ବିଶ୍ୱର ପ୍ରଥମ ଅନ୍‌ଲାଇନ୍ ବିଏସ୍‌ସି ଡିଗ୍ରୀ ପାଠ୍ୟକ୍ରମ ପାଇଁ ଆଇଆଇଟି ମାଡ୍ରାସ ପକ୍ଷରୁଆବେଦନ ପ୍ରକ୍ରିୟା ଆରମ୍ଭ


ଭୁବନେଶ୍ୱର: ଏନ୍‌ଆଇଆର୍‌ଏଫ୍ ଦ୍ୱାରା ଇଣ୍ଡିଆ ର‌୍ୟାଙ୍କିଙ୍ଗ୍ ୨୦୨୦ରେ ଏକ ନମ୍ବର ମାନ୍ୟତା ପାଇଥିବା ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ (ଆଇଆଇଟି ମାଡ୍ରାସ) ପକ୍ଷରୁ ନିକଟରେ ଶୁଭାରମ୍ଭ ହୋଇଥିବା ପ୍ରୋଗ୍ରାମିଙ୍ଗ ଓ ଡାଟା ସାଇନ୍ସ କ୍ଷେତ୍ରରେ ବିଶ୍ୱର ପ୍ରଥମ ଅନ୍‌ଲାଇନ୍ ବିଏସ୍‌ସି ଡିଗ୍ରୀ ପାଠ୍ୟକ୍ରମ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀମାନେ କ୍ୱାଲିଫାୟାର ବା ଯୋଗ୍ୟତା ପ୍ରକ୍ରିୟାରେ ନାମ ଲେଖାଇବା ପାଇଁ ଆବେଦନ ଫର୍ମ ପୂରଣ କରିପାରିବେ ଏବଂ ଆବଶ୍ୟକ ଡକ୍ୟୁମେଂଟ୍ ଅପ୍‌ଲୋଡ୍ କରି ୩୦୦୦ ଟଙ୍କାର ଆବେଦନ ଫି’ ପଇଠ କରିପାରିବେ । ପଇଠ କରାଯାଇଥିବା ଫି’ ଦ୍ୱାରା ଉକ୍ତ ଛାତ୍ରଛାତ୍ରୀମାନେ ଯୋଗ୍ୟତା ପ୍ରକ୍ରିୟା ଓ ଯୋଗ୍ୟତା ପରୀକ୍ଷା ପ୍ରସ୍ତୁତି ପାଇଁ ୪ ସପ୍ତାହର ପାଠ୍ୟକ୍ରମ ବିଷୟବସ୍ତୁ ପାଇପାରିବେ । ଏଥିପାଇଁ ସର୍ବାଧିକ ୨,୫୦,୦୦୦ ଆବେଦନ ଫର୍ମ ଗ୍ରହଣ କରାଯିବ । ଥରେ ଏହି ସଂଖ୍ୟା ୨,୫୦,୦୦୦ରେ ପହଂଚି ସାରିବା ପରେ କିମ୍ବା ୧୫ ସେପ୍ଟେମ୍ବର ୨୦୨୦ ସୁଦ୍ଧା ଆବେଦନ ପ୍ରକ୍ରିୟା ବନ୍ଦ ହୋଇଯିବ । ଶିକ୍ଷାର୍ଥୀମାନେ https://www.onlinedegree.iitm.ac.in ରେ ନିଜର ଆବେଦନ ଫର୍ମ ପୂରଣ କରିପାରିବେ ।
