ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ନୂଆ ରୋବୋଟିକ୍ ସର୍ଜରି ଉତ୍କର୍ଷ କେନ୍ଦ୍ରର ଶୁଭାରମ୍ଭ


ରାଜ୍ୟର ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ରୋବୋଟିକ୍ ସର୍ଜରି ଉତ୍କର୍ଷ କେନ୍ଦ୍ର ସିଏସ୍‌ଆର୍‌ର (ବ୍ରିଟେନ୍‌) “ରୋବୋଟିକ୍ ଏସ୍‌ଏକ୍ସ ସିଷ୍ଟମ୍‌’ (ଭେରସିଅସ୍‌)ର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି । ଏହା ହେଉଛି ରାଜ୍ୟର ପ୍ରଥମ ଧରଣର ଷ୍ଟେଟ୍ ଅଫ୍ ଆର୍ଟ ରୋବୋଟିକ୍ ସର୍ଜରି ଉତ୍କର୍ଷ କେନ୍ଦ୍ର । ସ୍ୱାସ୍ଥ୍ୟ ସେବା ଯାତ୍ରାରେ ଏହାକୁ ଏକ ବୃହତ ମାଇଲଖୁଂଟ ଭାବେ ବିଚାର କରିବା ସହ ହସ୍ପିଟାଲ୍‌ର ବିଶ୍ୱାସ ରହିଛି ଯେ ଏହି ଉତ୍କର୍ଷ କେନ୍ଦ୍ର ଦ୍ୱାରା ଓଡ଼ିଶାର ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ସେମାନଙ୍କୁ ସର୍ଜରି କରିବା ଲାଗି ମେଟ୍ରୋ ସହରକୁ ଯାତ୍ରା କରିବାକୁ ପଡ଼ିବ ନାହିଁ । ରୋବୋଟିକ୍ ସର୍ଜରିର ଦାମ୍ ଯଦିଓ ଲାପାରୋସ୍କୋପିକ୍ ସର୍ଜରି ଠାରୁ ସାମାନ୍ୟ ଅଧିକ, କିନ୍ତୁ ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍‌ରେ ଏହି ସର୍ଜରି ମେଟ୍ରୋ ସହରରେ ସଂଗ୍ରହ କରାଯାଉଥିବା ଦାମ୍‌ର ଏକ ତୃତୀୟାଂଶ ମୂଲ୍ୟରେ ହୋଇପାରିବ । ଲାପାରୋସ୍କୋପିକ୍ ସର୍ଜରି ତୁଳନାରେ ରୋବୋଟିକ୍ ସର୍ଜରି ଅନେକ ବିଶେଷ ଲାଭ ମଧ୍ୟ ରହିଛି ।
ଏହି ଅବସରରେ ଡକ୍ଟର ଶ୍ରୀଜୟ ପଟ୍ଟନାୟକ, ଚିଫ୍ ସର୍ଜନ ଆଣ୍ଡ୍ ସିଏମ୍‌ଡି, ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ କହିଛନ୍ତି ଯେ, “ସ୍ୱାସ୍ଥ୍ୟ ସେବା ଶିଳ୍ପରେ ପ୍ରଯୁକ୍ତିର ଯେଉଁ ନବସୃଜନ ହେଉଛି ତାହା ସହ ତାଳ ଦେଇ ସବୁ ସ୍ୱାସ୍ଥ୍ୟ ସେବା ସଂସ୍ଥାକୁ ଆଗକୁ ବଢ଼ିବା ଆବଶ୍ୟକ । ମୁଁ ଅତ୍ୟନ୍ତ ଗର୍ବର ସହ ଘୋଷଣା କରୁଛି ଯେ ଆମେ ହସ୍ପିଟାଲ୍ ସେହି ମନ୍ତ୍ରକୁ ଶୁଭାରମ୍ଭ ହେବା ଦିନ ଠାରୁ ପାଳନ କରୁଛି ଏବଂ ତେଣୁ ଆମେ ଏହି ସବୁ ବର୍ଷଗୁଡ଼ିକରେ ଲୋକମାନଙ୍କ ବିଶ୍ୱାସଭାଜନ ହୋଇପାରିଛୁ । ଓଡ଼ିଶାରେ ରୋବୋଟିକ୍ ସର୍ଜରିକୁ ଉପସ୍ଥାପନ କରିବା ଏକ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବା ଭଳି ଏବଂ ମୁଁ ଅନୁଭବ କରୁଛି ଯେ ଏହା ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଇତିହାସରେ ଏକ ପରିବର୍ତନର କେନ୍ଦ୍ର ହେବ ।’’

