ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


ରାଜଧାନୀରେ ବିଶ୍ୱସ୍ତରୀୟ କ୍ୟାନ୍‌ସର ହସ୍ପିଟାଲ ସ୍ୱପ୍ନ ପୂରଣ ହେବାକୁ ଯାଉଛି ଖୁବଶୀଘ୍ର। ଆଜି କ୍ୟାନ୍‌ସର ଚିକିତ୍ସାର ଦୁଇଟି ହସ୍ପିଟାଲ ପାଇଁ ଶୁଭ ପକାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜଟଣୀ ଅଞ୍ଚଳରେ ଥିବା ଇନ୍‌ଫୋସିଟି-୨ରେ ୨୦ରୁ ୨୫ ଏକର ଜମି ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦେଇଛନ୍ତି। କ୍ୟାନ୍‌ସରର ସବୁ ବିଶ୍ୱସ୍ତରୀୟ ଚିକିତ୍ସା ଏହି ହସ୍ପିଟାଲରେ ମିଳିବ।

ହସ୍ପିଟାଲ ପାଇଁ ଚଳିତ ବର୍ଷ ଏପ୍ରିଲ ୧୪ରେ ଏମ୍‌ଓୟୁ (ବୁଝାମଣା ପତ୍ର) ସ୍ୱାକ୍ଷର ହୋଇଥିଲା। ଦୁଇ ହସ୍ପିଟାଲର ନିର୍ମାଣ ପାଇଁ ସୁବ୍ରତୋ ଓ ସସ୍ମିତା ବାଗଚୀ ୩୪୦ କୋଟି ଦାନ କରିଛନ୍ତି । ସରକାରଙ୍କ ନିୟନ୍ତ୍ରଣରେ ହସ୍ପିଟାଲ ରହିବ । ଏହାର ପରିଚାଳନା ଦାୟିତ୍ୱ ନେବ ଶ୍ରୀ ଶଙ୍କର କ୍ୟାନ୍‌ସର ଫାଉଣ୍ଡେସନ୍‌ । ପ୍ରାଥମିକ ପର୍ଯ୍ୟାୟରେ ୨୫୦ ବେଡ୍‌ ରହିବ । ପରେ ଏହାକୁ ୫୦୦ ବେଡ୍‌କୁ ବଢାଯିବ । ତେବେ ଏଠାରେ ୨୫% ରୋଗୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳିବ ।

ପାଲିଏଟିଭ୍‌ କେୟାର ସେଣ୍ଟର ପାଇଁ ବାଗଚୀ-କରୁଣାଶ୍ରୟ ହସ୍‌ପିସ୍‌ ଟ୍ରଷ୍ଟ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । କେନ୍ଦ୍ରରେ ଯନ୍ତ୍ରଣା ଉପଶମ ସେବା ଯୋଗାଇ ଦିଆଯିବ । ଉଭୟ ହସ୍ପିଟାଲ ୨୦୨୪ ସୁଦ୍ଧା ନିର୍ମାଣ ସରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର କରିଛନ୍ତି । ଉପସ୍ଥିତ ରହିଥିଲେ ସୁବ୍ରତୋ ଓ ସସ୍ମିତା ବାଗଚୀ, ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ପରିଚାଳନା ଟ୍ରଷ୍ଟି ଡ. ଶ୍ରୀନାଥ ବି ଏସ୍‌ । ହସ୍ପିଟାଲରେ କେମୋ ଥେରାପି, ଇମ୍ୟୁନୋଥେରାପି, କ୍ୟାନ୍‌ସର ସର୍ଜରୀ, ରେଡିଏସନ୍‌ ଥେରାପି, ପେଟ ସିଟି, ଏଣ୍ଡୋସ୍କୋପି, ଡାଇଗ୍ନୋସିସ୍‌, କ୍ଲିନିକାଲ ପାଥୋଲୋଜି, ହିଷ୍ଟୋପାଥୋଲୋଜି, କ୍ରିଟିକାଲ କେୟାର, ଆଡ଼ଭାନ୍ସ ଇମାଜିଂ ଓ ଟେଲିମେଡିସିନ୍‌ ସେବା ମିଳିବ ।

ଖାଲି ରୋଗୀ ଚିକିତ୍ସା ନୁହେଁ, କ୍ୟାନ୍‌ସର ରୋଗର ବିଶ୍ୱସ୍ତରୀୟ ଗବେଷଣା ମଧ୍ୟ ଏଠାରେ ହେବ । କ୍ୟାନ୍‌ସରର ନୂଆ ନୂଆ ଚିକିତ୍ସାଠୁ ଆରମ୍ଭ କରି ଅନ୍ୟ ଦିଗକୁ ନୂଆ ଦିଶା ଦେବ ଜଟଣୀରେ ହେବାକୁ ଥିବା କ୍ୟାନ୍‌ସର ହସ୍ପିଟାଲ । ପ୍ରଥମେ ବାରଙ୍ଗରେ ଟାଟା ଟ୍ରଷ୍ଟ ସହ ମିଶି ସରକାର କ୍ୟାନ୍‌ସର ହସ୍ପିଟାଲ ଖୋଲିବାକୁ ଏମ୍‌ଓୟୁ କରିଥିଲେ । ତେବେ ଶେଷରେ ପ୍ରକଳ୍ପ ନ ଆଗେଇବାରୁ ସରକାର ଏହାକୁ ବାତିଲ କରିଥିଲେ ।


Share It

Comments are closed.