୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା

ଋକ୍ତଦାନ କରି ବଂଚାଇଲେ କିଡନୀ ରୋଗରେ ପୀଡ଼ିତଙ୍କ ଜୀବନ


ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ସମୟରେ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଅନେକ ବହୁମୂଲ୍ୟ ଜୀବନ ବଂଚାଇଥିବାର ବହୁ ଘଟଣା ଆମ ଆଖି ସାମ୍ନାକୁ ଆସିଛି । ବର୍ତମାନ ସମାନ ଧରଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଘଟଣାନୁଯାୟୀ ଯାଜପୁର ଜିଲ୍ଲାର କିଡନୀ ରୋଗରେ ପୀଡ଼ିତ ଶୁଭମ କୁମାର ସାହୁ(୫୭ବର୍ଷ) ନାମକ ଜଣେ ବ୍ୟକ୍ତି ଏସସିବିରେ ଚିକିତ୍ସିତ ହେଉଥିଲେ । କିନ୍ତୁ ରୋଗୀ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିବାରୁ ଡାକ୍ତର ରୋଗୀଙ୍କ ପରିବାର ଲୋକଙ୍କୁ ଓ’ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ତୁରନ୍ତ ଯୋଗାଡ଼ କରିବାକୁ କହିଥିଲେ । ମାତ୍ର ଦୁର୍ଭାଗ୍ୟବସତଃ ସେହି ସମୟରେ ଡାକ୍ତରଖାନାରେ ଏହି ବ୍ଲଡ ଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ଭାଗ୍ୟକୁ ଏହି ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଚିନ୍ମୟ ଚିତରଞ୍ଜନ ଜନୈକ ରୋଗୀଙ୍କୁ ନେଇ ଏସସିବି ମେଡିକାଲକୁ ଆସିଥିଲେ ଏବଂ ରୋଗୀଙ୍କୁ ହସ୍ପିଟାଲରେ ଛାଡ଼ି ଫେରିବା ସମୟରେ ଉକ୍ତ ରୋଗୀଙ୍କ ବାପାଙ୍କ ସହ ତାଙ୍କର ଭେଟ ହୋଇଥିଲା । ତେଣୁ ରୋଗୀଙ୍କ ବାପା ଆମ୍ବୁଲାନ୍ସ କର୍ମଚାରୀ ଚିନ୍ମୟଙ୍କୁ ରକ୍ତ ଦାନ କରିବାକୁ ଅନୁରୋଧ କରିଥିଲେ । ଯାହାପରେ ଆମ୍ବୁଲାନ୍ସ କର୍ମଚାରୀ ଚିନ୍ମୟ ତିଳେହେଁ ବିଳମ୍ବ ନ କରି ରୋଗୀଙ୍କୁ ରକ୍ତ ଦାନ କରିବାକୁ ରାଜି ହୋଇଗଲେ । ସଠିକ ସମୟରେ ରକ୍ତ ଦାନ କରି ଆମ୍ବୁଲାନ୍ସ କର୍ମଚାରୀ ଆଜି ଏହି ରୋଗୀଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ସେ ସର୍ବସାଧାରଣରେ ବେଶ ପ୍ରଶଂସିତ ହୋଇଛନ୍ତି । ତେବେ କେବଳ ଏହି ଗୋଟିଏ ଘଟଣାରେ ନୁହେଁ ବରଂ ଏଭଳି ପୂର୍ବରୁ ପ୍ରାୟ ୨୨ ଥର ଅସହାୟ ରୋଗୀଙ୍କୁ ରକ୍ତ ଦାନ କରି ତାଙ୍କ ଜୀବନ ବଂଚାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଚିନ୍ମୟ ଚିତରଞ୍ଜନ ।


Share It

Comments are closed.