ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଲେ ନାନା ପାଟୋଲେ


କଂଗ୍ରେସ ନେତା ନାନା ପଟୋଲେ ଗୁରୁବାର ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି। ନାନା ପାଟୋଲେ ପରବର୍ତ୍ତୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। ଏଥିପାଇଁ କେବଳ ଔପଚାରିକ ଘୋଷଣା ବାକି ଅଛି। ପଟୋଲେ ଗୁରୁବାର ନିଜର ଇସ୍ତଫା ପତ୍ର ଉପବାଚସ୍ପତି ନରହରି ସୀତାରାମଙ୍କୁ ଦେଇଛନ୍ତି।

ପଟୋଲେ ଭଣ୍ଡାରା ଜିଲ୍ଲାର ସକୋଲୀ ସିଟ୍‌ରୁ ବିଧାୟକ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପଟୋଲେ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ହେବାକୁ ଥିବା ବେଳେ ରାଜସ୍ବ ମନ୍ତ୍ରୀ ବାଲାସାହେବ ଥୋରାଟଙ୍କ ସ୍ଥାନ ନେବେ। ମହାରାଷ୍ଟ୍ରରେ ଶିବସେନା, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ କଂଗ୍ରେସର ମେଣ୍ଟ ସରକାର ଅଛି। ଥୋରାଟଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳ ନିକଟରେ ଦିଲ୍ଲୀର ପାର୍ଟି ନେତୃତ୍ବଙ୍କୁ ଭେଟିଥିଲେ।

ଅନ୍ୟପଟେ ପଟୋଲେଙ୍କ ଇସ୍ତଫା ପରେ ବିଧାନସଭା ବାଚସ୍ପତି ପାଇଁ ମହା ବିକାଶ ଅଘାଡ଼ୀରେ ରାଜନୀତି ଜୋର ଧରିଛି। ସ୍ପିକର ପଦ ପାଇଁ କଂଗ୍ରେସ ପକ୍ଷରୁ କ୍ୟାବିନେଟ୍‌ ମନ୍ତ୍ରୀ ବିଜୟ ଓ୍ବାଡେଟ୍ଟିଓ୍ବାରଙ୍କ ନାଁ ସବୁଠୁ ଆଗରେ ରହିଛି। ତେବେ ବିଧାନସଭା ସ୍ପିକର ପଦ ଶିବସେନାକୁ ଦେଇ କଂଗ୍ରେସ ମହା ବିକାଶ ଅଘାଡ଼ୀ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ଚାହୁଁଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ଉଭୟ ଅଘାଡ଼ୀ ସରକାର ଏବଂ କଂଗ୍ରେସ ଖଣ୍ଡନ କରିଛନ୍ତି।


Share It

Comments are closed.