ଏହି ପାଂଚୋଟି ଜିନିଷକୁ ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ ଉପହାର, ହୋଇଥାଏ ଅତ୍ୟନ୍ତ ଅଶୁଭ


ପୃଥିବୀରେ ଉପହାର ଆଦାନ ପ୍ରଦାନର ପରମ୍ପରା ବହୁ ପ୍ରଚୀନ କାଳରୁ ଚାଲିଆସୁଛି | ଉପହାର ପାରସ୍ପରିକ ସମ୍ପର୍କ, ସ୍ନେହ ଓ ସୌହାର୍ଦ୍ଧ୍ୟାକୁ ମଜବୁତ କରିଥାଏ | ପରସ୍ପର ପ୍ରତି ରହିଥିବା ମନୋଭାବକୁ ମଧ୍ୟ ପ୍ରକାଶ କରିଥାଏ | ତେବେ ଉପହାର ଦେବା ସମୟରେ ଆମକୁ ଯାହା ପସନ୍ଦ ଆସେ ତାହା ଆମେ କିଣି ଉପହାର ଦେଇଦେଇଥାଉ । କିନ୍ତୁ ବାସ୍ତୁ ଶାସ୍ତ୍ରରେ କେତେକ ଜିନିଷକୁ ଉପହାରରେ ଦେବା ପାଇଁ ବାରଣ କରାଯାଇଛି । କେଉଁ ଅବସର ପାଇଁ କଣ ଉପହାର ଦେବା ଉଚିତ ସେ ନେଇ ବାସ୍ତୁ ଶାସ୍ତ୍ରରେ ବିସ୍ତୃତ ପରାମର୍ଶ ଦିଆଯାଇଛି | ଆଜି ଆମେ ଏମିତି ୫ଟି ଜିନିଷ ବିଷୟରେ ଆଲୋଚନା କରିବା ଯାହା କେବେ ବି କାହାକୁ ଉପହାରରେ ଦେବା ଉଚିତ ନୁହେଁ | ଏଭଳି ଉପହାର ଦେବା ଓ ନେବା ଉଭୟଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ |

୧. ଶ୍ରୀ ଗଣେଶ ଏବଂ ଶ୍ରୀ ଲକ୍ଷ୍ମୀଙ୍କ ମୂର୍ତ୍ତି : ଶ୍ରୀ ଗଣେଶଙ୍କୁ ଆମେ ଅଗ୍ରପୂଜ୍ୟ ଏବଂ ଅଗ୍ରଦେବତା ଭାବେ ପୂଜା କରିଥାଉ | ସେହିଭଳି ବିଷ୍ଣୁ ପତ୍ନୀ ମହାଲକ୍ଷ୍ମୀଙ୍କୁ ମଧ୍ୟ ଧନଦେବୀ ଭାବେ ପୂଜା କରିଥାଉ | ବିଭିନ୍ନ ପୂଜା ଅନୁଷ୍ଠାନରେ ଗଣେଶ ଏବଂ ଲକ୍ଷ୍ମୀଙ୍କୁ ଏକତ୍ର ପୂଜା ମଧ୍ୟ କରାଯାଇଥାଏ | ଶ୍ରୀ ଗଣେଶଙ୍କ ମୂର୍ତ୍ତି ବା ଶ୍ରୀ ଲକ୍ଷ୍ମୀଙ୍କ ମୂର୍ତ୍ତି କାହାକୁ ଉପହାର ଦେବାରେ କିଛି ଅସୁବିଧା ନାହିଁ | ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏ ଦୁହିଁଙ୍କୁ ମିଶାଇ ଉପହାର ଦେବା ଅଶୁଭ | ଯୁକ୍ତି ହେଉଛି ଶ୍ରୀ ଗଣେଶ ହେଉଛନ୍ତି ବିଦ୍ୟାଧିପତି ଏବଂ ଅଗ୍ରପୂଜ୍ୟ | ଶ୍ରୀ ଲକ୍ଷ୍ମୀ ହେଉଛନ୍ତି ବିଷ୍ଣୁ ପତ୍ନୀ | ଶ୍ରୀ ଗଣେଶଙ୍କ ମାତୃବତ୍ତ ତେଣୁ ଏ ଦୁହିଁଙ୍କୁ ଏକାଠି କରିବା ଅନୁଚିତ | ଦୁହିଁଙ୍କୁ ମିଶାଇ ଉପହାର ଦେଲେ ଧନ କଷ୍ଟ ପଡିବା ଆଶଙ୍କା ରହିଥାଏ |