ଡକ୍ଟର ସି ଆର୍ ଦାସ, ମେଡିକାଲ୍ ଡାଇରେକ୍ଟର, ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ କହିଛନ୍ତି ଯେ, “ସାର୍ଟିଫାଏଡ୍ ରୋବୋଟିକ୍ ସର୍ଜନ ମାନ୍ୟତା ହାସଲ କରିବା ଲାଗି ଆମେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣରେ ଭାଗ ନେଇଥିଲୁ ଯେଉଁଥିରେ ୧୮ଟି ଅଧିବେଶନ ଥିଲା । ପ୍ରତି ଅଧିବେଶନରେ ସଫଳତାର ସହ ପାସ୍ କରି ଆଗକୁ ବଢ଼ିବା ପରେ ଆମ ହସ୍ପିଟାଲ୍‌ର ଚାରି ଜଣ ସର୍ଜନଙ୍କୁ ରୋବୋଟିକ୍ ସର୍ଜନ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଆମ ହସ୍ପିଟାଲ୍‌ରେ ଏଭଳି ସର୍ଜନଙ୍କ ସଂଖ୍ୟାରେ ବୃଦ୍ଧି ଆଣିବାକୁ ପ୍ରୟାସ ଜାରି ରହିବ ।’’
ଡକ୍ଟର ଦୀପ୍ତିମାନ ବଳିଆରସିଂହ, ଇଏନ୍‌ଟି ସର୍ଜନ, ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ କହିଛନ୍ତି ଯେ, “ସାଧାରଣତଃ ରୋଗୀଙ୍କ ଶରୀରର ଭିତର ପାଶ୍ୱର୍ରେ ଥିବା କେତେକ ସ୍ଥାନରେ ଲାପାରୋସ୍କୋପିକ୍ ପଦ୍ଧତିରେ ପହଂଚିବାରେ ବହୁତ ଅସୁବିଧା ହୁଏ । କିନ୍ତୁ ରୋବୋଟିକ୍ ସର୍ଜରି ପଦ୍ଧତିରେ ସେହି ସବୁ ସ୍ଥାନରେ ସହଜରେ ପହଂଚି ହେବ । ବିଶେଷ କରି ନାକ, କାନ ଓ ଥାଇରଏଡ୍ ସର୍ଜରି ବେଳେ ଏହା ବିଶେଷ ସହାୟକ ହେବ ।’’
ଡକ୍ଟର ପ୍ରଶାନ୍ତ ଚନ୍ଦ୍ର ଦାସ, ଅଙ୍କୋଲୋଜି ସର୍ଜନ, ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ କହିଛନ୍ତି ଯେ, “ଓଡ଼ିଶାରେ ବିଶେଷ କରି ସ୍ୱାସ୍ଥ୍ୟ ସହର ଭାବେ ପରିଚିତ କଟକ ସହରରେ ପ୍ରଥମ ଥର ଲାଗି ରୋବୋଟିକ୍ ସର୍ଜରି ସୁବିଧା ଉପଲବ୍ଧ ହୋଇଥିବାରୁ ଆମେ ବହୁତ ଖୁସି । ଏହି ପଦ୍ଧତିର ଏକ ପ୍ରମୁଖ ଲାଭ ହେଉଛି ମ୍ୟାଗ୍ନିଫିକେସନ୍ ଯେଉଁଥିରେ ଅତି ସୂକ୍ଷ୍ମ ଜିନିଷଙ୍କୁ ଆମେ ବଡ଼ କରି ଦେଖିପାରୁଛୁ, ଯଦ୍ୱାରା ସେହି ସ୍ଥାନରେ ଥିବା ସମସ୍ୟାକୁ ଦୂର କରିବା ଆମ ଲାଗି ସହଜ ହେଉଛି ।’’
ଡକ୍ଟର ରେଖା ଦାସ, ସର୍ଜନ, ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ କହିଛନ୍ତି ଯେ, “ରୋବୋଟିକ୍ ସର୍ଜରିର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ରୋଗୀଙ୍କୁ ଏକ ଯନ୍ତ୍ରଣା ମୁକ୍ତ ସର୍ଜରି ଅନୁଭୂତି ପ୍ରଦାନ କରିବା । ଏହି ସର୍ଜରିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ମେଦବହୁଳତା ସମସ୍ୟା ଭୋଗୁଥିବା ଲୋକମାନେ ଶୀଘ୍ର ଉପଷମ ହାସଲ କରିପାରିବେ ଯାହା ପୂର୍ବରୁ ସେମାନଙ୍କ ଲାଗି ବେଶ ଯନ୍ତ୍ରଣାଦାୟକ ଓ ବିଳମ୍ବିତ ରହୁଥିଲା ।’’


