ରାଜ୍ୟ ସରକାରଙ୍କର ‘ମଦ’ର ହୋମ ଡେଲିଭରି ନୀତି ବିରୋଧରେ ବିକ୍ଷୋଭ


ଭୁବନେଶ୍ୱର: କରୋନାକୁ ହଟାଇବା ପାଇଁ ସରକାର ୬୦ ଦିନ ଧରି ଦୋକାନ, ବଜାର, ଅଫିସ ଓ ଗାଡି ମଟର ବନ୍ଦ କରିବା ଫଳରେ ଲକ୍ଷ ଲକ୍ଷ ଶ୍ରମିକ ତଥା ସାଧାରଣ ଜନସାଧାରଣ ନିଶ୍ଚିତ ଅକଥନୀୟ ଅସୁବିଧା ଭୋଗ କଲେ । କିନ୍ତୁ ଏଇ ସାଠିଏ ଦିନ ମଦ ଦୋକାନ ବନ୍ଦ ହେବା ଫଳରେ ପରିବାର ଠାରୁ ଆରମ୍ଭ କରି ସମଗ୍ର ସମାଜରେ ମଦୁଆଙ୍କ ଉତ୍‌ପାତ ନଥିଲା ଓ ଲୋକେ ବେଶ ଶାନ୍ତିରେ ଥିଲେ । ଉଲ୍ଲେଖନୀୟ ଯେ, ଏହି ସମୟ ମଧ୍ୟରେ ମଦ ଅଭାବରୁ ବା ବିଷାକ୍ତ ମଦ ପିଇ ଜଣେ ହେଲେ ଲୋକ ମରି ନାହାନ୍ତି , ଏଣୁ ମଦକୁ ସଂପୂର୍ଣ୍ଣ ବନ୍ଦ କରିଦେଲେ ଯେ ଅବସ୍ଥା ଅସମ୍ଭାଳ ହୋଇପଡିବ ଏକ ବାହାନା ମାତ୍ର ।
ରାଜ୍ୟ ସରକାରଙ୍କର ନୂତନ ମଦର ହୋମ ଡେଲିଭରି ଆଦେଶକୁ ବିରୋଧ କରି ମିଳିତ ଓଡିଶା ନିଶା ନିବାରଣର ଏବଂ ସମ୍ଭବର ଅନେକ ସଦସ୍ୟ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଠାରେ ଏକ ପ୍ରତିକାତ୍ମକ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ନାୟକ କହିଛନ୍ତି ଯେ, “ସାରା ଦେଶରେ ଏବେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳିତ ହେଉଛି । ଆଶା କରାଯାଉଥିଲା ଯେ, ତାଙ୍କ ମଦ ମୁକ୍ତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ରାଜ୍ୟ ସରକାର କିଛି ପଦକ୍ଷେପ ନେବେ । ତାହା ନ କରି ସରକାର ଏବେ ଘରେ ଘରେ ମଦ ଯୋଗାଇ ଦେବାର ବ୍ୟବସ୍ଥା କରିଦେଲେ । ନବୀନ ସରକାର, ଗତ ୨୦ ବର୍ଷରେ ୧୦ ଗୁଣ ଅଧିକ ଲୋକଙ୍କୁ ମଦୁଆ କରିଛି । ସରକାରଙ୍କ ନୂତନ ମଦ ନୀତି ଫଳରେ ଆହୁରୀ ଲକ୍ଷ ଲକ୍ଷ ଯୁବକ ଅଧା ବୟସରେ ନାନା ରୋଗରେ ମରିବେ ଏବଂ ଅସୁମାରି ଝିଅ ଅକାଳରେ ବିଧବା ହେବେ । ମଦ ସବୁ ପ୍ରକାରର ହିଂସା ଅପରାଧ ବଢାଇଥାଏ । ସେ ଦିଗରେ କିଛି ନକରି ଭାରତୀୟ ସମ୍ବିଧାନରେ ଅହିଂସା ଶବ୍ଦ ଯୋଡିବା ପ୍ରସ୍ତାବ ଦେଇ ନବୀନ ବାବୁ ଗାନ୍ଧିଜୀଙ୍କ ପ୍ରତି ସଠତା କରିଛନ୍ତି । ତାଙ୍କ ସରକାରର ବଅଁଶ ବୁଡା ଅବକାରୀ ନୀତି ବିରୋଧରେ ଜନ ସାଧାରଣ ସ୍ୱର ଉତ୍ତୋଳନ କରନ୍ତୁ ।”


Share It

Comments are closed.