ଟି-ଟ୍ୱେଣ୍ଟି ବିଶ୍ୱକପ୍‌ : ଦିନକ ପରେ ସେମି ଫାଇନାଲ୍‌ ରାଉଣ୍ଡ୍‌ରେ ଇଂଲଣ୍ଡକୁ ଭେଟିବ ଭାରତ


ଦିନକ ପରେ ଆରମ୍ଭ ହେବ ସେମି ଫାଇନାଲ୍‌ ରାଉଣ୍ଡ୍‌ । ଚତୁର୍ଥ ଥର ପାଇଁ ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ଟିମ୍‌ ଇଣ୍ଡିଆ ଗୁରୁବାର ଦିନ ଦ୍ୱିତୀୟ ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ । ମେଲବର୍ଣ୍ଣରେ ଜିମ୍ବାୱେକୁ ପରାସ୍ତ କରି ଭାରତ ସେମିରେ ସ୍ଥାନ ପକ୍କା କରିଥିଲା ।

ସୋମବାର ଦଳ ଆଡିଲେଡ୍‌ରେ ପହଞ୍ଚି ସାରିଛି । ମଙ୍ଗଳବାର ଅଭ୍ୟାସ ଆରମ୍ଭ କରିବ । ଦୁର୍ଦ୍ଦର୍ଷ ବ୍ୟାଟିଂ ପାଇଁ ପରିଚିତ ଇଂଲଣ୍ଡକୁ ଭେଟିବା ପୂର୍ବରୁ ଭାରତୀୟ ଦଳ ଛୋଟ ମୋଟ୍‌ ତ୍ରୁଟି ସୁଧାରିବାକୁ ମନସ୍ଥ କରିଛି । ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ଦଳ ଚିନ୍ତାରେ ରହିଛି । ବିଶ୍ୱକପ୍‌ ଆରମ୍ଭରୁ ଏପର୍ଯ୍ୟନ୍ତ ଭାରତୀୟ ଦଳର ଓପନିଂ ଭାଗିଦାରୀ ନୈରାଶ୍ୟଜନକ ରହିଛି । ରାହୁଲ ଫର୍ମକୁ ଫେରିଥିଲେ ହେଁ ରୋହିତ ବିଫଳ ହେଉଛନ୍ତି । ସର୍ବଦା ବଡ ସଟ୍‌ ଖେଳିବାକୁ ଯାଇ ରୋହିତ ପ୍ରତିପକ୍ଷ ଦଳକୁ ୱିକେଟ୍‌ ଭେଟି ଦେଉଛନ୍ତି । ଅନ୍ୟ ପଟରେ ରାହୁଲ ମଧ୍ୟ ମନ୍ଥର ବେଗରେ ଆରମ୍ଭ କରୁଛନ୍ତି । ଫଳରେ ଭାରତ ପାୱାର ପ୍ଲେର ଫାଇଦା ଉଠାଇପାରୁ ନାହିଁ । ଯାହାର ପ୍ରଭାବ ବିରାଟ କୋହଲିଙ୍କ ଉପରେ ପଡ଼ୁଛି । ନିମ୍ନ କ୍ରମ ବ୍ୟାଟିଂ ବିଭାଗ ମଧ୍ୟ ଏପର୍ଯ୍ୟନ୍ତ ଦକ୍ଷତା ଦେଖାଇ ନାହାନ୍ତି । ଡେଥ୍‌ ଓଭର ଗୁଡ଼ିକରେ ବିସ୍ଫୋରକ ବ୍ୟାଟିଂ କରିବା ପାଇଁ ଦଳରେ ରହିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକ ମଧ୍ୟ ନିରାଶ କରିଛନ୍ତି । ସୁପର-୧୨ ରାଉଣ୍ଡ୍‌ରେ କୋହଲି କିମ୍ବା ସୂର୍ଯ୍ୟକୁମାର ଶେଷ ଓଭର ପର୍ଯ୍ୟନ୍ତ ଖେଳୁଥିବାରୁ ଡେଥ୍‌ ଓଭରରେ ଦ୍ରୁତ ରନ୍‌ ସମ୍ଭବ ହୋଇଛି । ଇଂଲଣ୍ଡକୁ ଭେଟିବା ପୂର୍ବରୁ ଏହି ସବୁ ଦିଗ ପ୍ରତି ଭାରତ ଧ୍ୟାନ ଦେବାର ସମୟ ଆସିଛି ।


Share It

Comments are closed.