କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ମିଳିତ ବୈଠକ

‘କୃଷି ସହିତ ଆନୁଷଙ୍ଗିକ କୃଷି ଯୋଜନା ଗିଡକର ଏକତ୍ର ଋପାୟନ ଦ୍ୱାରା କୃଷକମାନଙ୍କ ଆୟବୃଦ୍ଧି ହୋଇପାରିବ’ : ମନ୍ତ୍ରୀ ଶ୍ରୀ ସ୍ୱାଇଁ


ଭୁବନେଶ୍ୱର : ରାଜ୍ୟ ସରକାର ଚାଷୀମାନଙ୍କର ଆୟ ବୃଦ୍ଧିକୁ ସର୍ବଦା ପ୍ରାଥମିକତା ଦେଇ ଆସୁଥିବାବେଳେ କୃଷି ସହିତ ଆନୁଷଙ୍ଗିକ କୃଷି ଯୋଜନାଗୁଡିକୁ ସମ୍ମିଳିତ ଭାବେ କାର୍ଯ୍ୟକାରୀ କଲେ ଚାଷୀମାନଙ୍କର ରୋଜଗାର ବୃଦ୍ଧି ପାଇବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶର ପ୍ରମୁଖ ଶାସନ ସଚିବ, ନିର୍ଦ୍ଦେଶକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ମିଳିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କହିଲେ ଯେ କୃଷି ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଦ୍ୱାରା ଚାଷୀଙ୍କୁ ସର୍ବାଧିକ ଲାଭ ଦେବା ଉଦ୍ଦେଶ୍ୟରେ ଅନେକ ଗୁଡିଏ ଯୋଜନା ଏକତ୍ର କାର୍ଯ୍ୟକାରୀ କରାଯାଉଛି । ଏହି ପରିପ୍ରେକ୍ଷୀରେ ମାସକୁ ଅନ୍ତତଃ ପକ୍ଷେ ଥରେ ଏହି ଦୁଇ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ବିଭାଗ ଅଧିନରେ ଥିବା ନିର୍ଦ୍ଦେଶାଳୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଏକତ୍ର ବୈଠକ କରି ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯିବା ଆବଶ୍ୟକ । ଏହା ଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି ହେବା ସହିତ ମତ୍ସ୍ୟ ଓ କୁକୁଡା ଚାଷ, ଗୋପାଳନ ଆଦି କ୍ଷେତ୍ରରେ ପ୍ରଭୂତ ବିକାଶ ସାଧିତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।


କୃଷି ସମେତ ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଉଦ୍ଦିଷ୍ଟ ହୋଇଥିବାବେଳେ ଏହା ଦ୍ୱାରା ଅନେକ କର୍ମସଂସ୍ଥାନ ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ଅଧିକ ପାରଦର୍ଶୀ କରିବା ନିମନ୍ତେ ଗୋ-ସୁଗମ ପୋର୍ଟାଲକୁ ତ୍ରଟିଶୂନ୍ୟ କରିବାକୁ ପଡିବ । ଏହା ଦ୍ୱାରା ପ୍ରକଳ୍ପଗୁଡିକର ଅଗ୍ରଗତି ଓ ସ୍ଥ୍‌ିତି ସଂପର୍କରେ ସହଜରେ ଜାଣିହେବ । ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ଉଦ୍ୟୋଗୀ ସୃଷ୍ଟି କରିବା ନିମନ୍ତେ ଦୁଇ ବିଭାଗର ଅଧିକ ସଂଖ୍ୟକ ମଡେଲ ଡିପିଆର ଆପିକଲ ୱେବସାଇଟ ଉପଲବ୍ଧ କରାଇବା ସହିତ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ସବୁ ପ୍ରକାରର ସହାୟତା ଯୋଗାଇଦେବା ଆବଶ୍ୟକ । ବୈଠକରେ ସୂଚନା ଅନୁଯାୟୀ ଚଳିତ ୨୦୨୨-୨୩ ବର୍ଷରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୫୮୧ ଜଣ ଉଦ୍ୟୋଗୀଙ୍କୁ ମୋଟ ୪୪ କୋଟି ୭୯ ଲକ୍ଷ ଟଙ୍କା ସବସିଡି ଆକରରେ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ସମନ୍ୱିତ କୃଷିକୁ ପ୍ରୋତ୍ସାହନ ଦେଉଥିବା ପରିପ୍ରେକ୍ଷୀରେ ଚାଷୀ କୃଷି ସହିତ ଫଳ ଓ ପନିପରିବା ଚାଷ, ମାଛଚାଷ ଏବଂ କୁକୁଡା ପାଳନ କରିପାରିଲେ ଅଧିକ ଆୟ ହୋଇପାରିବ । ଏଥି ସହିତ ବୃଷ୍ଟିପୁଷ୍ଟି ଅଞ୍ଚଳରେ ସ୍ଥାନୀୟ ଜଳବାୟୁ ଓ ମୃତ୍ତିକାକୁ ଦୃଷ୍ଟିରେ ରଖି ଚାଷ କାର୍ଯ୍ୟ ଓ ଆନୁଷଙ୍ଗିକ କୃଷି କାର୍ଯ୍ୟ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ । ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଫାର୍ମପଣ୍ଡ (ପ୍ଲସ) ଯୋଜନା ଏବଂ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଓ ଜଳବିଭାଜିକା ଉନ୍ନୟନ ପ୍ରକଳ୍ପ ଅଧିନରେ କୃଷି ସହିତ ଆନୁଷଙ୍ଗିକ କୃଷି କାର୍ଯ୍ୟ କରାଯାଇ ଉତ୍ପାଦନ ବୃଦ୍ଧି ଓ ରୋଜଗାର ସୃଷ୍ଟି କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ବୈଠକେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବିଶିଷ୍ଠ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାର ଅଗ୍ରଗତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।
ଘରଦୁଆରେ ପୁଷ୍ଟି ଯୋଜନାରେ ହିତାଧିକାରୀମାନଙ୍କୁ ଫଳଚାରା ଓ ପରିବା ମିନିକିଟ ବଣ୍ଟନ କାର୍ଯ୍ୟ ଜାନୁଆରୀ ୨୬ ତାରିଖ ସୁଦ୍ଧା ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ପ୍ରସ୍ତୁତ ‘କୃଷିକମାନଙ୍କ ଆୟ ବୃଦ୍ଧି, ଓଡିଶା ରୋଡମ୍ୟାପ ୨୦୩୦’ ପୁସ୍ତିକାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଶୁଭ ଉନ୍ମୋଚନ କରିଥିଲେ ।
ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ତଥା ଆପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ , ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ସିଡିଭିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ, ସହକାରୀ ଉପନିର୍ଦ୍ଦେଶକ ଏବଂ ଆପିକଲ ଡିଷ୍ଟ୍ରିକ୍ଟ ମ୍ୟାନେଜର ପ୍ରମୁଖ ଯୋଗଦେଇଥିଲେ ।


Share It

Comments are closed.