ମାଡ୍ରାସ ଆଇଆଇଟିରେ ଏକାସାଙ୍ଗେ ୧୦୦ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ, ବନ୍ଦ ହେଲା ଅନୁଷ୍ଠାନ


ଆଇଆଇଟି ମାଡ୍ରାସରେ ୧୦୦ରୁ ଅଧିକ ଛାତ୍ର ଏବଂ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏହାପରେ ଅନୁଷ୍ଠାନକୁ ବନ୍ଦ କରିଦିଆଯାଇଛି। ସଂକ୍ରମିତଙ୍କ ମଧ୍ୟରେ ମୋଟ ୧୦୪ ଛାତ୍ର ଓ ଅନ୍ୟ କର୍ମଚାରୀ ମଧ୍ୟ ରହିଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ତାମିଲନାଡୁ ସ୍ୱାସ୍ଥ୍ୟ ସଚିବ ରାଧାକୃଷ୍ଣନ କହିଛନ୍ତି। ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ଅନୁଷ୍ଠାନର ୪୪୪ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୧୦୪ ପଜିଟିଭ୍‌ ପାଇଛନ୍ତି। ଗତ ୧ ତାରିଖରୁ ୧୨ ତାରିଖ ମଧ୍ୟରେ ଅନୁଷ୍ଠାନରେ ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଘଟିଛି। ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀଙ୍କ ନିର୍ଦେଶକ୍ରମେ ସମସ୍ତ ଆକ୍ରାନ୍ତଙ୍କୁ କିଙ୍ଗ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ରିଭେଣ୍ଟିଭ୍‌ ମେଡିସିନ ଆଣ୍ଡ ରିସର୍ଚ୍ଚରେ ଚିକିତ୍ସା କରାଯାଉଛି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।

ଅନୁଷ୍ଠାନର ଜଣେ ମୁଖପାତ୍ର କହିଛନ୍ତି, ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତ ବିଭାଗ ଏବଂ ପରୀକ୍ଷାଗାରକୁ ବନ୍ଦ କରିଦିଆଯାଇଛି। ସମସ୍ତ କ୍ଲାସ୍‌ ଅନ୍‌ଲାଇନରେ ଚାଲିଛି। ୭୦୦ ଛାତ୍ର ହଷ୍ଟେଲରେ ରହୁଛନ୍ତି।


Share It

Comments are closed.