ଭଲ ଖବର : ଓଡିଶାରେ ଏକସଙ୍ଗେ ସୁସ୍ଥ ହେଲେ ୫୨ କରୋନା ଆକ୍ରାନ୍ତ


ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ଦେଶରେ ଗତ ୨୪ ଘଣ୍ଟାରେ ୫୨୪୨ ନୂଆ ସାମନାକୁ ଆସିଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୧୫୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଏହି ସବୁ ମଧ୍ୟରେ ଓଡିଶା ପାଇଁ ଏକ ଖୁସିର ଖବର ସାମନାକୁ ଆସିଛି । ଖବରଟି ଏହା ଯେ, ଓଡିଶାରେ ଏକସଙ୍ଗେ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୭୭ରେ ଆସି ପହଞ୍ଚିଛି । ଅର୍ଥାତ ରାଜଧାନୀ ଭୁବନେଶ୍ୱରରେ ଜଣେ ହେଲେ ସକ୍ରିୟ କରୋନା ଆକ୍ରାନ୍ତ ନ ଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ରାଜଧାନୀ ଭୁବନେଶ୍ବର ସହିତ କରୋନାମୁକ୍ତ ହୋଇଛି ଜଗତସିଂହପୁର ଜିଲ୍ଲା।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଟୁଇଟ୍ ଅନୁଯାୟୀ ଗଞ୍ଜାମରୁ ୪୦ ଜଣ, ଜଗତସିଂହପୁରରୁ ୫ ଜଣ, ମୟୂରଭଞ୍ଜରୁ ୪ ଜଣ, ଭୁବନେଶ୍ୱରରୁ ୩ ଜଣ, ବଲାଙ୍ଗୀରରୁ ୨ ଜଣ ଏବଂ ସୁନ୍ଦରଗଡ଼,ବାଲେଶ୍ୱର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୯୫କୁ ହ୍ରାସ ପାଇ ଥିବା ବେଳେ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ରାଜ୍ୟରେ ଆଜି ସକାଳେ ୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣଙ୍କୁ ଛାଡ଼ି ଦେଲେ ଅବଶିଷ୍ଟ ୪୭ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଶେଷ ଜଣକ ଜେଲରେ ଥିବାର ସୂଚନା ମିଳିଛି, ଉକ୍ତ ଆକ୍ରାନ୍ତ ପୁରୀର ବୋଲି ଜଣାଯାଇଛି। ୪୮ ପଜିଟିଭ ଭିତରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୧୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ୧୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ୨ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ କେନ୍ଦ୍ରାପଡ଼ାରୁ ୩ଜଣ, ପୁରୀରୁ ୪ଜଣ, ନୟାଗଡ଼ ଜିଲ୍ଲାରୁ ୩ଜଣ ଏବଂ ଖୋର୍ଦ୍ଧା, ବୌଦ୍ଧ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ପ୍ରକାଶ ଥାଉକି, ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬୧୬୯ରେ ଆସି ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରେ ମୋଟ ୫୬,୩୧୬ଟି ଆକ୍ଟିଭ କେସ ରହିଛି । ସେହିଭଳି ୩୬,୮୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏହି ଭାଇରସ ସଂକ୍ରମଣ ଯୋଗୁଁ ୩,୦୨୯ ଜଣଙ୍କ ମୃତ୍ୟୁ ଘଟିଛି ।


Share It

Comments are closed.