ମାନବିକତାର ପରିଚୟ ଦେଲେ ଅଟୋ ଚାଳକ, ନିଜ ବିବାହ ପାଇଁ ରଖିଥିବା ସଞ୍ଚିତ ଟଙ୍କାରେ ଅସହାୟଙ୍କୁ କଲେ ସହାୟତା


କରୋନା ଭାଇରସ ସଙ୍କଟ ମଧ୍ୟରେ ଅନେକ ବ୍ୟକ୍ତି ମାନବିକତାର ପରିଚୟ ଦେଉଥିବାବେଳେ ଠିକ ଏଭଳି ଆଉ ଏକ ହୃଦୟସ୍ପର୍ଶୀ ଘଟଣା ପୁଣିଥରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ପୁଣେରେ ଜଣେ ଅଟୋ ରିକ୍ସା ଚାଳକ ନିଜର ବିବାହ ପାଇଁ ୨ ଲକ୍ଷ ଟଙ୍କାର ରାଶି ଜମା କରିଥିଲେ । କିନ୍ତୁ କରୋନା ମହାମାରୀ ଯୋଗୁଁ ତାଙ୍କ ବିବାହ ସ୍ଥଗିତ ରହିଯିବା ହେତୁ ସେ ସଞ୍ଚୟ ରଖିଥିବା ଉକ୍ତ ଟଙ୍କା ରାଶିକୁ ପ୍ରବାସୀ ଶ୍ରମିକଙ୍କ ସହାୟତା ଲାଗି ବର୍ତ୍ତମାନ ଖର୍ଚ୍ଚ କରୁଛନ୍ତି ।
ଉକ୍ତ ବ୍ୟକ୍ତିଙ୍କ ନାମ ଅକ୍ଷୟ କୋଠାୱାଲେ ଅଟେ । କେବଳ ଏତିକି ନୁହେଁ ବୃଦ୍ଧ ଏବଂ ଗର୍ଭବତୀ ମହିଳାଙ୍କୁ ମାଗଣାରେ ଡାକ୍ତରଙ୍କ କ୍ଲନିକ ଏବଂ ହସ୍ପିଟାଲରେ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରୁଛନ୍ତି । ଏହା ସହ ସହରର ଜନସାଧାରଣଙ୍କୁ କରୋନା ଭାଇରସରୁ ବଞ୍ଚିବା ପାଇଁ ସଚେତନ ମଧ୍ୟ କରାଉଛନ୍ତି । ନିଜ ବିବାହ ପାଇଁ ସଞ୍ଚୟ ରଖିଥିବା ଟଙ୍କା ରାଶିରେ ଅକ୍ଷୟ ନିଜ ସାଙ୍ଗଙ୍କ ସହଯୋଗରେ ପ୍ରତ୍ୟେକ ଦିନ ୪୦୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଏବଂ ସହରର କୋଣଅନୁକୋଣରେ ଫଶି ରହିଥିବା ଦୁଃଖୀ, ଅସହାୟ ଏବଂ ଅକ୍ଷମ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ।
ବିନମ୍ର ସ୍ୱଭାବର ବ୍ୟକ୍ତି ଅକ୍ଷୟ କହିଛନ୍ତି ଯେ, “ଏହିଭଳି ଘଡିସନ୍ଧି ମୂହୂର୍ତ୍ତରେ ଦୁଃଖୀ ଏବଂ ଅସହାୟଙ୍କୁ ସାହାଯ୍ୟ କରି ତାଙ୍କ ଖୁସି ମିଳେ । ” ସେ କହିଛନ୍ତି ଯେ, “ଅଟୋ ଚଳାଇ ମୁଁ ୨ ଲକ୍ଷ ସଞ୍ଚୟ କରିଥିଲେ । ମୋ ବିବାହ ୨୫ ମେ’ରେ ହେବାକୁ ଥିଲା । ଲକ୍‌ଡାଉନକୁ ଦୃଷ୍ଟିରେ ରଖି ମୁଁ ଏବଂ ମୋର ଭାବି ପତ୍ନୀ ନିଷ୍ପତି ନେଲୁ ଯେ ବିବାହକୁ ବର୍ତ୍ତମାନ ସ୍ଥଗିତ ରଖିବା ପାଇଁ । ମୁଁ ବର୍ତ୍ତମାନର ଘଡିସନ୍ଧି ମୂହୂର୍ତ୍ତରେ ରାସ୍ତାରେ ଏଭଳି ଅନେକ ବ୍ୟକ୍ତିଙ୍କୁ ଦେଖୁଛି ଯେଉଁମାନେକି ଗୋଟିଏ ଓଳି ଖାଇବା ପାଇଁ ଏବଂ ବଞ୍ଚି ରହିବା ପାଇଁ ସଂଘର୍ଷ କରୁଛନ୍ତି । ସେଥିପାଇଁ ମୁଁ ଏବଂ ମୋ ସାଙ୍ଗ ଏହି ଅସହାୟ ଲୋକମାନଙ୍କୁ ସାହାଯ୍ୟ ଏବଂ ସହଯୋଗ କରୁଛୁ । ମୁଁ ମୋ ବିବାହ ପାଇଁ ସଞ୍ôଚତ ରଖିଥିବା ଟଙ୍କାରେ ଅସହାୟ ଲୋକଙ୍କ ପାଇଁ ଯୋଗାଇ ଦେବା ପାଇଁ ନିଷ୍ପତି ନେଇଛି । ସାଙ୍ଗମାନେ ମଧ୍ୟ ସହଯୋଗ କରିଛନ୍ତି ।”


Share It

Comments are closed.