ଦଶମ ଶ୍ରେଣୀରେ ଇଂରାଜୀ ଓ ଗଣିତ ସହିତ ଦ୍ୱାଦଶ ପାସ୍ କରିଥିବା ଯେକୌଣସି ଛାତ୍ରଛାତ୍ରୀ କିମ୍ବା ବ୍ୟକ୍ତି ଏହି ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ । ଏପରିକି ୨୦୨୦ରେ ଦ୍ୱାଦଶ ଶ୍ରେଣୀ ସମ୍ପୂର୍ଣ୍ଣ କରୁଥିବା ବର୍ତମାନ ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ଗ୍ରାଜୁଏଟ୍ ଓ ଚାକିରି କରୁଥିବା ପେସାଦାରମାନେ ମଧ୍ୟ ଏହି ପାଠ୍ୟକ୍ରମ ପାଇଁ ନାମ ଲେଖାଇପାରିବେ, କାରଣ ଆଇଆଇଟି ମାଡ୍ରାସ ବୟସ, ବିଭାଗ ଓ ଭୌଗୋଳିକ ଅବସ୍ଥିତିର ପ୍ରତିବନ୍ଧକକୁ ହଟାଇବା ଏବଂ ଦେଶବ୍ୟାପୀ ସମସ୍ତ ଆଶାୟୀ ପ୍ରାର୍ଥୀମାନଙ୍କୁ ପ୍ରୋଗ୍ରାମିଙ୍ଗ୍ ଓ ଡାଟା ସାଇନ୍ସ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ପାଠ୍ୟକ୍ରମରେ ପ୍ରବେଶ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି । ଯୋଗ୍ୟତା ସମ୍ବନ୍ଧିତ ଅଧିକ ତଥ୍ୟ ପାଇଁ ଦୟାକରୀ ୱେବ୍‌ସାଇଟ୍ ଯାଂଚ କରନ୍ତୁ ।
ଏସମ୍ପର୍କରେ ଆଇଆଇଟି ମାଡ୍ରାସ ଅନ୍‌ଲାଇନ୍ ଡିଗ୍ରୀ ପ୍ରୋଗ୍ରାମର ପ୍ରଫେସର-ଇନ୍‌-ଚାର୍ଜ ପ୍ରଫେସର ଆଣ୍ଡ୍ର‌୍ୟୁ ଥଙ୍ଗରାଜ କହିଛନ୍ତି ଯେ, “ଏହି ପାଠ୍ୟକ୍ରମ କେବଳ ଶିକ୍ଷାକୁ ଅନ୍‌ଲାଇନ୍ ଚଳାଇବାର ଟ୍ରେଣ୍ଡକୁ ଗ୍ରହଣ କରିବ ନାହିଁ ବରଂ ପ୍ରୋଗ୍ରାମିଙ୍ଗ ଓ ଡାଟା ସାଇନ୍ସ କ୍ଷେତ୍ରରେ ଦକ୍ଷ ଓ ନିଯୁକ୍ତିଯୋଗ୍ୟ ଗ୍ରାଜୁଏଟ୍‌ମାନଙ୍କୁ ସୃଷ୍ଟି କରିବା ପାଇଁ ଏକ ମଂଚ ପ୍ରଦାନ କରିବ ବୋଲି ଆମେ ବିଶ୍ୱାସ ରଖିଛୁ ।” ଆଇଆଇଟି ମାଡ୍ରାସ ଅନ୍‌ଲାଇନ୍ ଡିଗ୍ରୀ ପ୍ରୋଗ୍ରାମର ପ୍ରଫେସର-ଇନ୍‌-ଚାର୍ଜ ପ୍ରଫେସର ପ୍ରତାପ ହରିଦୋସ କହିଛନ୍ତି, “ଅନ୍‌ଲାଇନ୍ ଶିକ୍ଷା କ୍ଷେତ୍ରରେ ଆମର ସମୃଦ୍ଧ ଅଭିଜ୍ଞତା ସହିତ ଆମେ ସମସ୍ତ ଶିକ୍ଷାର୍ଥୀମାନଙ୍କୁ ଏକ ଉନ୍ନତ ଓ ନିୟୋଜିତ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଭଲ ଭାବେ ପ୍ରସ୍ତୁତ ରହିଛୁ ।”


Share It

Comments are closed.