୨. ଧାରୁଆ ଅସ୍ତ୍ର : ଚାକୁ, ଛୁରୀ, କାତି ଆଦି ଧାରୁଆ ଅସ୍ତ୍ର ଯେ କେବଳ ଅନିଷ୍ଟ କରିବା ପାଇଁ ହୋଇଥାଏ ତା’ ନୁହେଁ ଏସବୁ ଜିନିଷ ମଧ୍ୟ ଆମର କଲ୍ୟାଣ କାର୍ଯ୍ୟରେ ଲାଗିଥାଏ | କିନ୍ତୁ ଉପହାରରେ ଏହା ଦେବା ଅଶୁଭ ବୋଲ ବାସ୍ତୁଶାସ୍ତ୍ରରେ କୁହାଯାଇଛି | କାରଣ ହେଉଛି ଆମେ ସମ୍ପର୍କର ଅଭିବୃଦ୍ଧି ପାଇଁ ଉପହାର ପ୍ରଦାନ କରିଥାଉ | କିନ୍ତୁ ଧାରୁଆ ଅସ୍ତ୍ର ଯେକୌଣସି ଜିନିଷକୁ କାଟିବାର କ୍ଷମତା ରହିଥାଏ | ଯେଉଁଠି ଯୋଡିବା କଥା ଗୁରୁତ୍ୱପୂର୍ଣ ସେଠାରେ କାଟିବା ଜିନିଷ ନିଶ୍ଚୟ ହାନିକାରକ | ତେଣୁ ସମ୍ପର୍କ କ୍ଷେତ୍ରରେ ଧାରୁଆ ଅସ୍ତ୍ର ସର୍ବଦା ବର୍ଜନୀୟ | କେବଳ ସେତିକି ନୁହେଁ ଧାରୁଆ ଅସ୍ତ୍ର ସର୍ବଦା ତାମସିକ ଶକ୍ତି ଉତ୍ପନ୍ନକାରୀ | ତେଣୁ ଉପହାରରେ ତାମସିକ ଜିନିଷ ଦେଇ ସମ୍ପର୍କକୁ ତିକ୍ତ ହେବାର ଆଶଙ୍କା ରହିଥାଏ |

୩. କଳା ବସ୍ତ୍ର ଓ କଳା ଜୋତା : ମାଙ୍ଗଳିକ କାର୍ଯ୍ୟରେ କଳାକୁ ସର୍ବଦା ଅଶୁଭ ବୋଲି ଗ୍ରହଣ କରାଯାଇଛି | କଳା ମଧ୍ୟ ନକାରାତ୍ମକ ଶକ୍ତିର ପ୍ରତୀକ | ତେଣୁ ଶୁଭ କାର୍ଯ୍ୟରେ ସାଧାରଣତଃ କଳା ରଙ୍ଗକୁ ବର୍ଜନ କରାଯାଇଛି | ତେଣୁ କଳା ରଙ୍ଗ ବସ୍ତ୍ର ଉପହାର ଆକାରରେ ପ୍ରଦାନ ମଧ୍ୟ କ୍ଷତିକାରକ | କଳା ରଙ୍ଗର ଜୋତାକୁ ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ | ତେଣୁ ଏହାକୁ ମଧ୍ୟ ଉପହାର ନଦେବା ଭଲ |

୪. ରୁମାଲ : ରୁମାଲ ଆମେ ସବୁବେଳେ ପାଖରେ ରଖିଥାଉ | ହାତ, ମୁହଁ ପୋଛିବାକୁ ଦରକାର ହୋଇଥାଏ ରୁମାଲ | କିନ୍ତୁ କେହି ଯଦି କାନ୍ଦିଥାଏ ତା’ହେଲେ ଆମେ ଲୁହ ପୋଛିବା ପାଇଁ ରୁମାଲ ଅନ୍ୟକୁ ବଢ଼େଇ ଦେଇଥାଉ | ରୁମାଲ ଦେବା ଅର୍ଥ ପ୍ରାୟ ଲୁହ ପୋଛିବା ପାଇଁ ବୋଲି ବିବେଚନା କରାଯାଇଥାଏ | ତେଣୁ ତତ୍କାଳୀନ ନ୍ୟାୟରେ ଖୁସି ଓ ଶୁଭ ଅବସରରେ ରୁମାଲ ଉପହାର ଦେବା ଠିକ ନୁହେଁ ବୋଲି ବିବେଚନା କରାଯାଏ | ଠିକ ସେହିଭଳି ବାସ୍ତୁ ଶାସ୍ତ୍ରରେ ମଧ୍ୟ ରୁମାଲ ଉପହାର ଦେବାକୁ ବାରଣ କରାଯାଇଛି |

୫. ସିଂହର ଚିତ୍ର : ଉପହାର ଆକାରରେ ଆମେ ବିଭିନ୍ନ ୱାଲ ହ୍ୟାଙ୍ଗିଙ୍ଗ୍ ଜିନିଷ ଦେଇଥାଉ | ସେଥିରେ ପୋଷ୍ଟର, ଫଟୋଚିତ୍ର, ପ୍ଲାଷ୍ଟିକ ରୁବି ମଧ୍ୟ ରହିଥାଏ | ହେଲେ ମାନେ ରଖନ୍ତୁ ସିଂହ ଚିତ୍ର ଥିବା କୌଣସି ହ୍ୟାଙ୍ଗିଙ୍ଗ୍ ଜିନିଷ, ପୋଷ୍ଟର କାହାକୁ କେବେ ଉପହାର ଦେବେନାହିଁ | ଜ୍ୟୋତିଷ ଶାସ୍ତ୍ରରେ ସିଂହକୁ ସ୍ନେହୀ ଜନ୍ତୁର ଆଖ୍ୟା ଦିଆଯାଇଛି | ସିଂହ ଅତ୍ୟଧିକ ସ୍ନେହୀ ହୋଇଥାଏ | କିନ୍ତୁ ଏକଥା ମଧ୍ୟ ଭୁଲିଯିବା ଉଚିତ ନୁହେଁ ଯେ, ସିଂହ ଅତ୍ୟନ୍ତ ହିଂସ୍ର ଓ ଭୟଙ୍କର | ସିଂହ ଛବି ଉପହାର ଦେଲେ ସମ୍ପର୍କ ରକ୍ତାକ୍ତ ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି |


Share It

Comments are closed.