ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପରେ ଭାରତକୁ ଇସଲାମିକ ଷ୍ଟେଟର ଧମକ


ପୈଗମ୍ବର ମହମ୍ମଦ ମାମଲାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଆପତ୍ତିଜନକ ବୟାନକୁ ନେଇ ଉଠୁଛି ପଡୁଛି ଦେଶ । ବିଭିନ୍ନ ରାଜ୍ୟରେ ଏହାକୁ ନେଇ ହିଂସା ବଢିବାରେ ଲାଗିଛି । କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଅନେକ ମୁସଲିମ ଦେଶ ଏହାକୁ ତୀବ୍ର ବିରୋଧ କରୁଛନ୍ତି ।

ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ କୁଏତ୍, କାତାର ଏବଂ ଇରାନ, ଭାରତୀୟ ରାଷ୍ଟ୍ରଦୂତଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏହା ବାଦ୍‌ ଅନେକ ଦେଶ ଏହି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଏହାରି ମଧ୍ୟରେ ଆଉ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେକ୍‌ ଭାରତକୁ ଧମକ ଦେବା ଆରମ୍ଭ କରିଛି । ଏକ ବୁଲେଟିନ୍‌ ଜାରି କରି ଭାରତକୁ ଧମକ ଦେଇଛି ଇସଲାମିକ୍‌ ଷ୍ଟେଟ୍‌ । କହିଛି ଯେ, ‘ଭାରତ ଉପରେ ଖୁବଶୀଘ୍ର ଆକ୍ରମଣ କରାଯିବ’ । ପୈଗମ୍ବର ମହମ୍ମଦକୁ ନେଇ ନୂପୁର ଶର୍ମା ଦେଇଥିବା ବିବାଦୀୟ ବୟାନକୁ ନେଇ ଚିହିକି ଉଠିଥିବା ଆତଙ୍କୀ ସଂଗଠନ ଇସଲାମିକ୍‌ ଷ୍ଟେଟ ଖୁରାସନ୍‌ ପ୍ରୋଭିନେନ୍ସ (ଆଇଏସକେପି) ମୁଖପାତ୍ର ଜରିଆରେ ଏକ ବୁଲେଟିନ୍‌ ଜାରି କରିି । ଯେଉଁଥିରେ ଭାରତକୁ ଧମକ ଦିଆଯିବା ସହିତ ଏଠାରେ ଜାରି ରହିଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନର ଭିଡିଓ ମଧ୍ୟ ଜାରି କରାଯାଇଛି ।

ଭିଡିଓ ଜାରି କରାଯିବ ସହିତ ଟ୍ୱିଟ କରି ଖୁରାସନ୍‌ ଡାଏରୀ କହିଛି ଯେ, ‘ଇସଲାମିକ ଷ୍ଟେଟ୍‌ ଖୁରାସନ୍‌ ପ୍ରୋଭିନେନ୍ସ ତାର ଫାଉଣ୍ଡେସନ ଜରିଆରେ ନ୍ୟୁଜ ବୁଲେଟିନ୍‌ ଜାରି କରିଛି । ଯେଉଁଥିରେ ପ୍ରଥମ ଖବର ଯାହା ଦେଖାଯାଇଛି ତାହା ଭାରତକୁ ନେଇ କୁହାଯାଇଛି । ଆଫଗାନିସ୍ତାନରେ ସିଖ୍‌ ମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦେଖାଯାଇଛି । ବୁଲେଟିନ୍‌ ଶେଷରେ ଭାରତ ଉପରେ ଆକ୍ରମଣ କରାଯିବା ନେଇ ମେସେଜ ଦିଆଯାଇଛି । ଏହା ପୂର୍ବରୁ ୫୫ ପୃଷ୍ଠା ବିଶିଷ୍ଟ ଏକ ପାମ୍ପଲେଟ୍‌ ପବ୍ଲିସ୍‌ କରିଥିଲା ଇସଲାମିକ ଷ୍ଟେଟ୍‌ । ଯେଉଁଥିରେ ଭାରତୀୟ ମୁସଲମାନ ମାନଙ୍କୁ ସେମାନଙ୍କ ସହ ହାତ ମିଳାଇବା ପାଇଁ କୁହାଯାଇଥିଲା । ଏହି ବୁଲେଟିନ୍‌ ପୂର୍ବରୁ ଅଲକାଏଦା ଆତଙ୍କବାଦୀ ସଂଗଠନ ମଧ୍ୟ ପୈଗମ୍ବର ମହମ୍ମଦକୁ ନେଇ ହୋଇଥିବା ଆପତ୍ତିଜନକ ଟିପ୍ପଣୀର ପ୍ରତିଶୋଧ ନିଆଯିବ ବୋଲି କହିଥିଲା । ଭାରତର ଅନେକ ସହରରେ ଧମାକା ହେବ ବୋଲି କହିଥିଲା ଅଲକାଏଦା ।


Share It

Comments are closed.