ଓଡ଼ିଶାର ଚାଷୀଙ୍କୁ ନୂତନ କୃଷି ଆଇନ ଉପରେ ସଚେତନ କରିବା ସହ ଭ୍ରାନ୍ତ ଧାରଣାକୁ ଦୂର କରିବ – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, – ନୂଆ କୃଷି ଆଇନ ଉପରେ ଲିଖିତ ପୁସ୍ତକ “ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର” ଓଡ଼ିଶାର ଚାଷୀଙ୍କୁ ନୂତନ କୃଷି ଆଇନ ଉପରେ ସଚେତନ କରିବା ସହ ସେମାନଙ୍କ ମନରେ ଏମଏସପି ଉଠିଯିବା ଭଳି ତିଆରି କରାଯାଉଥିବା ଅନେକ ଭ୍ରାନ୍ତ ଧାରଣାକୁ ଦୂର କରିବ ବୋଲି ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ଏହି ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ନୂଆ କୃଷି ଆଇନ ଉପରେ ପ୍ରକାଶିତ ଏହି ଓଡ଼ିଆ ଅନୁବାଦିତ ପୁସ୍ତକ ତଥ୍ୟ ଓ ତର୍କର ପ୍ରମାଣ । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରି ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଯେ ଭାରତ ସରକାର ତଥ୍ୟ ଓ ତର୍କ ଆଧାରରେ ଚାଷୀଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହି ପୁସ୍ତକକୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିଧାୟକ, ବରିଷ୍ଠ ସାମ୍ବାଦିକ, ଚାଷୀ ସଂଗଠନ, ପ୍ରମୁଖ ବର୍ଗର ଲୋକଙ୍କ ପାଖରେ ପହଁଚାଇବା ପାଇଁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ ।
ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ସମେତ ଭାରତବର୍ଷର ଚାଷୀଙ୍କୁ ସଶକ୍ତ କରିବା ପାଇଁ ବଦ୍ଧପରିକର । ଚଳିତବର୍ଷ ଭାରତ ସରକାର ଓଡିଶାରୁ ୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାର ଲକ୍ଷ୍ୟ ରଖିଛନ୍ତି । ରାଜ୍ୟ ସରକାର ହିଁ ଏହି ଆନୁମାନିକ ମୂଲ୍ୟ ଭାରତ ସରକାରଙ୍କୁ ଦେଇଛନ୍ତି । ସେହିପରି ମୋଦି ସରକାରରେ ଏମଏସପିରେ କ୍ରମାଗତ ବୃଦ୍ଧି ସହ ରାଜ୍ୟର ଚାଷୀଙ୍କ ଠାରୁ ବିପୁଳ ପରିମାଣର ଧାନ କିଣାଯାଇଛି ।
ସେ କହିଛନ୍ତି ଯେ ବିରୋଧୀ ଦଳ ନେତା ଶରଦ ପାୱାର ଭାରତ ସରକାରରେ ଲମ୍ବା ସମୟ ଧରି କୃଷି ମନ୍ତ୍ରୀ ଦାୟିତ୍ୱରେ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ମଧ୍ୟ ରହିଥିଲେ । ମାତ୍ର ସେ ଶାସନରେ ଥିବା ବେଳେ ଗୋଟିଏ ମତ ଏବଂ ବିରୋଧୀ ଦଳ ଭୂମିକାରେ ରହିବା ବେଳେ ଭିନ୍ନ ମତ ଦେଉଥିବା ବେଳେ ଆଜି ଲୋକାର୍ପିତ ପୁସ୍ତକରେ ଏହି ତଥ୍ୟ ଉଲ୍ଲେଖ ରହିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।


Share It

Comments are closed.