୁ କିଭଳି ଅନୁମତି ଦେଲା? ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ କରୁଛି କି ତୁରନ୍ତ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯେପରି ମୋ ଭଳି ଅନ୍ୟ କେହି ଏହି ସମସ୍ୟା ଦେଇ ଗତି ନକରନ୍ତୁ। ଏହି ପୋଷ୍ଟ ସହିତ ଇରଫାନ୍ କ୍ୟାପ୍ସନରେ ଲେଖିଛନ୍ତି, ଆଶା କରୁଛି, ଆପଣ ଏହାକୁ ଧ୍ୟାନ ଦେବେ ଓ ଏୟାର ଭିସ୍ତାରାରେ ସୁଧାର ଆଣିବେ।’


Share It

Comments are closed.