ମଝି ନଇରେ ଫସିଥିବା ସାତ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀ


ନବରଙ୍ଗପୁର : ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଅନେକ ସମୟରେ ନିଜ କର୍ତବ୍ୟ ପରିସରରୁ ବାହାରି ରୋଗୀଙ୍କୁ ସାହାଯ୍ୟ କରୁଥିବାର ଅନେକ ଉଦାହରଣ ଆମ ଆଖି ସାମ୍ନାକୁ ଆସିଛି । ଏପରିକି ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ୱେ ମଧ୍ୟ ଏହି କର୍ମଚାରୀମାନେ ନିଷ୍ଠାର ସହ ନିଜ କର୍ତବ୍ୟ ତୂଲାଇଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଘଟଣାନୁଯାୟୀ ନବରଙ୍ଗପୁର ଜିଲ୍ଲା ତଳଙ୍ଗ ଗାଁର ପ୍ରାୟ ସାତଜଣ ବ୍ୟକ୍ତି କୌଣସି କାମରେ ଖାତିଗୁଡ଼ା ବଜାରକୁ ଆସିଥିଲେ ଏବଂ ସେଠାରୁ କାମ ସାରିବା ପରେ ଏକ ଛୋଟ କାଠ ଡଙ୍ଗାରେ ଇନ୍ଦ୍ରାବତୀ ନଦୀ, ପୋଡ଼ାଗଡ଼ ବନ୍ଧ ଦେଇ ଘରକୁ ଫେରୁଥିଲେ । କିନ୍ତୁ ଡଙ୍ଗାରେ ପ୍ରାୟ ଦେଢ଼ କି.ମି ଦୂରତା ଅତିକ୍ରମ କରିବା ପରେ ଅତ୍ୟଧିକ ବେଗରେ ପବନ ବୋହିବା ସହିତ ଡଙ୍ଗାରେ ଛିଦ୍ର ରହିଥିବା କାରଣରୁ ଡଙ୍ଗାରେ ହଠାତ୍ ପାଣି ପଶିଯାଇଥିଲା । ଯାହାଫଳରେ ଡଙ୍ଗାଟି ପୋଡ଼ାଗଡ଼ ବନ୍ଧ ମଝିରେ ଅଚଳ ହୋଇ ପଡ଼ିଥିଲା ଏବଂ ଉକ୍ତ ସାତଜଣ ବ୍ୟକ୍ତି ସେହି ଡଙ୍ଗାରେ ମଝି ନଇରେ ପ୍ରାୟ ଅଧଘଂଟା ଧରି ଫସି ରହିଥିଲେ ।
ଭାଗ୍ୟବସତଃ ସେମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ ୧୦୮ ବୋଟ ଆମ୍ବୁଲାନ୍ସର ଜଣେ କର୍ମଚାରୀଙ୍କ ଫୋନ ନମ୍ବର ରହିଥିଲା । ତେଣୁ ସେ ତୁରନ୍ତ ସେହି କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସହାୟତା ମାଗିଥିଲେ । ଯାହାପରେ ଆମ୍ବୁଲାନ୍ସ କର୍ମଚାରୀ ଗୱାଲା ଜୋଗା ରାଓ, ଅଭୟ କୁମାର ଭୋଳା, ଧର୍ମେନ୍ଦ୍ର ରାଉତ ଏବଂ ତିପେନ୍ଦ୍ର ସା ନବରଙ୍ଗପୁର ଜିଲ୍ଲା ବାରିଆଘାଟ ଠାରୁ ତୁରନ୍ତ ଏକ ୧୦୮ ବୋଟ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଂଚିଥିଲେ । ଯାହାପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଡଙ୍ଗାରେ ଫସି ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଣି କୂଳରେ ଛାଡ଼଼ିଛନ୍ତି । ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏଭଳି ସାହସିକତା ଓ ମାନବିକତା ପାଇଁ ଆଜି ସାତ ସାତୋଟି ମୂଲ୍ୟବାନ ଜୀବନ ବଂଚିଯାଇପାରିଛି ଏବଂ ଏଥିପାଇଁ ସେମାନେ ସାରା ରାଜ୍ୟବାସୀଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହୋଇଛନ୍ତି ।


Share It

Comments are closed.