ମୋନା ପକ୍ଷରୁ ରାଜ୍ୟ ସରକାରଙ୍କ ମଦ ବିକ୍ରି ପ୍ରୋତ୍ସାହନ ନୀତିକୁ ବିରୋଧ


ଭୁବନେଶ୍ୱର,୩/୭/୨୦୨୦ : ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଠାରେ ସରକାରଙ୍କ ଉଭୟ ଅନଲାଇନ ଏବଂ ଅଫଲାଇନ ମଦ ବିକ୍ରି ନୀତିକୁ ବିରୋଧ କରାଯାଇଛି । ସଂଗଠନ ପକ୍ଷରୁ କରୋନା ମହାମାରୀ ସମୟରେ ଏହି ବିକ୍ରି ସମାଜ ପାଇଁ ଅତି ଭୟଙ୍କର ସାବ୍ୟସ୍ତ ହେବ ବୋଲି କୁହାଯାଇଛି ।
ସରକାରଙ୍କ ମଦ ନୀତିକୁ ଜନ ବିରୋଧୀ ଦର୍ଶାଇ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ(ମୋନା)ର ସଭାପତି ଶ୍ରୀ ପଦ୍ମଚରଣ ନାୟକ କହିଛନ୍ତି ଯେ, “ମଦ କୌଣସି ଋପେ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ନୁହେଁ । ଲକଡାଉନ ସମୟରେ ପାଖାପାଖି ଦେଢ ମାସ ମଦ ଦୋକାନମାନ ସବୁ ବନ୍ଦ ରହିବା ହେତୁ ସମାଜରେ ଶାନ୍ତି ଫେରିଥିଲା ଏବଂ ମଦ ଜନିତ ମୃତ୍ୟୁ ଓ ସମସ୍ୟା ସଂପୂର୍ଣ୍ଣ ଋପେ ଲୋପ ପାଇଥିଲା । ସରକାର ରାଜ୍ୟ ସାରା ୪,୭୦୦ ମଦ ଦୋକାନ ଖୋଲି ପ୍ରତ୍ୟେକ ଗାଁ ଗାଁରେ ମଦ ପହଞ୍ଚାଇଲେଣି, ଏବେ ମଦର ହୋମ ଡେଲିଭରି କରି ଏହାକୁ ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବା ଆରମ୍ଭ କରି ସାରିଲେଣି ।”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କରୋନା ମହାମାରୀ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥିଲା ରାଜ୍ୟ ଏବଂ କେନ୍ଦ୍ରରୁ ମଦକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ କିନ୍ତୁ ଉଭୟ ସରକାର ଏହାକୁ ହାତ ଛଡା କଲେ । ମଦ ଯୋଗୁଁ ରାଜ୍ୟରେ ହଜାର ହଜାର ପରିବାର ଉଜୁଡି ଯାଉଥିବାବେଳେ କରୋନା ମହାମାରୀ ସମୟରେ ଏହାର ହୋମ ଡେଲିଭରି ଯୋଜନା ଏହି ସମସ୍ୟାକୁ ଆହୁରୀ ଉତ୍କଟ କରିବ । ତେଣୁ ରାଜ୍ୟ ସରକାର ଏହି ସବୁ ସମସ୍ୟାରୁ ମୁକ୍ତି ନିମନ୍ତେ ରାଜ୍ୟରେ ଯଥାଶୀଘ୍ର ମଦକୁ ବନ୍ଦ କରନ୍ତୁ ଏବଂ ୧୯୫୬ ନିଶା ନିବାରଣ ଆଇନ ଲାଗୁ କରନ୍ତୁ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅରୁଣ ସାମନ୍ତରାୟ, ମଳୟ ତ୍ରିପାଠୀ, ରମାକାନ୍ତ ମଣ୍ଡଳ, ପ୍ରୀୟନାଥ ଆଚାର୍ଯ୍ୟ, ଅଫଜଲ ଖାନ୍‌, ସୌମ୍ୟରଞ୍ଜନ ମହାନ୍ତି, ପ୍ରଭାତ ରାଉରରାୟ ଉପସ୍ଥିତ ଥିଲେ ।


Share It

Comments are closed.