ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ‘ପୂର୍ବୋଦୟ’ର ମୁଖଶାଳା ହେବ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର/ଝାରସୁଗୁଡ଼ା/ସମ୍ବଲପୁର, – ଆଗାମୀ ଦିନରେ କୋଇଲା, ଇସ୍ପାତ, ଜ୍ଞାନ ଆଧାରିତ ଅର୍ଥନୀତିର ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପ୍ରଧାନମନ୍ତ୍ରୀ ମୋଦିଙ୍କର ପରିକଳ୍ପନା ‘ପୂର୍ବୋଦୟ’ର ମୁଖଶାଳା ହେବ ଏବଂ ଓଡ଼ିଶାର ଅର୍ଥନୈତିକ, ସାମାଜିକ ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶନିବାର ଜାତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ ଅବସରରେ ଝାରସୁଗୁଡ଼ା ସ୍ଥିତ ବିମାନବନ୍ଦର ପରିସରରେ ତାଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତିକୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅପରପକ୍ଷରେ ପ୍ରତିମୂର୍ତି ଉନ୍ମୋଚନ କରିବା ପରେ ଶ୍ରୀ ପ୍ରଧାନ ବୀର ସୁରେନ୍ଦ୍ର ସାଏଙ୍କୁ ଜନ୍ମସ୍ଥାନ ସମ୍ବଲପୁର ଜିଲ୍ଲା ଖିଣ୍ଡାକୁ ଯାଇ ତାଙ୍କ ଦାୟଦ ମାନଙ୍କୁ ଭେଟି ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଥମେ ଝାରସୁଗୁଡ଼ା ବିମାନବନ୍ଦର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଭାବରେ ନାମିତ ହେବା ଏବଂ ଆଜି ସେହି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତି ଏୟାରପୋର୍ଟ ଠାରେ ପ୍ରତିଷ୍ଠା ହେବା ଝାରସୁଗୁଡା ଓ ଓଡିଆ ଲୋକଙ୍କ ପାଇଁ ଏକ ଐତିହାସିକ କ୍ଷଣ । ଏଥିପାଇଁ ଶ୍ରୀ ପ୍ରଧାନ ଝାରସୁଗୁଡ଼ା ସମେତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାନଦୀ କୋଲ୍ଡ ଫିଲ୍ଡ(ଏମସିଏଲ) ସହଯୋଗରେ ୬୦ ଲକ୍ଷ ଟଙ୍କା ବ୍ୟୟରେ ବୀର ସୁରେନ୍ଦ୍ର ସାଏଙ୍କ ଏହି ପୂର୍ଣ୍ଣାଙ୍ଗ ପ୍ରତିମୂର୍ତି ପ୍ରତିଷ୍ଠା କରାଯାଇଥିବା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୮ ସେପ୍େଟମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ସ୍ଥିତ ବିମାନବନ୍ଦରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ବିମାନବନ୍ଦରକୁ ଏ ମାଟିର ବରପୁତ୍ର ଓ ଶୌର୍ଯ୍ୟର ପ୍ରତୀକ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରି ପ୍ରଧାନମନ୍ତ୍ରୀ ମୋଦି ଏ ମାଟିକୁ ଏବଂ ଓଡ଼ିଆ ଜାତିକୁ ସମ୍ମାନିତ କରିଥିଲେ ।
ସ୍ୱାଧୀନତା ପାଇଁ ସଂଗ୍ରାମରେ ସର୍ବାଧିକ ବର୍ଷ ଜେଲରେ ରହିଥିବା ସଂଗ୍ରାମୀ ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ବୀର ସୁରେନ୍ଦ୍ର ସାଏ । ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନକୁ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳି କରିବା ପାଇଁ ଏଠାରେ ସବୁ ପ୍ରକାର ବ୍ୟବସ୍ଥା ରହିଥିବା ବେଳେ ଏଥିପାଇଁ ସମସ୍ତେ ସାମୂହିକ ଉଦ୍ୟମ କରିବା ଦରକାର ।
ଝାରସୁଗୁଡ଼ାରେ ଅନେକ ଖଣିଜ ସମ୍ବଳ ସହ ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ତ୍ୱରାନ୍ୱିତ କରିବାର ଅପାର ସମ୍ଭାବନା ରହିଛି । ମୋଦି ସରକାର ଏ ଅଂଚଳର ଅର୍ଥନୀତି ଓ ସାମାଜିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ବଦ୍ଧ ପରିକର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ ।
ପ୍ରତିମୂର୍ତି ଉନ୍ମୋଚନ କରିବା ପରେ ଶ୍ରୀ ପ୍ରଧାନ ବୀର ସୁରେନ୍ଦ୍ର ସାଏଙ୍କୁ ଜନ୍ମସ୍ଥାନ ସମ୍ବଲପୁର ଜିଲ୍ଲା ଖିଣ୍ଡାକୁ ଯାଇ ତାଙ୍କ ଦାୟଦ ମାନଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମର ସୁପୂତ୍ର ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଦର୍ଶ ଗ୍ରାମ ହେବ । ଏହିପରି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମମାଟି ଅଂଚଳର ବିକାଶ କରି ଖିଣ୍ଡାକୁ ଆଦର୍ଶ ଗ୍ରାମ ଭାବରେ ପରିଣତ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକବିଂଶ ଶତାବ୍ଦୀରେ ବୀର ସୁରେନ୍ଦ୍ର ସାଏଙ୍କ ଲଢ଼େଇ, ବଳିଦାନ ଓ ପ୍ରେରଣାର ମନ୍ଦିର ତିଆରି କରାଯିବ । ଖିଣ୍ଡାର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଗମନାଗମନ ଓ ଅନ୍ୟାନ୍ୟ ମୌଳିକ ସମସ୍ୟାର ସମାଧାନ କରାଯାଇ ଏହାକୁ ଆଦର୍ଶ ଗାଁ ଭାବରେ ପ୍ରତିଷ୍ଠିତ କରାଯିବ । ଏହା ହିଁ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ତାଙ୍କୁ ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.