କଂଗ୍ରେସକୁ ବଡ଼ ଝଟ୍‌କା, ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ


ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା। କଂଗ୍ରେସରୁ ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ସେ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ ଟ୍ଵିଟ୍ କରି କହିଛନ୍ତି ଯେ, ଆଜି ମୁଁ ସାହସ ଜୁଟାଇ କଂଗ୍ରେସ ପାର୍ଟି ପଦ ଏବଂ ସଦସ୍ୟତାରୁ ଇସ୍ତଫା ଦେଉଛି। ମୋର ଏହି ନିଷ୍ପତ୍ତିକୁ ମୋର ସାଥୀମାନେ ଏବଂ ଗୁଜୁରାଟର ଜନତା ସ୍ଵାଗତ କରିବେ ବୋଲି ମୋର ଆଶା ରହିଛି। ମୋର ଏହି ପଦକ୍ଷେପ ପରେ ମୁଁ ଗୁଜୁରାଟର ଜନତାଙ୍କ ପାଇଁ ସତ୍ୟ ଏବଂ ସକାରାତ୍ମକ ରୂପରେ କାମ କରିପାରିବି। ଦଳରୁ ଇସ୍ତଫା ଦେଇ ହାର୍ଦ୍ଦିକ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଦେଶହିତ ଏବଂ ସମାଜହିତର ବୀପରିତ ଦିଗରେ କାମ କରୁଛି। କଂଗ୍ରେସ ପାର୍ଟିର ବିରୋଧ ରାଜନୀତି ପର୍ଯ୍ୟନ୍ତ ସୀମିତ। ରାମ ମନ୍ଦିର, ସିଏଏ-ଏନଆରସି, ଧାରା ୩୭୦, ଜିଏସଟି ଲାଗୁ କରିବାରେ କଂଗ୍ରେସ ବାଧା ସୃଷ୍ଟି କରିଛି, ଯେତେବେଳେ ଦେଶ ସଙ୍କଟରେ ଥିଲା ସେତେବେଳେ ଆମ ନେତା ବିଦେଶରେ ଥିଲେ।

ହାର୍ଦ୍ଦିକ ପଟେଲ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ। ହେଲେ କିଛି ଦିନ ହେବ ସେ କଂଗ୍ରେସର ନେତୃତ୍ଵକୁ ନେଇ ଅସନ୍ତୁଷ୍ଟ ଥିଲେ। ଏନେଇ ସେ ବହୁଥର ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଦଳରେ କୌଣସି ନିଷ୍ପତ୍ତି ନେବା ପାଇଁ ତାଙ୍କ ନିକଟରେ କ୍ଷମତା ନାହିଁ ବୋଲି କହିଥିଲେ। କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ବୋଲି ପୂର୍ବରୁ ଅଟକଳ କରାଯାଉଥିଲା। ଏବେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି। ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।


Share It

Comments are closed.