କମିଲା ସୁନା ଦାମ, ରୁପା ମୂଲ୍ୟରେ ବି ହ୍ରାସ


ଲଗାତାର ୪ ସପ୍ତାହ ଧରି ବୃଦ୍ଧି ପାଇବା ପରେ ଚଳିତ ସପ୍ତାହରେ ଶସ୍ତା ହୋଇଛି ସୁନା ଦର । ଏହି ସପ୍ତାହରେ ସୁନା ଦର ହ୍ରାସ ପାଇ ୫୨ ହଜାର ଟଙ୍କା ତଳେ ରହିଛି । ଏହା ସହିତ ବୈଶିକ ବଜାରରେ ମଧ୍ୟ ଦାମରେ ହ୍ରାସ ପରିଲକ୍ଷିତ ହୋଇଛି । ଚଳିତ ସପ୍ତାହର ଶେଷ କାରବାର ଦିନରେ ଅର୍ଥାତ ଶନିବାର ଭାରତୀୟ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୫୧, ୮୬୮ ଟଙ୍କା ରହିଛି । ଏହି ସପ୍ତାହ ଆରମ୍ଭରୁ ହିଁ ଭାରତୀୟ ବଜାରରେ ଦାମ ଲଗାତାର ଭାବେ ହ୍ରାସ ପାଇଛି । ଗତ ସପ୍ତାହରେ ଭାରତରେ ସୁନା ଦାମ ୧୦ ଗ୍ରାମ ପିଛା ଥିଲା ୫୨,୪୮୧ ଟଙ୍କା ।

ଚଳିତ ସପ୍ତାହର ସୋମବାର ସ୍ବାଧୀନତା ଦିବସ ପାଇଁ ବଜାର ବନ୍ଦ ଥିଲା। ମଙ୍ଗଳବାର ଭାରତୀୟ ବଜାରରେ ସୁନା ଦାମ ଥିଲା ୧୦ ଗ୍ରାମ ପ୍ରତି ୫୨, ୧୮୦ ଟଙ୍କା । ଏହା ପରେ ଲଗାତାର ଭାବେ ଦର ହ୍ରାସ ପାଇଥିଲା । ଗୁରୁବାର ୫୨ ହଜାର ଟଙ୍କା ତଳକୁ ଖସିଥିଲା ଦାମ । ସେହିଭଳି ଶୁକ୍ରବାର ୧୦ ଗ୍ରାମକୁ ଦାମ ଥିଲା ୫୧, ୮୬୮ ଟଙ୍କା ।

ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ (IBJA) ପକ୍ଷରୁ କୁହାଯାଇଛି ଯେ, ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଗୋଲ୍ଡ ଦାମ ୬୧୩ ଟଙ୍କା ହ୍ରାସ ପାଇଛି । ଶୁକ୍ରବାର ଭାରତରେ ୨୪ କ୍ୟାରେଟ୍‌ ସୁନା ଦାମ ୧୦ ଗ୍ରାମ ପିଛା ସର୍ବାଧିକ ୫୧, ୮୬୮ ଟଙ୍କା ରହିଥିଲା । ସେହିଭଳି ୨୨ କ୍ୟାରେଟର ମୂଲ୍ୟ ୫୧,୬୬୦ ଟଙ୍କା ଥିଲା । ସୁନା ଗହଣା ଉପରେ ଜିଏସଟି ଅଲଗା ଦେବାକୁ ପଡିଥାଏ । ଟ୍ୟାକ୍ସ ଛଡା ଗଢା ମଜୁରୀ ବା ମେକିଂ ଚାର୍ଜ ମଧ୍ୟ ଦେବାକୁ ହୋଇଥାଏ ।

ଭୁବନେଶ୍ବରରେ ଶନିବାର ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୫୨, ୧୫୦ ଟଙ୍କା ରହିଛି । ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପ୍ରତି ରହିଛି ୪୭,୮୦୦ ଟଙ୍କା । ସୁନା ଦାମ ଗତକାଲି ତୁଳନାରେ ଶନିବାର ସମାନ ଥିବା ବେଳେ ରୁପା ଦାମ କିନ୍ତୁ ହ୍ରାସ ପାଇଛି । ଅଗଷ୍ଟ ୧୯ ତାରିଖରେ ରୁପା ଦର କିଲୋ ପିଛା ୬୨ ହଜାର ଟଙ୍କା ଥିଲା । କିନ୍ତୁ ଆଜି ଅର୍ଥାତ ଶନିବାର ରୁପା ଦାମ କେଜି ପିଛା ୭୦୦ ଟଙ୍କା ହ୍ରାସ ପାଇ ୬୧ ହଜାର ୩୦୦ ଟଙ୍କା ରହିଛି ।

 


Share It

Comments are closed.