ଆଂଚଳିକ ବ୍ରାଣ୍ଡ୍‌କୁ ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ରେ ପରିଣତ କରିବା ପାଇଁ କାମ କରୁ ଆଇଆଇଏମ୍ ସମ୍ବଲପୁର – ନରେନ୍ଦ୍ର ମୋଦି


ଭୁବନେଶ୍ୱର/ସମ୍ବଲପୁର, – ଓଡ଼ିଶାର ମହାନ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସ ଓଡ଼ିଶାର ଯୁବକଙ୍କ ସାମର୍ଥ୍ୟକୁ ମଜବୁତ୍ କରିବା ସହ ବିଶ୍ୱରେ ଓଡ଼ିଶାକୁ ମ୍ୟାନେଜମେଂଟ ଦୁନିଆରେ ନୂଆ ପରିଚୟ ଦେବ । ଏହାସହ ଆଂଚଳିକ’ ବ୍ରାଣ୍ଡ୍ ସବୁକୁ ‘ବିଶ୍ୱସ୍ତରୀୟ’ ବ୍ରାଣ୍ଡ୍‌ରେ ପରିଣତ କରିବା ନିମନ୍ତେ ଆଇଆଇଏମ ସମ୍ବଲପୁର କାର୍ଯ୍ୟ କରିବା ଉଚିତ୍ ବୋଲି ଶନିବାର ସମ୍ବଲପୁରର ଆଇଆଇଏମର ନିଜସ୍ୱ ସ୍ଥାୟୀ କ୍ୟାମ୍ପସକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିବା ଅବସରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ନିର୍ମାଣ ହେବାକୁ ଥିବା ଏହି କ୍ୟାମ୍ପସଟି ସମ୍ବଲପୁରୀ ସଂସ୍କୃତିର ଇକତ୍ ଢାଂଚାରେ ନିର୍ମିତ ଅଟ୍ଟାଳିକା ସମଗ୍ର ଭାରତବର୍ଷରେ ସବୁଠୁ ଆକର୍ଷଣୀୟ ହେବ ବୋଲି ଭୁବନେଶ୍ୱରରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଏହି ଅନୁଷ୍ଠାନର ଅଂଶବିଶେଷ ହେବେ ସେମାନେ ବିକାଶକୁ ପ୍ରୋତ୍ସାହନ ଦେବା ସହ ସାମଗ୍ରିକ ଅନ୍ତର୍ଭୁକ୍ତି ଉପରେ ଧ୍ୟାନ ଦେବା ଆବଶ୍ୟକ । ସମ୍ବଲପୁର ଆଇଆଇଏମ ପ୍ରତିଷ୍ଠା ଦ୍ୱାରା ଏହା ଶିକ୍ଷାର ପେଣ୍ଠସ୍ଥଳି ହେବାକୁ ଯାଉଛି । ସମ୍ବଲପୁରୀ ହସ୍ତତନ୍ତ ଓ କଟକର ତାରକସି କାମ
ସ୍ୱତନ୍ତ୍ର ଚାହିଦା ସାରା ବିଶ୍ୱରେ ରହିଛି । ଅପାର ସମ୍ଭାବନାର ଜିଲ୍ଲା ସମ୍ବଲପୁର ପର୍ଯ୍ୟଟନ ପାଇଁ ପ୍ରକୃଷ୍ଠ ସ୍ଥାନ ହୋଇଛି । ଆଇଆଇଏମ ସ୍ଥାନୀୟ ଓ ଗ୍ଲାବୋଲ ଉତ୍ପାଦ ମଧ୍ୟରେ ବ୍ରିଜ୍ ତିଆରି କରିବ । ବ୍ରାଣ୍ଡ୍ ଇଣ୍ଡିଆକୁ ବୈଶ୍ୱିକ ସ୍ୱୀକୃତି ଦିଆଇବା ହେଉଛି ଆମର ଦାୟିତ୍ୱ । ଛାତ୍ରଛାତ୍ରୀମାନଙ୍କର ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟ ସମାଜର ସ୍ୱଳ୍ପ ସୁବିଧାପ୍ରାପ୍ତ ବର୍ଗଙ୍କୁ ଉପକୃତ କରିବ । ଏହାକୁ ସୁନିଶ୍ଚିତ କରି ଛାତ୍ରଛାତ୍ରୀମାନେ ବ୍ରାଣ୍ଡ୍ ଇଣ୍ଡିଆରେ ଉପରେ ଧ୍ୟାନ ଦେବା ଆବଶ୍ୟକ ।
ସମ୍ବଲପୁର ଉପକଣ୍ଠ ବସନ୍ତପୁରରେ ନିର୍ମାଣ ହେବାକୁ ଥିବା ଏହି କ୍ୟାମ୍ପସର ଶିଳାନ୍ୟାସ ହେବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଆଇଆଇଏମ ସମ୍ବଲପୁର ଓଡ଼ିଶା ତଥା ପଶ୍ଚିମ ଓଡିଶା ଆର୍ôଥକ ବିକାଶର ପେଣ୍ଠସ୍ଥଳି ହେବାର ସମ୍ଭାବନା ରଖୁଛି । ଗତ ୫ ବର୍ଷ ତଳେ ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗୀୟ ଅରୁଣ ଜେଟଲୀଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁମୋଦନ କ୍ରମେ ବଜେଟରେ ଓଡ଼ିଶାରେ ଏହି ଶିକ୍ଷାଅନୁଷ୍ଠାନ ପ୍ରତିଷ୍ଠା କରିବାର ଘୋଷଣା କରିଥିଲେ । ସମ୍ବଲପୁରବାସୀ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ଆଜି ଏହା ସମ୍ଭବ ହୋଇପାରିଛି ।
