ଆସନ୍ତାକାଲିଠୁ ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ପଦ୍ମପୁର ଉପ ନିର୍ବାଚନ ପାଇଁ ଏବେ ଚାଲିଛି ଜୋରଦାର ପ୍ରଚାର । ତିନି ଦଳର ପ୍ରାର୍ଥୀ ଆଉ ନେତାମାନେ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରୁଥିବାବେଳେ, ଆସନ୍ତାକାଲିଠୁ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲିଠୁ ୪ ଦିନ ସେ ପଦ୍ମପୁରରେ ରୋଡ ସୋ’ କରିବା ସହିତ ପ୍ରଦୀପ ପୁରୋହିତଙ୍କ ପାଇଁ କ୍ୟାମ୍ପେନ୍ କରିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସୂଚନା ମୁତାବକ, ଆସନ୍ତାକାଲିଠୁ ପଦ୍ମପୁର ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ । ୨୯ ତାରିଖଠୁ ଆରମ୍ଭ କରି ୩୦ ତାରିଖ, ୧ ତାରିଖ ଏବଂ ୩ ତାରିଖ ଦିନ ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ । ଏହି ୪ଦିନରେ ସେ ଏକାଧିକ ସ୍ଥାନରେ ରୋଡ୍ ସୋ କରିବା ସହିତ ଲୋକଙ୍କ ସୁଖଦୁଃଖ ବୁଝିବେ । ଖାଲି ସେତିକି ନୁହେଁ, ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ସଭା କରିବେ ବୋଲି ମଧ୍ୟ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଧର୍ମେନ୍ଦ୍ରଙ୍କ ପୂର୍ବରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଛନ୍ତି । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପରେ ଏବେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଦ୍ମପୁରରେ ପ୍ରଚାର କରିବେ । ତେବେ ଧର୍ମେନ୍ଦ୍ରଙ୍କ ପ୍ରଚାର ବିଜେପି ଶିବିରକୁ ନୂଆ ଉର୍ଜା ଦେବ ବୋଲି ପୃଥ୍ୱୀରାଜ କହିଛନ୍ତି ।


Share It

Comments are closed.