ଆଫଗାନ ଯୁବତୀଙ୍କ ଉପରେ ତାଲିବାନର ଆଖି, ୧୫-୪୫ ବର୍ଷ ମଧ୍ୟରେ ଯୁବତୀ ଏବଂ ମହିଳାଙ୍କ ତାଲିକା ମଗାଇଲେ ଆତଙ୍କବାଦୀ


ଆଫଗାନିସ୍ତାନର ୮୫% ଅଞ୍ଚଳ କବ୍‌ଜାକୁ ନେଇସାରିଥିବା ତାଲିବାନ ଆତଙ୍କବାଦୀ ଏବେ ସେଠାକାର ଯୁବତୀଙ୍କ ଉପରେ ହୀନ ଦୃଷ୍ଟି ପକାଇଛନ୍ତି । ସେମାନଙ୍କୁ ବଳପୂର୍ବକ ଉଠାଇ ନେଇ ବିବାହ ପାଇଁ ଯୋଜନା ଚଳାଇଛନ୍ତି । ସଦ୍ୟ ଘଟଣାକ୍ରମେ ତାଲିବାନ ୧୫ ବର୍ଷରୁ ଅଧିକ ବୟସର ଯୁବତୀ ଏବଂ ୪୫ ବର୍ଷରୁ କମ୍‌ ବୟସର ବିଧବା ମହିଳାଙ୍କ ତାଲିକା ମଗାଇଛି । ସ୍ଥାନୀୟ ଧାର୍ମିକ ନେତାମାନଙ୍କୁ ତାଗିଦ କରାଯାଇ ଯଥାଶୀଘ୍ର ତାଲିକା ଦେବାକୁ କୁହାଯାଇଛି । ଏ ନେଇ ଏକ ସ୍ୱତନ୍ତ୍ର ଆଦେଶନାମା ଜାରି କରାଯାଇଛି ।

ଖବର ମୁତାବକ, ତାଲିବାନ ଏହାର ଯୁବକମାନଙ୍କ ବିବାହ କରାଇବା ଲାଗି ପ୍ରତିଶ୍ରୁତି ଦେଇଥିଲା । ସେହି ପ୍ରତିଶ୍ରୁତି ପାଇବା ପରେ ଯୁବକମାନେ ବହୁସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଉଠାଇବାକୁ ପ୍ରସ୍ତୁତ ହୋଇଥିଲେ । ଏବେ ସେମାନଙ୍କ ବଳରେ ତାଲିବାନ ବଳୀୟାନ ହୋଇ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ କବ୍‌ଜା ଦିଗରେ ଅଗ୍ରସର ହେଉଛି । ତାଲିବାନ ଏହାର ଯୁବକମାନଙ୍କର ବିବାହ କରାଇବା ପରେ ସେମାନଙ୍କୁ ପାକିସ୍ତାନର ୱଜିରିସ୍ତାନକୁ ନିଆଯିବ । ସେଠାରେ ଅଣମୁସଲିମ ଯୁବତୀ ବା ମହିଳାଙ୍କର ଧର୍ମ ପରିବର୍ତ୍ତନ କରାଯିବ । ସମସ୍ତେ ଇସଲାମ ଧର୍ମ ଗ୍ରହଣ କରିବେ । ଏହାପରେ ତାଲିବାନ ସଂଗଠିତ ହେବ ।

