ଦେଶରେ ଗତ ୨୪ ଘଣ୍ଟାରେ ୬୩୮୭ ନୂଆ ମାମଲା, ୧୭୦ ମୃତ


ଭାରତରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୮୭ ନୂଆ ମାମଲା ସାମନାକୁ ଆସିଥିବାବେଳେ ପାଖାପାଖି ୧୭୦ ଜଣଙ୍କ ମୃତ୍ୟୁ ଘଟିଛି । ବୁଧବାର ଦିନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ସାରା ଦେଶରେ କରୋନା ସଂକ୍ରମିତଙ୍କ ୧୫୧୭୬୭ରେ ଆସି ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୪୩୩୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ଦେଶରେ ୮୩୦୦୪ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ବର୍ତ୍ତମାନ ସୁଧା ୬୪୪୨୫ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି । କରୋନା ଭାଇରସରେ ସର୍ବାଧିକ ମୃତ୍ୟୁ ୧୭୯୨ ମହାରାଷ୍ଟ୍ରରେ ହୋଇଥିବାବେଳେ ଏଠାରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୫୪୭୫୮ ରେ ଆସି ପହଞ୍ଚିଛି ।
ମହାରାଷ୍ଟ୍ର ପରେ ତାଲିମନାଡୁରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ମାମଲା ସାମନାକୁ ଆସିଛି । ତାମିଲ ନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୭୨୮ରେ ଆସି ପହଞ୍ଚିଥିବାବେଳେ ବର୍ତ୍ତମାନ ସୁଧା ଏହି ଭାଇରସରେ ଆକ୍ରାନ୍ତ ହୋଇ ୧୨୭ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏହି ସବୁ ମଧ୍ୟରେ ୯୩୪୨ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି ।
ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଖୁବ ଦ୍ରୁତ ଗତିରେ ବାଢିବାରେ ଲାଗିଛି । ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୪୬୫ ମାମଲା ସାମନାକୁ ଆସିଥିବାବେଳେ ଏହି ମହାମାରୀ କରୋନା ଭାଇରସ ଯୋଗୁଁ ଏଠାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ୭୨୨୩ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଗୁଜୁରାଟରେ କରୋନା ଭାଇରସ ସଂକ୍ରମିତଙ୍କ ୧୪୮୨୧ରେ ଆସି ପହଞ୍ଚିଛି । ଏହି ଭାଇରସ ଯୋଗୁଁ ୯୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବର୍ତ୍ତମାନ ସୁଧା ୭୧୩୯ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ମଧ୍ୟପ୍ରଦେଶରେ ମଧ୍ୟ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୨୪ରେ ଆସି ପହଞ୍ଚିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ୩୦୫ ଜଣଙ୍କ ମୃତ୍ୟୁ ଘଟିଛି । ଏହା ଛଡା ମଧ୍ୟପ୍ରଦେଶରେ ୩୬୮୯ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।


Share It

Comments are closed.