ନିଶାସକ୍ତ ଆମ୍ବୁଲାନ୍ସ କର୍ମଚାରୀ ହେଲେ ନିଲମ୍ବିତ


ଭୁବନେଶ୍ୱର: ଅନେକ ସମୟରେ ନିଜର ମାନବିକତା ଦେଖାଇ ସର୍ବସାଧାରଣରେ ପ୍ରଂଶସା ସାଉଁଟିଛନ୍ତି ଅନେକ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏବଂ ସେଥିମଧ୍ୟରୁ କିଛି କର୍ମଚାରୀଙ୍କର ବେନିୟମ କାର୍ଯ୍ୟକଳାପ ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସେହିପରି ନିକଟରେ ନିଶାସକ୍ତ ଅବସ୍ତାରେ ଆମ୍ବୁଲାନ୍ସରେ ରୋଗୀ ସ୍ତାନାନ୍ତର କରୁଥିବା ଦୁଇଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିସ୍କାର କରାଯାଇଛି । ଏଥିରୁ ସ୍ପଷ୍ଟ ପ୍ରତିପାଦିତ ହେଉଛିଯେ ରାଜ୍ୟରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ପରିଚାଳନା କରୁଥିବା ସଂସ୍ଥା, ଜିକିତ୍ସା ହେଲଥ କେୟାର ଲିମିଟେଡ଼ ସୁରକ୍ଷିତ ସ୍ୱାସ୍ତ୍ୟସେବା ଯୋଗାଇଦେବାରେ ବାସ୍ତବରେ କେତେ ପ୍ରତିଶୃତିବଦ୍ଧ । ଖବର ଅନୁଯାୟୀ ଦେଉଳି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଅବସ୍ଥାନିତ ୧୦୮ ଆମ୍ବୁଲାନ୍ସ ( ଗାଡ଼ି ନଂ. ଓଡ଼ି୦୨ବିଏନ୫୩୭୪) ଏକ ରୋଗୀକୁ ବାଲେଶ୍ୱରରୁ କଟକ ସ୍ତାନାନ୍ତର କରୁଥିବା ସମୟରେ ଏଥିରେ ଥିବା ପାଇଲଟ ଜଣକ ବାଟରେ ଅତିକ୍ରମ କରୁଥିବା ଅନେକ ଗାଡ଼ିକୁ ପାଇପରେ ପିଟି ଚାଲୁଥିଲେ । ଏଥି ସହିତ ଆମ୍ବୁଲାନ୍ସରେଥିବା ଉଭୟ ଡ୍ରାଇଭର ରଜତ କୁମାର ଦାସ ଏବଂ ପାଇଲଟ ଦେବାଶିଷ ଦାସ ନିଶାସକ୍ତ ମଧ୍ୟ ଥିଲେ । ଉକ୍ତ ଆମ୍ବୁଲାନ୍ସ ପଛରେ ଆସୁଥିବା ସମ୍ବିତ ବିଶ୍ୱକର୍ମା ଓଝା ନାମକ ଜଣେ ଯାତ୍ରୀ ଏହାକୁ ଲକ୍ଷକରି ତାଙ୍କୁ ଅନୁସରଣ ମଧ୍ୟ କରିଥିଲେ । ସମ୍ବିତ୍ ଏହିସବୁ ଘଟଣା ଗୁଡ଼ିକ ନିଜ ମୋବାଇଲରେ ରେକର୍ଡ଼ିଂ କରିବା ସହ ଧାମନଗରଠାରେ ଆମ୍ବୁଲାନ୍ସକୁ ଅଟକାଇଥିଲେ ।