ଦ ସନ୍‌ରେ ପ୍ରକାଶିତ ରିପୋର୍ଟ ମୁତାବକ ତାଲିବାନ ଏହି ଯୁବତୀ ଓ ମହିଳାମାନଙ୍କୁ ନିଜ ଆତଙ୍କୀ ସଦସ୍ୟଙ୍କର ଗୋଲାମ ବନାଇବାକୁ ଚାହୁଁଛି । ମହିଳାମାନଙ୍କୁ କେବଳ ଯୌନ ଶୋଷଣ ପାଇଁ ତାଲିବାନ ଏଭଳି ପଦକ୍ଷେପ ନେଇଛି । ତାଲିବାନର କଲ୍‌ଚରାଲ୍‌ କମିଶନ ତରଫରୁ ଏହି ଆଦେଶନାମା ଜାରି କରାଯାଇଛି । ନିୟନ୍ତ୍ରଣକୁ ଆସିଥିବା ଅଞ୍ଚଳରେ ସମସ୍ତ ଇମାମ୍‌ ଓ ମୁଲ୍ଲା ତାଲିବାନ ଯୁବକଙ୍କ ସହ ବିବାହ ନିମନ୍ତେ ୧୫ ବର୍ଷରୁ ଅଧିକ ବୟସର ଝିଅ ଓ ୪୫ ବର୍ଷରୁ କମ୍‌ ବୟସର ବିଧବାଙ୍କ ତାଲିକା ପ୍ରଦାନ ଲାଗି ଉକ୍ତ ଆଦେଶନାମାରେ କୁହାଯାଇଛି ।

ଇରାନ, ପାକିସ୍ତାନ, ଉଜବେକିସ୍ତାନ ଓ ତାଜିକିସ୍ତାନ ସୀମାକୁ ଲାଗିଥିବା ଆଫଗାନିସ୍ତାନର ପ୍ରମୁଖ ଜିଲ୍ଲା ଓ ଥାନାଗୁଡ଼ିକୁ କବ୍‌ଜାକୁ ନେବା ପରେ ତାଲିବାନ ଏଭଳି ଆଦେଶନାମା ଜାରି କରିଛି ।ଏହା ପୂର୍ବରୁ ଆଫଗାନିସ୍ତାନର ପୂର୍ବୋତ୍ତର ଅଞ୍ଚଳରେ ମହିଳାମାନଙ୍କୁ ଘରୁ ଏକାକୀ ନ ବାହାରିବା ପାଇଁ ତାଲିବାନ ନିର୍ଦ୍ଦେଶ ଜାରି କରିଥିଲା । ସେହିଭଳି ପୁରୁଷମାନଙ୍କୁ ଦାଢ଼ି ବଢ଼ାଇବା ଲାଗି କୁହାଯାଇଥିଲା ।

ସେତିକି ନୁହେଁ, ଯୁବତୀମାନଙ୍କ ପାଇଁ ଯୌତୁକ ନିୟମ ବି ନିର୍ଦ୍ଧାରିତ କରାଯାଇଛି । କାରଣ ତାଲିବାନ ଇସଲାମ ଆଇନର ନିଜସ୍ୱ ସଂସ୍କରଣକୁ ଲାଗୁ କରୁଛି । ୨୦୦୧ ପୂର୍ବରୁ ତାଲିବାନ ଶାସନ ଅନୁସାରେ ଆଫଗାନିସ୍ତାନରେ ମହିଳାମାନଙ୍କୁ ସ୍କୁଲ ଯିବା, ଘରୁ ବାହାରି କାମ କରିବା ଅଥବା ପୁରୁଷଙ୍କ ବିନା ଘରୁ ବାହାରିବା ଉପରେ ରୋକ ଲଗାଯାଇଥିଲା ।ଆଫଗାନିସ୍ତାନରୁ ଆମେରିକା ଏହାର ସେନା ପ୍ରତ୍ୟାହାର କରିନେବାରେ ଲାଗିଛି । ଏଥିସହ ବ୍ରିଟେନ ଓ ଅନ୍ୟ ଦେଶର ସୈନିକମାନେ ମଧ୍ୟ ଆଫଗାନିସ୍ତାନ ଛାଡ଼ୁଛନ୍ତି । ତାଲିବାନ ଏହାର ଫାଇଦା ଉଠାଇ ଆକ୍ରମଣକୁ ବଳିଷ୍ଠ କରିଛି । ତାଲିବାନ ଏ ପର୍ଯ୍ୟନ୍ତ ଆଫଗାନିସ୍ତାନର ୮୫% ଅଞ୍ଚଳକୁ ନିଜ ଅଧୀନକୁ ନେଇସାରିଥିବା କୁହାଯାଉଛି । କେବଳ କେତେକ ପ୍ରମୁଖ ସହର ବାକି ରହିଛି


Share It

Comments are closed.