ବିଶ୍ୱମାନର ଭିତିଭୂମି ସହ ସମ୍ବଲପୁରର ବସନ୍ତପୁର ଠାରେ ୪୦୦ କୋଟି ଟଙ୍କା ବ୍ୟୟରେ କ୍ୟାମ୍ପସ ନିର୍ମାଣର ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ସ୍ୱପ୍ନ ବାସ୍ତବତାର ରୂପ ନେଇଛି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ଦୃରଦୃଷ୍ଟିକୁ ଆଗକୁ ନେବାରେ ଆଇଆଇଏମ ସମ୍ବଲପୁର ବଡ଼ ଭୂମିକା ନେବ । ପ୍ରାରମ୍ଭିକ ବର୍ଷ ମାନଙ୍କରେ ଏହି ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଉତୀର୍ଣ୍ଣ ହୋଇ ଭାରତ ଓ ବିଶ୍ୱର ବଡ ଅନୁଷ୍ଠାନ ମାନଙ୍କର ନେତୃତ୍ୱ ନେବେ, ଏହା ନିଃସନ୍ଦେହ ।
ଯେତେବେଳେ ଦେଶରେ ନୂଆ ଶିକ୍ଷାନୀତି ୨୦୨୨ କାର୍ଯ୍ୟକାରୀ ହୋଇଛି ଏହି ସମୟରେ ଆଇଆଇଏମ ସମ୍ବଲପୁର ପ୍ରଗତିର ରାସ୍ତାରେ ଆଗକୁ ଯିବ । ଏହା ଆମ ଦେଶ ଭାରତକୁ ଗବେଷଣା ଓ ନବଉନ୍ମେଷ କ୍ଷେତ୍ରରେ ଭାରତକୁ ବିଶ୍ୱର ନେତୃତ୍ୱ ଦେବ । ନୂତନ ଶିକ୍ଷାନୀତି ୨୦୨୨ରେ ସ୍କୁଲ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବଡ଼ ପଦକ୍ଷେପ । ଅପରପକ୍ଷରେ କୋଭିଡ୍ ପରବର୍ତୀ ସମୟରେ ଆତ୍ମନିର୍ଭର ଭାରତ ବିଶ୍ୱର ଅର୍ଥନୀତିର ନକ୍ସାରେ ଗେମ୍‌-ଚେଞ୍ଜର ରୂପରେ ଆବିର୍ଭାବ ହୋଇଛି । ଓଡିଶା ବିଶେଷ ଭାବରେ ପଶ୍ଚିମ ଓଡିଶା ଭାରତୀୟ ଶିଳ୍ପ ବିପ୍ଳବ ୪.୦ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ଯାଉଛି ।
ପ୍ରଧାନମନ୍ତ୍ରୀଙ୍କ ବ୍ୟବସ୍ଥା କାରଣରୁ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ଅର୍ଥନୀତି ଅଧିକ ମଜବୁତ୍ ହେବ । ସମ୍ବଲପୁର କୁଚିଣ୍ଡାର ଲଙ୍କା ଆନ୍ତର୍ଜାତିକ ବଜାରରେ ବିକ୍ରି ହେବ । ସେହିପରି ବରଗଡ ଜିଲ୍ଲାରେ ଇଥାନଲ ପ୍ଲାଂଟ ସ୍ଥାପନ କରାଯାଇ ନଡ୍ଡାରୁ ଇଥାନଲ ଉତ୍ପାଦନ କରାଯାଉଛି । ତେବେ ନିକଟରେ ଭାରତ ସରକାର ବଳକା ଚାଉଳରୁ ଇଥାନଲ ଉତ୍ପାଦନ କରିବାର ଯୋଜନା କରିଥିବା ବେଳେ ଏହାକୁ ମଧ୍ୟ ବରଗଡ଼ରେ କାର୍ଯ୍ୟକାରୀ କରାଯିବ । ଫଳରେ ବରଗଡ଼ର ଚାଷୀମାନଙ୍କ ଆୟ ବଢ଼ିବା ସହ ଅଧିକ ଉପକୃତ ହୋଇପାରିବେ । ପଶ୍ଚିମ ଓଡ଼ିଶାର ଅର୍ଥନୀତି ମଜବୁତ୍ ହେବା ସହ ସ୍ଥାନୀୟ ଅଂଚଳରେ ନିଯୁକ୍ତି ମଧ୍ୟ ବଢ଼ିବ ।
ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, କେନ୍ଦ୍ର ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ସଞ୍ଜୟ ଧୋତ୍ରେ, ଆଇଆଇଏମ ସମ୍ବଲପୁର ବୋର୍ଡର ଚେୟାରମ୍ୟାନ ଶ୍ରୀମତୀ ଅରୁଦ୍ଧତୀ ଭଟ୍ଟାଚାର୍ଯ୍ୟ, ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜସୱାଲ, ସମ୍ବଲପୁରର ସାଂସଦ ନୀତେଶ ଗଙ୍ଗଦେବ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ ତଥା ଆଇଆଇଏମ ସମ୍ବଲପୁରର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦମାନେ ସାମିଲ ହୋଇଥିଲେ ।


Share It

Comments are closed.