ମୁମ୍ବାଇ କ୍ଲବରେ ଚଢ଼ାଉ, ସୁରେଶ ରାଇନା-ଗୁରୁ ରାନ୍ଧୱାଙ୍କ ସମେତ ଅନେକ ତାରକା ଗିରଫ


ମହାରାଷ୍ଟ୍ରର ମୁମ୍ବାଇରେ କରୋନା ନିୟମ ଉଲ୍ଲଂଘନ କରୁଥିବା ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମୁମ୍ବାଇର ଏକ କ୍ଲବରେ ପାର୍ଟି କରୁଥିବା ବେଳେ ପ୍ରାୟ ୩୪ ଜଣଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଗିରଫ ହୋଇଥିବା ୩୪ ଜଣଙ୍କ ମଧ୍ୟରେ କ୍ରିକେଟର ସୁରେଶ ରାଇନା, ଗାୟକ ଗୁରୁ ରାନ୍ଧୱା ଏବଂ ଅନ୍ୟମାନେ ଥିଲେ। ତେବେ ପରେ ସୁରେଶ ରାଇନା ଏବଂ ଗୁରୁ ରାନ୍ଧୱା ବେଲ ପାଇଛନ୍ତି । ଏହା ବ୍ୟତୀତ କିଛି ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଥିଲା, କିନ୍ତୁ ପୋଲିସ ସେମାନଙ୍କ ବିଷୟରେ ସୂଚନା ଦେଇନାହିଁ, କିନ୍ତୁ ପରେ ସେମାନଙ୍କୁ ବେଲରେ ମୁକ୍ତ କରିଦିଆଯାଇଛି ।

ମୁମ୍ବାଇର ବିମାନବନ୍ଦର ନିକଟରେ ଥିବା ଜେଡବ୍ଲୁ ମ୍ୟାରିଅଟ ହୋଟେଲ କ୍ଲବରେ ଏହି ପାର୍ଟି ଚାଲିଥିଲା, ଯେଉଁଠି କରୋନା ନିୟମକୁ ଉଲ୍ଲଂଘନ କରାଯାଇଥିଲା। ମୁମ୍ବାଇରେ ସମସ୍ତଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ସୂଚନା ଅନୁଯାୟୀ, ନାଇଟ କର୍ଫ୍ୟୁ ପରେ ମଧ୍ୟ ଏହି କ୍ଲବରେ ବହୁତ ହାଇ ପ୍ରୋଫାଇଲ୍ ପାର୍ଟି ଚାଲିଥିଲା। ମୁମ୍ବାଇରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଏହା ପରେ ସକାଳ ପ୍ରାୟ ସାଢ଼େ ତିନିଟାରେ କ୍ଲବ ଉପରେ ଚଢ଼ାଉ କରାଯାଇଥିଲା।

ମୁମ୍ବାଇ ପୋଲିସର ସୂତ୍ର ଅନୁଯାୟୀ ସୁରେଶ ରାଇନାଙ୍କ ବ୍ୟତୀତ ଅବଶିଷ୍ଟ ତାରକାମାନେ କ୍ଲବର ପଛ ଦ୍ୱାର ଦେଇ ପଳାଇଥିଲେ। ଆଇପିସିର ଧାରା ୧୮୮, ୨୬୯ ଏବଂ ୩୪ ଅନୁଯାୟୀ ସୁରେଶ ରାଇନାଙ୍କ ସମେତ ଏହି ସେଲିବ୍ରିଟିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୁମ୍ବାଇରେ ଲକଡାଉନ୍ ନିୟମ ଜାରି ରହିଛି। ଏହା ଅଧୀନରେ ରାତି ୧୧ ଟା ପରେ କୌଣସି ପ୍ରକାର ପାର୍ଟି କିମ୍ବା ସର୍ବସାଧାରଣ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି | ଦିଲ୍ଲୀରୁ ୧୯ ଜଣ ପାର୍ଟୀକୁ ଆସିଥିଲେ। ଅନ୍ୟମାନେ ପଞ୍ଜାବ ଏବଂ ଦକ୍ଷିଣ ମୁମ୍ବାଇର ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମଦ୍ୟପାନ କରିଥିବା ସୂତ୍ରରୁ ପ୍ରକାଶ।


Share It

Comments are closed.