ଓଡ଼ିଶାର ଏକ ଅଗ୍ରଣୀ ଉତ୍କର୍ଷ କେନ୍ଦ୍ର ଭାବେ ଏହା ଲାପାରୋସ୍କୋପିକ୍ ସର୍ଜରି ତୁଳନାରେ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରିବ । ରୋବୋଟିକ୍ ସର୍ଜରିରେ ସର୍ଜନ ଅତି କ୍ଷୁଦ୍ର ଛିଦ୍ର କରି ୩ଡି ମୋଡ୍‌ରେ ତାହାକୁ ବଢ଼ାଇ ସର୍ଜରି କରିପାରିବେ । ରୋବୋଟିକ୍ ହାତଗୁଡ଼ିକୁ ପହଂଚି ହେଉନଥିବା ଏବଂ ଅତି କ୍ଷୁଦ୍ର ସ୍ଥାନରେ ପହଂଚିପାରିବ । ଶରୀର ଭିତରେ ଥିବା ଅନ୍ୟାନ୍ୟ ଅଙ୍ଗରେ ରୋବୋଟିକ୍ ହାତ ସ୍ପର୍ଶ କରିନଥାଏ, ତେଣୁ ସର୍ଜରି ସ୍ଥାନରେ ସଂକ୍ରମଣ ଆଶଙ୍କା ହ୍ରାସ ପରେ । ରୋବୋଟିକ୍ ଉପକରଣ ଏଣ୍ଡୋରିଷ୍ଟ୍ ସୁବିଧା ୭୨୦ ଡିଗ୍ରି ଘୁରିପାରିବ । ଏଣ୍ଡୋରିଷ୍ଟକୁ ବ୍ୟବହାର କରି ମାନ କଚଟିକୁ ଘୁରାଇବା ଅଧିକ ସହଜ ହେବ । ରକ୍ତଶ୍ରାବ ଓ ଯନ୍ତ୍ରଣା ବହୁତ କମ୍ ରହିବ । ଲାପାରୋସ୍କୋପିକ୍ ଅସ୍ତ୍ରୋପଚାର ତୁଳନାରେ ହସ୍ପିଟାଲ୍‌ରେ ରହିବା ସମୟ କରିବ । ସର୍ଜରିର ୨୪ ଘଂଟା ପରେ ରୋଗୀ ଡିସ୍‌ଚାର୍ଜ ହୋଇପାରିବେ ।
ଲାପାରୋସ୍କୋପିକ୍ ମାଧ୍ୟମରେ ହେଉଥିବା ସବୁ ପ୍ରକାର ସର୍ଜରି ରୋବୋଟିକ୍ ବ୍ୟବସ୍ଥା ଜରିଆରେ ହୋଇପାରିବ । ଅପର ଜିଆଇ ସର୍ଜରି, ଏସୋଫାଗସ, ପେଟ ଓ ପାନକ୍ରିଆସ୍‌, ହେପାଟୋ ବିଲିଆରି ଓ ପାନକ୍ର୍ରିଆସ ସର୍ଜରି, ଯକୃତ, ଗଲବ୍ଲାଡର, ବାଇଲ ଡକ୍ଟ, ପାନକ୍ର୍ରିଆସ, କିଡ୍‌ନି, ସ୍ପ୍ଲିନ୍ ଓ ଯକୃତ, କୋରୋରେକ୍ଟାଲ୍ ସର୍ଜରି, କ୍ୟାନସର ସର୍ଜରି, ରାଡିକାଲ୍ ପ୍ରୋଷ୍ଟାଷ୍ଟିକ୍ ସର୍ଜରି, ବେରିଏଟ୍ରିକ୍ ସର୍ଜରି, ସବୁ ପ୍ରକାର ହାର୍ନିଆ ସର୍ଜରି, ଫୁସ୍‌ଫୁସ୍‌, ଥାଇମସ୍‌, ହାତ ଓ ବେକ ଏବଂ ଦାନ୍ତର ମଇଳା ଆଦିର ସର୍ଜରି ରୋବୋଟିକ୍ ବ୍ୟବସ୍ଥା ଜରିଆରେ ହୋଇପାରିବ । ଥାଇରଏଟ୍ ସର୍ଜରି ମଧ୍ୟ ରୋବୋଟିକ୍ ସର୍ଜରି ମାଧ୍ୟମରେ କରାଯାଇପାରିବ ।


Share It

Comments are closed.