ଆମେରିକା ଓ ବ୍ରାଜିଲକୁ ପଛରେ ପକାଇଲା ଭାରତ, ଦିନକରେ ସର୍ବାଧିକ ୫୬ ହଜାରରୁ ଉର୍ଦ୍ଧ୍ୱ ମାମଲା


ଦେଶରେ କରୋନା ସଂକ୍ରମଣ ମାମଲା ୧୯ ଲକ୍ଷ ୫୦ ହଜାର ପାର କରିସାରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ, ବୁଧବାର ଦିନ ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୫୬ ହଜାର ୨୮୨ ନୂଆ ମାମଲା ସାମ୍ନାକୁ ଆସିଥିଲା । ଗୋଟିଏ ଦିନରେ ୯୦୪ ଜଣଙ୍କ ମୃତ୍ୟୁ ହୋଇଥିଲା । ବୁଧବାର ଦିନ ସର୍ବାଧିକ ନୂଆ ମାମଲା ସାମ୍ନାକୁ ଆସିଥିଲା । ଗୋଟିଏ ଦିନରେ ଆମେରିକା ଓ ବ୍ରାଜିଲରୁ ମଧ୍ୟ ଅଧିକ ମାମଲା ଆସିଥିଲା । ମନ୍ତ୍ରାଳୟ ଅନୁସାରେ ବର୍ତ୍ତମାନ ଦେଶରେ ୫ ଲକ୍ଷ ୯୫ ହଜାର ୫୦୧ ଆକ୍ଟିଭ ମାମଲା ରହିଛି ଏବଂ ୪୦ ହଜାର ୬୯୯ ଜଣଙ୍କର ମୃତ୍ୟୁ ହୋଇଛି । ୧୩ ଲକ୍ଷ ୨୮ ହଜାର ୩୩୬ ଜଣ ସୁସ୍ଥ ହୋଇସାରିଛନ୍ତି ।

ଜାରି ହୋଇଥିବା ତାଲିକା ଅନୁସାରେ ଭାରତରେ ମୃତ୍ୟୁ ସଂଖ୍ୟା ୪୦ ହଜାର ପାର କରିଛି । ଦୁନିଆରେ ମୃତ୍ୟୁ ସଂଖ୍ୟାରେ ଭାରତ ପଞ୍ଚମ ସ୍ଥାନରେ ରହିଛି । ଦେଶରେ ମୃତ୍ୟୁହାର ୨.୦୭ ପ୍ରତିଶତ ରହିଛି । ବୁଧବାର ଦିନ ଆଇସିଏମଆର ୬.୬୪ ଲକ୍ଷ ଟେଷ୍ଟ କରିଛି ଯାହା ଏବେ ସୁଦ୍ଧା ସର୍ବାଧିକ ଟେଷ୍ଟିଙ୍ଗ । ଏହା ପୂର୍ବରୁ ଅଗଷ୍ଟ ୨ ତାରିଖରେ ୬.୬୧ ଟେଷ୍ଟିଙ୍ଗ ହୋଇଥିଲା । ଏବେ ସୁଦ୍ଧା ଦେଶରେ ୨.୨୧ କୋଟି ଟେଷ୍ଟିଙ୍ଗ ହୋଇଛି ।

ସୂଚନା ଅନୁଯାୟୀ, ୩ ଦିନ ପରେ ମହାରାଷ୍ଟ୍ରରେ ୧୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ରାଜ୍ୟରେ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର କରିଛି । ରାଜ୍ୟରେ ସୁସ୍ଥହାର ୬୫.୨ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ଆନ୍ଧ୍ର ପ୍ରଦେଶରେ ୧ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି କିନ୍ତୁ ୧୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ରାଜଧାନୀ ଦିଲ୍ଲୀରେ ସୁସ୍ଥହାର ୯୦ ପ୍ରତିଶତରୁ ୮୯.୯ ପ୍ରତିଶତ ହୋଇଛି । ଆକ୍ଟିଭ ମାମଲା ୧୦ ହଜାରରୁ ଅଧିକ ରହିଛି ।


Share It

Comments are closed.