ଏକା ସାଙ୍ଗରେ ଆଲଫା-ଡେଲ୍‌ଟା ଦୁଇଟି ଷ୍ଟ୍ରେନରେ ଆକ୍ରାନ୍ତ ହେଲେ ମହିଳା ଡାକ୍ତର


ଆସାମର ଜଣେ ମହିଳା ଡାକ୍ତର ଏକା ସାଙ୍ଗରେ କରୋନା ଭାଇରସର ଦୁଇଟି ଷ୍ଟ୍ରେନ୍‌ରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ନମୁନାରୁ ଉଭୟ ଆଲ୍‌ଫା ଓ ଡେଲ୍‌ଟା ଷ୍ଟ୍ରେନ ଚିହ୍ନଟ କରାଯାଇଛି । ଦୁଇଟି ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହେବା ପରେ ମଧ୍ୟ ତାଙ୍କ ନିକଟରେ କୌଣସି ଗୁରୁତର ଲକ୍ଷଣ ଦେଖାଯାଇନାହିଁ । ହସ୍ପିଟାଲ ଚିକିତ୍ସା ବିନା ମହିଳା ଜଣକ ସୁସ୍ଥ ହୋଇପାରିଥାନ୍ତେ ବୋଲି ତାଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ପ୍ରକାଶ କରିଛନ୍ତି । ପୂର୍ବରୁ ବ୍ରିଟେନ, ବ୍ରାଜିଲ ଏବଂ ପର୍ତ୍ତୁଗାଲରେ ଏଭଳି ମାମଲା ଦେଖା ଯାଇଥିଲେ ମଧ୍ୟ ଭାରତରେ ପ୍ରଥମ ଥର ପାଇଁ ଜଣଙ୍କ ଶରୀରରେ ଏକା ସାଙ୍ଗରେ ୨-୨ଟି କରୋନା ଭାଇରସ ଷ୍ଟ୍ରେନ ଚିହ୍ନଟ କରାଯାଇଛି ।

ବିଶେଷଜ୍ଞଙ୍କ ମୁତାବକ ଜଣେ ଗୋଟିଏ ଷ୍ଟ୍ରେନରେ ସଂକ୍ରମିତ ହେବାର ୨-୩ ଦିନ ମଧ୍ୟରେ ଅନ୍ୟ ଏକ ଷ୍ଟ୍ରେନ ସଂସ୍ପର୍ଶରେ ଆସିଲେ ଏଭଳି ହୋଇପାରେ । ସଂକ୍ରମିତ ହେବାର ୨-୩ ଦିନ ମଧ୍ୟରେ ଶରୀରରେ ଭାଇରସ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇନଥିବାରୁ ଏପରି ହୋଇଥାଏ । ତେବେ ଏହାକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ସୂଚନା ଥାଉ କି, ୨-୨ଟି ଷ୍ଟ୍ରେନରେ ସଂକ୍ରମିତ ହୋଇଥିବା ମହିଳା ଜଣକ ଉଭୟ ଡୋଜ କରୋନା ପ୍ରତିଷେଧକ ଟିକା ନେଇଥିଲେ । ସେ ଟିକା ନେଇଥିବା କାରଣରୁ ତାଙ୍କ ଶରୀରରେ ସେଭଳି କରୋନା ଲକ୍ଷଣ ଦେଖା ଯାଇନଥିବା ଅନୁମାନ କରାଯାଉଛି ।


Share It

Comments are closed.