କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ଟି-୨୦ ବିଶ୍ୱକପରେ ରୋହିତ-ରାହୁଲଙ୍କ ଯୋଡି କରିବ ଓପନିଂ


ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତର ଓପନିଂ ଯୋଡ଼ିକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନ କରିବେ ବୋଲି ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରି ଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ଦଳର ବ୍ୟାଟିଂ କ୍ରମକୁ ନେଇ ପ୍ରଶ୍ନ କରାଯାଇଥିଲା ।

କୋହଲି ଉତ୍ତର ଦେଇ କହିଥିଲେ, ରୋହିତଙ୍କ ସହ ରାହୁଲ ପାଳି ଆରମ୍ଭ କରିବେ । ମୁଁ ୩ନଂ ସ୍ଥାନରେ ବ୍ୟାଟିଂ କରିବି । ଆଇପିଏଲ୍‌ ପୂର୍ବରୁ ଭିନ୍ନ ସ୍ଥିତି ରହିଥିଲା । ରାହୁଲ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କୁ ଓପନ ନ କରାଇବା ମୁର୍ଖାମୀ ହେବ । ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲା ପାଇଁ ଆମର ଚୂଡ଼ାନ୍ତ ଏକାଦଶ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଆଇପିଏଲ୍‌ରେ ଆମ ଦଳର ଖେଳାଳି ବିଭିନ୍ନ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳିଥିଲେ ।

ଏବେ ଆମେ ଏକତ୍ର ହୋଇଛି । ଅଭ୍ୟାସ ମ୍ୟାଚ୍‌ରେ ଅଧିକାଂଶ ଖେଳାଳିଙ୍କୁ ସୁଯୋଗ ଦିଆଯିବ । ଏହାଦ୍ୱାରା ଦଳୀୟ ଏକତା ଏବଂ ଆତ୍ମବିଶ୍ୱାସ ଦୃଢ଼ ହୋଇପାରିବ । ଦଳର ପ୍ରତ୍ୟେକ ଖେଳାଳି ୟୁଏଇ ପରିବେଶ ଓ ଜଳବାୟୁ ସହ ପରିଚିତ ହୋଇସାରିଛନ୍ତି । ଏବେ କେବଳ ସଠିକ୍‌ ତାଳମେଳ ଉପରେ ଗୁରୁତ୍ୱ ଦେଉଛୁ । କିଏ କେଉଁ କ୍ରମରେ ଖେଳିବ ଏହା ଆମ ପାଇଁ କୌଣସି ମାନେ ରଖେନି ।’

ସୂଚନାଯୋଗ୍ୟ, ରାହୁଲ ଆଇପିଏଲ୍‌-୧୪ରେ ତୃତୀୟ ସର୍ବାଧିକ ସ୍କୋରର ରହିଥିଲେ । ସେ ୧୩ଟି ମ୍ୟାଚ୍‌ରୁ ୬୨୮ରନ୍‌ ସଂଗ୍ରହ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୩୦ଟି ଛକା ମାରିଥିଲେ।


Share It

Comments are closed.