ଭୁବନେଶ୍ବରର ୮ ଟି ରୁଟରେ ପୁଣି ଆରମ୍ଭ ହେଲା ମୋ ବସ୍


ତିନି ମାସରୁ ଅଧିକ ବ୍ୟବଧାନ ପରେ ମୋ ବସ୍ ଆଜିଠାରୁ ଆଠଟି ରୁଟରେ ସେବା ଆରମ୍ଭ କରିଛି |ବସ୍ ସେବା ଯୋଗାଉଥିବା କ୍ୟାପିଟାଲ୍ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ (CRUT) ଅନୁଯାୟୀ, ଅଣ ଏସି ବସ୍ ଗୁଡିକ ୧୧,୧୬,୧୮,୨୦,୨୩,୨୫,୨୭ ଏବଂ ୩୩ ନମ୍ବର ରୁଟରେ ସକାଳ ୭ ଟାରୁ ସଂନ୍ଧ୍ୟା ୭ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରିଛନ୍ତି।

ଏଥି ମଧ୍ୟରେ ରାଜଧାନୀର ଶିଖରଚଣ୍ଡୀ ବିହାରରୁ ଲିଙ୍ଗିପୁର, ବରମୁଣ୍ଡାରୁ କଟକର ଜଗତପୁର, ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନରୁ ସମ୍‌ ହସ୍ପିଟାଲ, ମାଷ୍ଟରକ୍ୟାଣ୍ଟିନରୁ ବିଜୁପଟ୍ଟନାୟକ ପାର୍କ(କଟକର ସିଡିଏ), ମାଷ୍ଟରକ୍ୟାଣ୍ଟିନରୁ ଏମ୍‌ସ, ମାଷ୍ଟରକ୍ୟାଣ୍ଟିନରୁ ପିପିଲି, ମଞ୍ଚେଶ୍ବରରୁ ଡୁମଡୁମା ରୁଟ୍‌ରେ ବସ ଚଳାଚଳ କରୁଛି।

ମୋ ବସରେ ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ। ମାସ୍କ ପିନ୍ଧି ନଥିଲେ ବସ୍‌ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଅଗଷ୍ଟ ମାସରେ ବସ୍‌ ସେବା ସପ୍ତାହାନ୍ତ ବନ୍ଦ ରହିବ।

ରାଜଧାନୀ ଭୁବନେଶ୍ୱରର ସବୁଠାରୁ ସୁଲଭ ଓ ସୁବିଧା ସାଧାରଣ ବସ ସେବା ‘ମୋ ବସ୍‌’ ମହାମାରୀ କରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି। ଏହି ବସ୍‌ ସେବା ବନ୍ଦ ଥିବାରୁ ସାଧାରଣ ଲୋକଙ୍କୁ ଯାତାୟତରେ ବହୁ ଅସୁବିଧା ହେଉଛି। ତେଣୁ ଆଜିଠାରୁ ମୋ ବସ୍‌ ପୁଣି ଥରେ ଚଳାଚଳ ଆରମ୍ଭ କରୁଥିବାରୁ ସାଧାରଣ ଯାତ୍ରୀ ଏଥିରୁ ଉପକୃତ ହେବେ ବୋଲି ଆଶା କରାଯାଉଛି।


Share It

Comments are closed.