ଖରଦିନେ ଘରେ ତିଆରି କରନ୍ତୁ ସହଜ ସ୍ୱାଦିଷ୍ଠ ପାନୀୟ


ତାତିରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ପାନୀୟ ଉପଲବ୍ଧ ହେଉଥିବାବେଳେ ଘରେ ତିଆରି ପାନୀୟର କଥାହିଁ କିଛି ନିଆରା । ଘରକୁ କୌଣସି ଅତିଥି ଆସିଲେ ସତ୍କାର କରିବା ପାଇଁ ଆବଶ୍ୟକହୁଏ କିଛି ପାନୀୟ । ଏଥି ପାଇଁ ମୃଦୁ ପାନୀୟର ଚାହିଦା ଅଧିକ ରହିଥିବାବେଳେ କିନ୍ତୁ ବର୍ତ୍ତମାନର ସଚେତନ ଲୋକମାନେ ଘରୋଇ ଜିନିଷକୁ ଅଧିକ ପସନ୍ଦ କରୁଛନ୍ତି । ଆସନ୍ତୁ ଜାଣିବା ଅତି ସହଜରେ ଘରେ ଉପଲବ୍ଧ ହେଉଥିବା କିଛି ଫଳ ଏବଂ ପତ୍ର ବ୍ୟବହାରକରି ଘରୋଇ ଉପାୟରେ ପ୍ରସ୍ତୁତ ହେଉଥିବା କେତେକ ପାନୀୟ ।

୧. ସପୁରୀ ଲେମ୍ବୁ ସର୍ବତ

ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟେ କପ୍ ପାଣିରେ ଚିନି ମିଶାଇ ସସ୍ ପ୍ୟାନରେ ମଧ୍ୟମ ଆଞ୍ଚରେ ଚିନି ମିଳେଇବା ପର୍ଯ୍ୟନ୍ତ ଗରମ କରନ୍ତୁ । ଏହା ଥଣ୍ଡା ହୋଇଗଲାପରେ ଏଥିରେ ପାଞ୍ଚ କପ୍ ପାଣି, ଲେମ୍ବୁ ରସ, ସପୁରୀ ରସ ମିଶାଇ ଫ୍ରିଜରେ ଥଣ୍ଡା ହେବାକୁ ରଖିଦିଅନ୍ତୁ । ଏହା ଉପରେ ବରଫ ପକାଇ ପିଇବା ପାଇଁ ଦିଅନ୍ତୁ ।

୨. ତରଭୁଜ ସର୍ବତ

୫ କପ୍ କଟାଯାଇଥିବା ମଞ୍ଜି ବିହୀନ ତରଭୁଜକୁ ୨ ଚାମଚ୍ ଚିନି, କିଛି ଲେମ୍ବୁ ରସ ଏବଂ ୧ କପ୍ ବରଫ ସହିତ ମିଶାଇ ସମ୍ପୁର୍ଣ୍ଣ ମିଶିବା ପର୍ଯ୍ୟନ୍ତ ଗ୍ରାଇଣ୍ଡିଂ କରନ୍ତୁ । ଗ୍ରାଇଣ୍ଡିଂ ହେବା ସଙ୍ଗେ ସଙ୍ଗେ ଏହାକୁ ପିଇବାକୁ ଦିଅନ୍ତୁ ।

୩.ମ୍ୟାଙ୍ଗୋ ଫ୍ରୁଟି ସର୍ବତ

ଏହା ପିିଇବାକୁ ଅତି ସ୍ୱାଦିଷ୍ଠ ହୋଇଥିବାବେଳେ ପିଲା ମାନଙ୍କର ଅତି ପ୍ରିୟ ପାନୀୟ । ଏହାକୁ ପ୍ରସ୍ତୁତ କରିବା ପାଇଁ ଅଳ୍ପ ପାଚିଲା ଆମ୍ବକୁ ଚୋପା ଛଡ଼ାଇ କିଛି ସମୟ ପାଇଁ ସିଝାଇ ଦିଅନ୍ତୁ । ଆଉ ଏକ ପାତ୍ରରେ ଚିନିର ଏକ ସିରପ୍ ବନାନ୍ତୁ । ଏହି ସିଝା ଯାଇଥିବା ଆମ୍ବ ଥଣ୍ଡା ହୋଇଗଲେ ଅଳ୍ପ କଳା ଲୁଣ ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏଥିରେ ଚିନି ସିରପ୍ ମିଶାଇ ଉପରେ ବରଫ ଖଣ୍ଡ ସହ ପିଇବାକୁ ଦିଅନ୍ତୁ ମ୍ୟାଙ୍ଗୋ ଫ୍ରୁଟି ଜୁସ୍ ।

୪. କଞ୍ଚା ଆମ୍ ପନା

ମଧ୍ୟମ ଆକାରର ଏକ କଞ୍ଚା ଆମ୍ବ ଆଣି ଏହାକୁ ମାଇକ୍ରୋ ୱେଭ୍ରେ ପୋଡ଼ି ଦିଅନ୍ତୁ । ତାପରେ ଏଥିରୁ ଚୋପା ଛଡ଼ାଇ ରସ ବାହାର କରିଦିଅନ୍ତୁ । ଏଥିରେ ଚିନି ସିରପ୍, ଅଳ୍ପ ପୋଦିନା ପତ୍ର, କଳା ଲୁଣ, କେଇ ଠୋପା ଲେମ୍ବୁ ରସ ଏବଂ ଜୀରା ଗୁଣ୍ଡ ପକାଇ ଉପରେ ବରଫ ଦେଇ ପ୍ରସ୍ତୁତ କରନ୍ତୁ ଆମ୍ ପନା ।

୫.ପୋଦିନା ସର୍ବତ୍

ହା ପିଇବାକୁ ସ୍ୱାଦିଷ୍ଠ ହୋଇଥିବାବେଳେ ସ୍ୱାସ୍ଥ୍ୟବର୍ଦ୍ଧକ ତଥା ଅନେକ ମାତ୍ରାରେ କ୍ଳାନ୍ତି ମଧ୍ୟ ଦୂରକରିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟେ ମୁଠା ପୋଦିନା ପତ୍ର, ଗୁଣ୍ଡ ଚିନି ଅଧା କପ୍ ଏବଂ କଳା ଲୁଣ ପକାଇ ଏହାକୁ ଚିକ୍କଣରୁପେ ଗ୍ରାଇଣ୍ଡିଂ କରିଦିଅନ୍ତୁ । ତାପରେ ଏହି ମିଶ୍ରଣକୁ ଏକ ଜାଲି ଦ୍ୱାରା ଛାଣି ଦିଅନ୍ତୁ । ଏଥିରେ ୩ କପ୍ ପାଣି ଏବଂ ବରଫ ମିଶାଇ ପିଇବାକୁ ଦିଅନ୍ତୁ ପୋଦିନା ସର୍ବତ ।
ଉପରୋକ୍ତ ବର୍ଣ୍ଣନା କରାଯାଇଥିବା ସମସ୍ତ ପାନୀୟ ଗୁଡ଼ିକ ଖରା ଜନିତ କ୍ଳାନ୍ତିରୁ ରକ୍ଷା କରିବା ସହିତ ସ୍ୱାସ୍ଥ୍ୟବର୍ଦ୍ଧକ ତଥା ଋଚିକର ମଧ୍ୟ ।


Share It

Comments are closed.