ସୁବ୍ରତ ରାୟଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କଲେ ପାଟନା ହାଇକୋର୍ଟ


ସାହାରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ସୁବ୍ରତ ରାୟଙ୍କ ବିରୋଧରେ ପୁଣିଥରେ ଗିରଫ ୱାରେଣ୍ଟ ଜାରି। ପାଟନା ହାଇକୋର୍ଟଙ୍କ ସମନ୍ ପରେ କୋର୍ଟରେ ହଜାର ନହେବା କାରଣରୁ ତାଙ୍କ ନାଁରେ ଏହି ଗିରଫ ୱାରେଣ୍ଟ ଜାରି କରାଯାଇଛି। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ, ଶୁକ୍ରବାର କୋର୍ଟରେ ସୁବ୍ରତ ରାୟ ହାଜର ହୋଇନଥିଲେ, ଏହାପରେ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟଙ୍କ ନିର୍ଦେଶ ଅନୁସାରେ, ୩ ରାଜ୍ୟ ବିହାର, ଉତ୍ତର ପ୍ରଦେଶ ଓ ଦିଲ୍ଲୀ ପୋଲିସ ମହାନିର୍ଦେଶଙ୍କୁ ଗିରଫ ୱାରେଣ୍ଟ ପଠାଯିବ। ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ କରୁନଥିବାରୁ ତାଙ୍କୁ, ବ୍ୟକ୍ତିଗତ ଭାବରେ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା।

ନିର୍ଦେଶ ପରେ ମଧ୍ୟ ସୁବ୍ରତ ରାୟ କୋର୍ଟଙ୍କ ନିକଟରେ ହାଜର ହୋଇନଥିଲେ। ଏହି କାରଣରୁ ପାଟନା ହାଇକୋର୍ଟ ସାହାରା ଗ୍ରୁପ୍ ମୁଖ୍ୟ ସୁବ୍ରତ ରାୟଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। କୋର୍ଟ ବିହାର ଓ ଉତ୍ତର ପ୍ରଦେଶର ଡିଜିପି ଓ ଦିଲ୍ଲୀ ପୋଲିସ କମିଶନରଙ୍କୁ ସୁବ୍ରତ ରାୟଙ୍କୁ ଗିରଫ କରି ହାଜର କରିବାକୁ ନିର୍ଦେଶ ଦେଇଛି। ଏବେ ଏହି ମାମଲାରେ ଆଗାମୀ ଶୁଣାଣି ୧୬ ମେ’ରେ ହେବ।

ଉଲ୍ଲେଖନୀୟ ଯେ, କରୋନା ଗାଇଡଲାଇନ ଅନୁଯାୟୀ କେବଳ ଭର୍ଚୁଆଲ୍ ଶୁଣାଣି ଚାଲିଥିଲା, କିନ୍ତୁ ଏହି ମାମଲାରେ ଦିନ ସୁବ୍ରତ ରାୟଙ୍କୁ ନିଜେ ଆସି ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା। ସାହାରାରେ ଅର୍ଥ ବିନିଯୋଗ କରିଥିବା ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି ଯେ ମ୍ୟାଚୁରିଟି ସମୟସୀମା ବିତିଯାଇଥିଲେ ମଧ୍ୟ ସେମାନଙ୍କ ଟଙ୍କା ଫେରସ୍ତ କରାଯାଉ ନାହିଁ। ପାଟନା ହାଇକୋର୍ଟରେ ଦାଖଲ ଆବେଦନ ଉପରେ ଶୁଣାଣି କରି ଖଣ୍ଡପୀଠ ସୁବ୍ରତ ରାୟଙ୍କୁ ହାଜର ହେବା ସହିତ ଏହା କହିବାକୁ କହିଥିଲେ ଯେ, କମ୍ପାନୀ ନିବେଶକଙ୍କ ଟଙ୍କା କିପରି ଫେରାଇବ ତାହା ସ୍ପଷ୍ଟ କରୁ। ସୁବ୍ରତ ରାୟ ହାଜର ହୋଇନଥିବାରୁ ତାଙ୍କ ବିରୋଧରେ ଶେଷରେ ଗିରଫ ୱାରେଣ୍ଟ ଜାରି କରାଯାଇଛି।


Share It

Comments are closed.