ଡ୍ରାଗନକୁ ଆଉ ଏକ ଝଟକା, ଭାରତ ପରେ ଏବେ ଆମେରିକା ମଧ୍ୟ ବ୍ୟାନ କରିପାରେ ଚାଇନିଜ ଆପ


ଭାରତ ଚୀନ ବିରୁଦ୍ଧରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିବା ପରେ ଏବେ ଆମେରିକା ମଧ୍ୟ ନିଜ ଦେଶରେ କିଛି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛି। ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି ଯେ ଚୀନ୍‌ର ଆପକୁ ନିଷିଦ୍ଧ କରିବାକୁ ଆମେରିକା ନିଶ୍ଚିତ ଭାବେ ପ୍ରସ୍ତୁତ ହେଉଛି, ଏଥିରେ ପ୍ରସିଦ୍ଧ ଆପ୍ ଟିକ୍-ଟକ୍ ମଧ୍ୟ ଅନ୍ତର୍ଭୁକ୍ତ ହେବ।

ମାଇକ୍ ପୋମ୍ପିଓଙ୍କର ଏହି ବିବୃତ୍ତି ଚାଇନାକୁ ଡବଲ ଝଟକା ଦେଇପାରେ। ଚୀନ୍‌ର ୫୯ ଟି ଆପକୁ ଭାରତ ନିଷିଦ୍ଧ କରିସାରିଛି, ଯାହାକୁ ନେଇ କମ୍ପାନୀଗୁଡିକ ଭାରତ ସରକାରଙ୍କ ସହ ବାରମ୍ବାର କଥାବାର୍ତ୍ତା କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ନିଷ୍ପତ୍ତି ବଦଳାଇବାକୁ କୌଣସି ସୂଚନା ନାହିଁ।

ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଚୀନ୍‌ର ୫୯ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ନିଷ୍ପତ୍ତି ନେଇଛି। ସମସ୍ତେ ଏହି ନିଷ୍ପତ୍ତିକୁ ଚୀନ୍ ବିରୋଧରେ ଡିଜିଟାଲ୍ ଷ୍ଟ୍ରାଇକ୍ ବୋଲି କହିଛନ୍ତି। ଚାଇନିଜ୍ ଆପ୍ ଉପରେ ନିଷେଧାଦେଶ ପରେ ଭାରତୀୟ ଆପର ଚାହିଦା ବଢ଼ିବାରେ ଲଗିଛି । ଟିକ୍-ଟକ୍ ବଦଳରେ ଚିଙ୍ଗାରି ଏବଂ ଧକଧକ୍, କ୍ୟାମସ୍କାନର୍ ବଦଳରେ ସ୍କାନ୍ କରୋ ଆପ୍ ଏବଂ ସେୟାର ଇଟ ପରିବର୍ତ୍ତେ ସେୟାର ଚାଟ ଆଦିର ଡାଉନଲୋଡ୍ ବଢ଼ିବାରେ ଲାଗିଛି ।

ଏଥି ସହିତ ପୋମ୍ପିଓ କହିଛନ୍ତି ଯେ ଆମେରିକାକୁ ଚୀନ୍ ସହିତ ଭିନ୍ନ ଢଙ୍ଗରେ ମୁକାବିଲା କରିବାକୁ ପଡିବ କାରଣ ଅଧିକ ରାଜନୈତିକ ସ୍ୱାଧୀନତା ପାଇବା ଆଶାରେ ସେମାନଙ୍କୁ ଆର୍ଥିକ ସୁଯୋଗ ଯୋଗାଇବାର ପୁରୁଣା ନୀତି କାମ କରୁନାହିଁ।

ପମ୍ପିଓ କହିଛନ୍ତି, ‘ଅଧିକ ଅର୍ଥନୈତିକ ସୁଯୋଗ ପ୍ରଦାନ କରି ଚାଇନାବାସୀଙ୍କୁ ଅଧିକ ରାଜନୈତିକ ସ୍ବାଧୀନତା ଏବଂ ଅଧିକ ମୌଳିକ ଅଧିକାର ପ୍ରଦାନ କରୁଥିବା ସିଦ୍ଧାନ୍ତ ଠିକ୍ ପ୍ରମାଣିତ ହୋଇନାହିଁ। ଏହା କାମ କଲା ନାହିଁ ମୁଁ ପୁରୁଣା ଶାସକମାନଙ୍କୁ ସମାଲୋଚନା କରୁନାହିଁ, ଆମେ ସ୍ପଷ୍ଟ ଭାବରେ ଦେଖିପାରୁଛୁ ଯେ ଏହା ସଫଳ ହୋଇନାହିଁ ଏବଂ ଏହାର ଅର୍ଥ ହେଉଛି ଆମେରିକାକୁ ଅନ୍ୟ ଏକ ମାର୍ଗ ନେବାକୁ ପଡ଼ିବ। ‘


Share It

Comments are closed.