ଏହାପରେ ସେହି ଯାତ୍ରୀ ଜଣକ ୧୦୮ ହେଲପ ଲାଇନ ନମ୍ବରକୁ କଲ୍ କରି ଅଭିଯୋଗ ଦାୟର କରିବା ସହ ନିକଟସ୍ଥ ପୋଲିସ୍ କର୍ମଚାରୀଙ୍କୁ ମଧ୍ୟ ଅବଗତ କରାଇଥିଲେ । ସ୍ଥାନୀୟ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଉକ୍ତ ୧୦୮ ଆମ୍ବୁଲାନ୍ସରେଥିବା ଡ୍ରାଇଭର ଏବଂ ଆଟେଣ୍ଡାଂଟଙ୍କର ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଯାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ପ୍ରଥମତଃ ଆମ୍ବୁଲାନ୍ସ କର୍ମଚାରୀ ନିଶା ସେବନକରି ରୋଗୀଙ୍କୁ ସ୍ଥାନାନ୍ତର କରିବା ଏବଂ ରୋଗୀ ସ୍ତାନାନ୍ତର ସମୟରେ ବାଟରେ ଏତେ ଥର ଗାଡ଼ି ଅଟକାଇବା ବାସ୍ତବରେ କେତେ ଯୁକ୍ତିସଙ୍ଗତ ବୋଲି ଦର୍ଶାଇଛନ୍ତି । ଉକ୍ତ ଅଭିଯୋଗ ପରେ କମ୍ପାନୀ ପକ୍ଷରୁ ସେହି କର୍ମଚାରୀଙ୍କୁ ନିଲମ୍ବିନ କରାଯାଇଛି । ସୁରକ୍ଷିତ ରୋଗୀ ସ୍ତାନାନ୍ତରକୁ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବାସ୍ତବରେ ସ୍ୱାଗତଯୋଗ୍ୟ ।
ଏହି ପରିପ୍ରେକ୍ଷୀରେ ଜିକିତ୍ସା ହେଲଥ କେୟାର ଲିମିଟେଡ଼ ପକ୍ଷରୁ ଓଡ଼ିଶା ମୁଖ୍ୟ, ଶ୍ରୀଯୁକ୍ତ ସବ୍ୟସାଚୀ ବିଶ୍ୱାଳ କହିଛନ୍ତିଯେ, “ଜିକିତ୍ସା ସର୍ବଦା ସୁରକ୍ଷିତ ରୋଗୀ ସ୍ତାନାନ୍ତରକୁ ପ୍ରାଧାନ୍ୟ ଦେଇଆସିଛି । ତେଣୁ ଆମ୍ଭେମାନେ ନିଶାସକ୍ତ ତଥା ବେନିୟମ କାର୍ଯ୍ୟ କରିଥିବା ସେହି ଆମ୍ବୁଲାନ୍ସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛୁ । ସୁରକ୍ଷିତ ଏବଂ ସଠିକ୍ ସମୟରେ ରୋଗୀଙ୍କୁ ସେବା ଯୋଗାଇବା ସୁନିଶ୍ଚିତ କରିବା ପାଇଁ କମ୍ପାନୀ ସର୍ବଦା ପ୍ରତିଶୃତିବଦ୍ଧ ।” ଏହି ଘଟଣା ସମ୍ପର୍କରେ ଆମ୍ବୁଲାନ୍ସକୁ ଅନୁସରଣ କରୁଥିବା ସମ୍ବିତ୍ କହିଛନ୍ତିଯେ, ” ଉକ୍ତ ଘଟଣା ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ସତରେ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଉଚିତ୍ ଶିକ୍ଷା ଦେଇପାରିଛି । ଯାହାକି ଭବିଷ୍ୟତରେ ଏହିପରି ଘଟଣାର ପୁନରାବୃତିକୁ ମଧ୍ୟ ରୋକିବାରେ ସହାୟକ ହୋଇପାରିବ । ଆଗକୁ ରୋଗୀଙ୍କ ସୁରକ୍ଷିତ ସ୍ତାନାନ୍ତରକୁ ନିଶ୍ଚିତ କରିବା ପାଇଁ ଆହୁରି ଅନେକ ପଦକ୍ଷେପ ନିଆଯିବବୋଲି ମୁଁ ଆଶାବାଦୀ ।’


Share It

Comments are closed.